ଜୟପୁର: ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, ଦୋକାନ, ହୋଟେଲ ଆଦିରେ ଓଡ଼ିଆ ନାମ ଫଳକ (ସାଇନ୍ ବୋର୍ଡ) ଲଗଇବା ବାଧ୍ୟତାମୂଳକ। ଏହାକୁ ନେଇ ଜିଲ୍ଲା ପ୍ରଶାସନ ଗତ ଏପ୍ରିଲ ୧୭ତାରିଖ ଦିନ  ବୈଠକ କରି ଜୟପୁର ଚାମ୍ବର ଅଫ କମର୍ସକୁ ଅବଗତ କରିଥିଲେ। ଶ୍ରମ ବିଭାଗ ପକ୍ଷରୁ ପୌରପାଳିକାକୁ ଜଣାଇବା ପରେ ପୌରପାଳିକା ପକ୍ଷରୁ ଜୟପୁର ସହରରେ ପ୍ରଚାର ଓ ପ୍ରସାର ବି କରିଥିଲେ।

Advertisment

ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସହରରେ ଚଢ଼ାଉ କରାଯାଇ ବ୍ୟବସାୟୀକ ପ୍ରତିଷ୍ଠାନ ଆଦିରେ ବୁଲି ବୁଲି ରାଜ୍ୟ ସରକାର ସବୁ ବ୍ୟବସାୟୀକ ପ୍ରତିଷ୍ଠାନ, ଦୋକାନ, ହୋଟେଲର ସମ୍ମୁଖରେ ଓଡ଼ିଆ ନାମ ଫଳକ (ସାଇନ୍ ବୋର୍ଡ) ଲଗଇବା ବାଧ୍ୟତାମୂଳକଜାରି କରିଛନ୍ତି। ୧୫ଦିନ ମଧ୍ୟରେ ନାମଫଳକ ନ ଲଗାଇଲେ ପ୍ରଶାସନ ପକ୍ଷରୁ ଚଢ଼ାଉ କରି ଜରିମାନା ଆଦାୟ କରାଯିବାକୁ ଚେତାବନୀ ଦିଆଯାଇଥିଲା। ପ୍ରଥମ ଥର ପାଇଁ ୫ହଜାର ଓ ଦ୍ବିତୀୟ ଥର ପାଇଁ୧୦ହଜାର ଜରିମାନା ଆଦାୟ କରାଯିବାକୁ ନିଷ୍ପତ୍ତି ବି ହୋଇଥିଲା। ‌ଯଦି ଏହାକୁ କେହି ଅବମାନନା କଲେ ଶେଷରେ ଦୋକାନ ଏବଂ ପ୍ରତିଷ୍ଠାନ ଅଧିନିୟମ ଅନୁଯାୟୀ ଲାଇସେନ୍ସ ବି ପ୍ରଶାସନ ବାତିଲ କରିବ ବୋଲି କୁହାଯାଇଥିଲା।

ଗତ କିଛି ଦିନ ତଳେ ପୁଣି ଜିଲ୍ଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ ବି ୯ଟି ଏଭଳି ଦୋକାନୀଙ୍କୁ କଡ଼ା ତାଗିଦ୍ କରି କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏହା ବାଦେ ବି ଦୋକାନୀ ନିଜ ଦୋକାନର ସମ୍ମୁଖ ନାମଫଳକକୁ ପରିବର୍ତ୍ତନ କରିନାହାନ୍ତି। ଏହାକୁ କେହି ଖାତିର କରୁ ନଥିବା ଜୟପୁର ସହରରେ ଦେଖିବାକୁ ମିଳିଛି। ସହରର ମୁଖ୍ୟରାସ୍ତା‌ରେ ଥିବା ବହୁ ବ୍ୟବସାୟୀ ଏହାର ଖିଲାଫ କରିବା ସହ ଏହା ଲଗାଇନଥିବା ଦେଖିବାକୁ ମିଳିଛି। ଏଭଳିକି ଗତ ଥର ଜରିମାନା ଆଦାୟ କରିଥିବା ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ବି ଖାତିର ନ କରି ପୂର୍ବ ପରି ଇଂରାଜୀ ବୋର୍ଡ଼ ଲଗାଇଥିବା ଦେଖିବାକୁ ମିଳିଛି। ତେବେ ଜିଲ୍ଲାଶ୍ରମ ବିଭାଗ ପକ୍ଷରୁ କେବଳ କାରଣଦର୍ଶାଅ ନୋଟିସ ଜାରୀ କରି ଆଇନଗତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ  ଖିଲାଫକାରୀମାନେ  କୌଣସି ନିୟମ ମାନିବାକୁ ପ୍ରସ୍ତୁତ  ନାହାନ୍ତି।

ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନ ଓ ଶ୍ରମବିଭାଗ କାର୍ଯ୍ୟାନୁଷ୍ଠାନ ‌ନେଲେ ବ୍ୟବସାୟୀମାନେ ନିଜ ଦୋକାନରେ ଓଡିଆ ନାମଫଳକ ଟାଙ୍ଗିବେ ବୋଲି ସାହିତ୍ୟିକ ମାନେ ମତ ଦେଇଛନ୍ତି। ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏପର୍ଯ୍ୟନ୍ତ ୭୬ଜଣ ବ୍ୟବସାୟୀଙ୍କୁ କାରଣଦର୍ଶାଅ ନୋଟିସ୍ ଦେବା ଦିଆଯାଇଥିଲା ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ। ୫୬ଟି ଦୋକାନୀ ନାମଫଳକ ପରିବର୍ତ୍ତନ କରିଥିବା ବେଳେ ୧୯ଜଣଙ୍କ ନାଁରେ କୋର୍ଟରେ ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାଶ୍ରମ ଅଧିକାରୀ।