କଟକ : ଓଡ଼ିଆ ବଜାର କୁତ୍ତାଖାଇ ଗଳିର ସାହି ସମ୍ପାଦକ ବି. ଆପାରାଓଙ୍କ ପତ୍ନୀ ବି. ଗୁଣାବତୀଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ। ପ୍ରେମିକାର ଅଶ୍ଳୀଳ ଫଟୋକୁ ପୁଅ ଲାପ୍‌ଟପ୍‌ରେ ରଖିବା କାରଣରୁ ମା’ ଗୁଣାବତୀଙ୍କ ଜୀବନ ଯାଇଛି। ଏହି ଫଟୋ ଥିବା ଲାପ୍‌ଟପ୍‌ ହାତେଇବା ପାଇଁ ସଂପୃକ୍ତ ଯୁବତୀଙ୍କ ବାପା ଦୁଇ ପଡ଼ୋଶୀ ଯୁବକଙ୍କୁ ପଠାଇ ଗୁଣାବତୀଙ୍କୁ ହତ୍ୟା କରିବା ସହିତ ଲାପ୍‌ଟପ୍‌ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ। ଲାଲ୍‌ବାଗ ଥାନା ପୁଲିସ ଏହି ମାମଲାରେ ଓଡ଼ିଆ ବଜାର କୁତ୍ତାଖାଇ ଗଳିର ଦୁଇ ଯାଆଁଳା ଭାଇ ଵାଇ ସୁଦିପ(୨୫), ଵାଇ ସୁନିଲ(୨୫)କୁ ଗିରଫ କରିଛି। ଘଟଣାର ମାଷ୍ଟରମାଇଣ୍ଡ ଯୁବତୀର ବାପାଙ୍କୁ ଥାନାରେ ଅଟକ ରଖି ଜେରାକରୁଛି। ତେବେ, ଗୁଣାବତୀଙ୍କ ଘରୁ ଲୁଟ୍ ହୋଇଥିବା ଲାପ୍‌ଟପ୍ ସମେତ ଅନ୍ୟାନ୍ୟ ସାମଗ୍ରୀକୁ ଦୁଇ ଅଭିଯୁକ୍ତ ମହାନଦୀରେ ଫିଙ୍ଗି ଦେଇଥିବାରୁ ଏସବୁକୁ ଉଦ୍ଧାର କରିବା ପୁଲିସ୍‌ ପାଇଁ ବଡ଼ ଚାଲେଞ୍ଜ୍‌ ହୋଇଛି।

Advertisment

ଗଲା ୧୫ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ତଦନ୍ତ ପରେ ପୁଲିସ ଜାଣିବାକୁ ପାଇଛି ଯେ କୁତ୍ତାଖାଇ ଗଳିରେ ରହୁଥିବା ଅନ୍ୟ ଏକ ପରିବାର ସହିତ ବି.ଗୁଣାବତୀଙ୍କ ପରିବାରର ପୂର୍ବରୁ ବିବାଦ ଥିଲା। ଚଣ୍ଡୀଛକ ଆଇସିସିଆଇ ବ୍ୟାଙ୍କରେ ରିଲେସନ୍ ମ୍ୟାନେଜର ଥିବା ଗୁଣାବତୀଙ୍କ ସାନପୁଅ ବି.ରବି ରାଓଙ୍କ ଲାପ୍‌ଟପ୍‌ରେ ଉକ୍ତ ପଡ଼ୋଶୀଙ୍କ ଝିଅର କିଛି ଆପତ୍ତିଜନକ ଫଟୋ ରହିଥିଲା। ଉଭୟ ପରସ୍ପର ସହିତ ପ୍ରେମ ସମ୍ପର୍କରେ ଥିବାବେଳେ ରବି ତାଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ରେକର୍ଡ କରି ନିଜ ଲାପ୍‌ଟପ୍‌ରେ ରଖିଥିଲେ। ସେହି ଲାପଟପ୍ ହାତେଇବାକୁ ସଂପୃକ୍ତ ଯୁବତୀଙ୍କ ପରିବାର ଯୋଜନା କରିଥିଲେ। ସମ୍ପୃକ୍ତ ଯୁବତୀଙ୍କ ବାପାଙ୍କ ନିକଟରୁ ଦୁଇ ଅଭିଯୁକ୍ତଙ୍କ ବାପା ଵାଇ ଲିଙ୍ଗରାଜ ୯୦ ହଜାର ଟଙ୍କା ଋଣ ନେଇଥିଲେ। ସୁଧ ସହିତ ତାହା ୩ ଲକ୍ଷ ଟଙ୍କାରେ ପହଞ୍ଚି ଥିଲା। ଋଣ ଛାଡ଼ କରିବାକୁ ହେଲେ ସେହି ଲାପ୍‌ଟପ୍ ଆଣିବାକୁ ଲିଙ୍ଗରାଜଙ୍କୁ କୁହାଯାଇଥିଲା। ଲିଙ୍ଗରାଜ ତାଙ୍କ ଦୁଇ ପୁଅ ସୁଦିପ ଓ ସୁନିଲଙ୍କ ଜରିଆରେ ଲାପଟପ୍ ଆଣିବେ, ଲାପଟପ୍ ଆଣିବା ସମୟରେ ଯଦି କେହି ବିରୋଧ କରନ୍ତି ତେବେ ତାଙ୍କୁ ହତ୍ୟା କରି ଦେବାକୁ ବି ସଂପୃକ୍ତ ଯୁବତୀଙ୍କ ବାପା କହିଥିଲେ।

ଯୋଜନା ମୁତାବକ ଲିଙ୍ଗରାଜଙ୍କ ଦୁଇ ପୁଅ ସୁଦିପ ଓ ସୁନିଲ ଦିନ ପ୍ରାୟ ୧୧ଟା ୪୦ ସମୟରେ ଗୁଣାବତୀଙ୍କ ଘରେ ପହଞ୍ଚି ଥିଲେ। ସେତେବେଳେ ଘରର ପ୍ରଥମ ମହଲାରେ ଗୁଣାବତୀ ପରିବା କାଟୁଥିବାବେଳେ ଦୁଇ ଦୁର୍ବୃତ୍ତ ତାଙ୍କୁ ଲାପ୍‌ଟପ୍ ଦେଇଦେବାକୁ କହିଥିଲେ। ଗୁଣାବତୀ ଏହାର ବିରୋଧ କରିବାରୁ ସେମାନେ ଘରର ଦ୍ବିତୀୟ ମହଲାକୁ ଯିବାକୁ ଉଦ୍ୟମ କରିଥିଲେ। ଏହିସମୟରେ ଗୁଣାବତୀଙ୍କ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଗୁଣାବତୀଙ୍କ ମୁହଁକୁ ମୁଥ ମାରିବା ସହିତ ଦ୍ବିତୀୟ ମହଲାକୁ ଘୋଷାରି ନେଇ ସେମାନେ ପନିକିରେ ତାଙ୍କର ଗଳା କାଟି ହତ୍ୟା କରିଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ ପନିକି, ଦ୍ବିତୀୟ ମହଲାର ତାଲା, ଚାବି, ପରିବା ବ୍ୟାଗ୍ ଓ ଲାପ୍‌ଟପ୍ ବ୍ୟାଗ ସହିତ ଚାର୍ଜର୍ ଲୁଟି ନେଇଥିଲେ। ଏହି ସାମଗ୍ରୀକୁ ପ୍ରଥମେ ସେମାନେ ନିଜ ଘରେ ରଖିଥିଲେ। କିନ୍ତୁ ଲାପ୍‌ଟପ୍ ଟ୍ରାକ୍‌ ହେବା ଆଶଙ୍କାରେ ମାଷ୍ଟରମାଇଣ୍ଡର ନିର୍ଦ୍ଦେଶ ଅନୁଯାୟୀ, ଯୋବ୍ରା ନିକଟରେ ମହାନଦୀରେ ସେସବୁ ସାମଗ୍ରୀଗୁଡ଼ିକୁ ଫିଙ୍ଗି ଦେଇଥିଲେ।

ଅନ୍ୟପଟେ ପୀଡ଼ିତା ଯୁବତୀଙ୍କ ବାପାକୁ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରାଯାଉଛି। ଏହାସହିତ କମିସନରେଟ୍ ପୁଲିସର ଏକ ଟିମ୍ ସୋମବାର ଅପରାହ୍ନରେ ଯୋବ୍ରା ନିକଟ ମହାନଦୀରୁ ଘରୋଇ ସ୍କୁବା ଡାଇଭରଙ୍କ ସହାୟତାରେ ଲାପ୍‌ଟପ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଖୋଜାଖୋଜି ଆରମ୍ଭ କରିଦେଇଛି। ଦୁଇ ଦୁର୍ବୃ୍ତ୍ତଙ୍କ ନିକଟରୁ ହତ୍ୟାକାଣ୍ଡ ସମୟରେ ପିନ୍ଧିଥିବା ପୋଷାକ, ଚପଲ, ମୋବାଇଲ୍ ଇତ୍ୟାଦି ଜବତ ହୋଇଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।