ଓଡ଼ିଆ ସାହିତ୍ୟ ବିରୋଧରେ ଷଡ଼୍‌ଯନ୍ତ୍ର-୪ : ଭାଷା ପ୍ରତିଷ୍ଠାନ ବିକଳାଙ୍ଗ

୫ବର୍ଷ ତଳୁ ସଂସ୍କୃତି ବିଭାଗକୁ ଆସିଲାଣି
ଏଯାଏ ବାଇ-ଲ ସଂଶୋଧନ ହେଲାନି
କେହି ନିୟମିତ ନାହାନ୍ତି, ସବୁ ପଦବି କା’ରେ

ଭୁବନେଶ୍ବର : ୨୦୧୫ ଜୁନ ୨୪ ତାରିଖରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରୁ ସଂସ୍କୃତି ବିଭାଗକୁ ଆସିଲା। ଇତିମଧ୍ୟରେ ୫ବର୍ଷ ପୂରଣ ହୋଇଗଲାଣି। ଏବେ ବି ବାଇ-ଲ’ ସଂଶୋଧନ ହୋଇପାରୁନି? ଆଜି ମଧ୍ୟ ପ୍ରତିଷ୍ଠାନର ପଞ୍ଜୀକୃତ ସ୍ମାରକପତ୍ର ସଂଶୋଧନ ନ ହୋଇ ଏହା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ରହିଛି?

ଭାଷା ପ୍ରତିଷ୍ଠାନ ନିୟମ ଅନୁସାରେ, ପଦବି ସୃଷ୍ଟିଠାରୁ ଆରମ୍ଭ କରି ଦରମା, ପ୍ରାପ୍ୟ, ବଜେଟ୍ ଆକଳନ, ଖର୍ଚ୍ଚ ହିସାବ, ପ୍ରକଳ୍ପ ଅନୁମୋଦନ ଆଦି କାର୍ଯ୍ୟକାରୀ କମିଟି ଓ ପରେ ସାଧାରଣ ପରିଷଦ ବୈଠକରେ ଅନୁମୋଦନ ଲାଭ କରିବା କଥା। ପାଖାପାଖି ସାତବର୍ଷ ହେଲାଣି କମିଟି ନାହିଁ କି ସଦସ୍ୟ ନାହାନ୍ତି। ଓଡ଼ିଆ ଭାଷା ପ୍ରତିଷ୍ଠାନ ଖର୍ଚ୍ଚ କିଏ ତୁଲାଉଛି?

ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ନେଇ ଏଭଳି କିଛି ପ୍ରଶ୍ନ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡି଼ଲାଣି। ଓଡ଼ିଶା ସାହିତ୍ୟ ଏକାଡେମିକୁ ଦୁର୍ବଳ କରିଦେବା ଲାଗି ଯେଭଳି ଷଡ଼୍‌ଯନ୍ତ୍ର ଚାଲିଛି, ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ଗଠନ ହୋଇଥିବା ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ବି ସେମିତି ବିକଳାଙ୍ଗ ଅବସ୍ଥାରେ ଛାଡ଼ି ଦିଆଯାଇଛି।

୨୦୦୬ ମସିହା ଏପ୍ରିଲ ୧ ତାରିଖ ଦିନ ଅର୍ଥାତ୍ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରତିଷ୍ଠାନ ଉଦ୍‌ଘାଟନ କରିବା ବେଳେ ସରକାର ରାଜ୍ୟ ସାମ୍ନାରେ ଅନେକ ସ୍ବପ୍ନ ରଖିଥିଲେ।

Wikimedia Commons

ଗଣମାଧ୍ୟମ ପ୍ରଥମ ପୃଷ୍ଠାରେ ଏସଂକ୍ରାନ୍ତ ଖବର ସମଗ୍ର ରାଜ୍ୟର କୋଣ ଅନୁକୋଣରେ ବିଛାଡ଼ି ହୋଇଯାଇଥିଲା ଓ ସମସ୍ତେ ବିଶ୍ବାସ କରିଥିଲେ, ଭାଷାର ବିକାଶ ପାଇଁ ଏହି ଅନୁଷ୍ଠାନ ନିଶ୍ଚିତ କାର୍ଯ୍ୟ କରିବ।

କୌତୂହଳର କଥା ହେଲା, ପ୍ରତିଷ୍ଠାନ ଆରମ୍ଭ କରିବା ବେଳର ଆନ୍ତରିକତା ଓ ପ୍ରତିବଦ୍ଧତା ସମ୍ଭବତଃ ଆଜି ଦିନରେ ନାହିଁ। କାରଣ ଓଡ଼ିଆ ଭାଷା ପ୍ରତିଷ୍ଠାନର ୨୭ଟି ଅନୁମୋଦିତ ପଦବିରେ ମାତ୍ର ୧୩ ଜଣ କାମ କରୁଛନ୍ତି ଓ ଏମାନଙ୍କ ମଧ୍ୟରୁ ଜଣେ ବି କେହି ନିୟମିତ କର୍ମଚାରୀ ନାହାନ୍ତି। କାର୍ଯ୍ୟକ୍ରମ ସଂଯୋଜକ ଓ ସହ ସଂଯୋଜକ ୬ଟି ଯାକ ପଦବି ଖାଲି ପଡ଼ିଛି। ଭାରପ୍ରାପ୍ତ ନିର୍ଦେଶକ, ବାହାରୁ ଠିକାରେ ଅଣାଯାଇଥିବା କର୍ମଚାରୀ, ଜଣେ ଅବସରପ୍ରାପ୍ତ ଅଧିକାରୀ ଯିଏ ପୁନଃ ଅବସ୍ଥାପିତ ହୋଇଛନ୍ତି, ତାଙ୍କୁ ନେଇ ସରକାର ଏ ପ୍ରତିଷ୍ଠାନକୁ କେତେ ଆଗକୁ ନେଇପାରିବେ, ତାହା ଏବେ ବଡ଼ ପ୍ରଶ୍ନ। ସେହିଭଳି ପ୍ରତିଷ୍ଠାନର ସାଧାରଣ ପରିଷଦ ଅଧ୍ୟକ୍ଷ ଖୋଦ୍ ମୁଖ୍ୟମନ୍ତ୍ରୀ। ଏହା ସତ୍ତ୍ବେ ଯଦି ଏହି ପ୍ରତିଷ୍ଠାନ ସ୍ଥିତି ଏଭଳି; ଆଉ କିଏ ରହିଲେ, ସରକାରୀ ତତ୍ପରତା ପ୍ରକାଶ ପାଇବ?

ମିଳିଥିବା ସୂଚନା ଅନୁସାରେ, ୨୦୧୪ ଅଗଷ୍ଟରୁ ଏଯାଏ ବିନା ସାଧାରଣ ପରିଷଦ, ବିନା କାର୍ଯ୍ୟକାରୀ କମିଟି ଓ ଭାରପ୍ରାପ୍ତ ନିର୍ଦେଶକଙ୍କ ମାଧ୍ୟମରେ ଅସାମ୍ବିଧାନିକ ଭାବେ ପ୍ରତିଷ୍ଠାନ ଚାଲିଛି। ପ୍ରତିଷ୍ଠାନ କାର୍ଯ୍ୟନିର୍ବାହୀ କମିଟିର ଶେଷ ବୈଠକ ୨୦୧୩ ମସିହା ଜାନୁଆରୀ ୧୧ ତାରିଖରେ ବସିଥିଲା। ସେ ବୈଠକରେ ଗୃହୀତ ପ୍ରସ୍ତାବ ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ସେବେ ଜୟପୁର ଠାରେ ପ୍ରତିଷ୍ଠାନର ଶାଖା ସ୍ଥାପନ, ପ୍ରତି ଜିଲ୍ଲାରେ ଜିଲ୍ଲା ସଂସ୍କୃତି ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର କମିଟି ଗଠନ ପ୍ରସ୍ତାବ ରହିଥିଲା। କୁହାଯାଇଥିଲା ଯେ ଏହି କମିଟିରେ ସ୍ଥାନୀୟ ଭାଷାବିତ୍‌ମାନେ ସଭ୍ୟ ରହିବେ ଓ ସଂପୃକ୍ତ ଜିଲ୍ଲାରେ ଓଡ଼ିଆ ଭାଷାର ବିକାଶ ପାଇଁ ନିର୍ଦିଷ୍ଟ କି କି ପଦକ୍ଷେପ ନିଆଯିବ ସେ ସଂପର୍କରେ ପରାମର୍ଶ ଦେବେ। ସେଥିଲାଗି ସେ ସମୟରେ ୨୦ହଜାର ଟଙ୍କା ଲେଖାଁଏ ଦେବା ଲାଗି ବି ସୁପାରିସ ହୋଇଥିଲା। ହେଲେ ଏହା ସେଇଠି ଅଟକିଯାଇଛି।

ଏପଟେ ପ୍ରତିଷ୍ଠାନର ଓଡ଼ିଆ ଭାଷା ପ୍ରତି ଏତେ ଆନ୍ତରିକତା ଯେ ଛାପିଥିବା ବର୍ଣ୍ଣବୋଧ ବି ବଣ୍ଟାଯାଇପାରିଲା ନାହିଁ। ଏହାକୁ ନେଇ ବିବାଦ ସାଂଘାତିକ ସ୍ଥିତିରେ ପହଞ୍ଚିଲା ପରେ ଛପାଯାଇଥିବା ବହି ଏବେ ସବୁ ଜାଳେଣି ଅପେକ୍ଷାରେ ରହିଛି।

ଉଲ୍ଲେଖଯୋଗ୍ୟ ଯେ ନିକଟରେ ପରଲୋକଗମନ କରିଥବା ବିଜେଡି ନେତା ବିଷ୍ଣୁ ଦାସ ଯେତେବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ, ୨୦୦୭ ମସିହାରେ ସାଧାରଣ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ। ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଆଉ କେହି ଏଥିରେ ସାମିଲ କରିବା ଲାଗି ଆଗ୍ରହ ଦେଖାଇନାହାନ୍ତି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଭାଷା ପ୍ରତିଷ୍ଠାନରେ ନିର୍ଦେଶିକା ଭାବେ ଭାଗ୍ୟଲିପି ମଲ୍ଲ ଯୋଗଦେବା ପରେ ବାଇ-ଲ ସଂଶୋଧନ ପାଇଁ ଆଲୋଚନା ଆରମ୍ଭ ହୋଇଛି। ହେଲେ କାର୍ଯ୍ୟକାରୀ କମିଟି ଗଠନ ନହେବା ପର୍ଯ୍ୟନ୍ତ ଏହା କରାଯାଇପାରିବ ନାହିଁ। ଏଣୁ କେଉଁଭଳି ଭାବେ ଏହି କମିଟି ଗଠନ ହେବ, କେଉଁମାନଙ୍କୁ ଏଥିରେ ସାମିଲ କରାଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର