ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ବଜେଟ୍‌ରେ ଓଡ଼ିଆ ଅସ୍ମିତାର ପ୍ରଚାର ଓ ପ୍ରସାର ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିବା ପ୍ରସ୍ତାବ ଦେଇଛନ୍ତି। ଓଡ଼ିଆ ଅସ୍ମିତାର ପୁନରୁଦ୍ଧାର ଓ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ପ୍ରୋତ୍ସାହିତକରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମି ପ୍ରତିଷ୍ଠା, ତାଳପତ୍ର ପାଣ୍ଡୁଲିପି ପାଇଁ ଏକ ବିଶ୍ବସ୍ତରୀୟ ସଂଗ୍ରହାଳୟ ପ୍ରତିଷ୍ଠା, ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ, ବାଲିଯାତ୍ରାକୁ ଆନ୍ତର୍ଜାତିକ ମାନ୍ୟତା ପ୍ରଦାନ, ‘କଳାକାର ଗୌରବ ନିଧି’ ଯୋଜନାର ପ୍ରସ୍ତୁତି, ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ପ୍ରଶିକ୍ଷଣ ପାଇଁ ଆର୍ଥିକ ସହାୟତା, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶ୍ବବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା, ଜିଲ୍ଲାସ୍ତରୀୟ ଇ-ପାଠାଗାର ପ୍ରତିଷ୍ଠା, ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଭଳି ପଦକ୍ଷେପ ଗ୍ରହଣ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ୪୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ୫୦୦ କୋଟି ଟଙ୍କାର କର୍ପସ୍‌ ପାଣ୍ଠି ଗଠନ ହେବ। ଘଟଗାଁର ମା ତାରିଣୀ ପୀଠର ପାରିପାର୍ଶ୍ବିକ ଉନ୍ନତି ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଓଡ଼ିଆ ଭାଷାର ପ୍ରସାର ପାଇଁ ଆଇନ, ବୈଷୟିକ ବିଦ୍ୟା ଓ ଭେଷଜ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପଢ଼ାଯିବ। ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟରେ କ୍ୟାରିୟର କାଉନ୍‌ସେଲିଂ ଓ ପ୍ଲେସ୍‌ମେଣ୍ଟ ସେଣ୍ଟର ସ୍ଥାପନ କରାଯିବ। ଓଡ଼ିଆ ବିଶ୍ବବିଦ୍ୟାଳୟର ଦ୍ବିତୀୟ ପର୍ଯ୍ୟାୟ ପାଇଁ ୫୦ କୋଟି ଟଙ୍କା ଦିଆଯିବ।