ମାଷ୍ଟର ସେଫ୍‌-୬ ଫାଇନାଲ୍‌ରେ ଓଡ଼ିଆ ପୁଅ ଅବିନାଶଙ୍କ ବାଜିମାତ୍

ବ୍ରହ୍ମପୁର/ଆସିକା : ଜାତୀୟ ଟେଲିଭିଜନ୍‌ ସଂସ୍ଥା ‘ଷ୍ଟାର୍‌ ପ୍ଲସ୍‌’ରେ ପ୍ରସାରିତ ‘ମାଷ୍ଟର୍‌ ସେଫ୍ ସିଜନ୍‌-୬’ରେ ବାଜିମାତ୍ କରିଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ କାଳଷଣ୍ଢପୁର ଗ୍ରାମର ମୂଳବାସିନ୍ଦା ୨୭ ବର୍ଷୀୟ ଅବିନାଶ ଏହି ରିୟଲିଟି ସୋ ଫାଇନାଲ୍ ରାଉଣ୍ଡରେ ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି। ଏନେଇ ମହାରାଷ୍ଟ୍ରର ‘ମୁମ୍ବାଇ ଲାଇଭ୍’ ଏକ ଗଣମାଧ୍ୟମ ସଂସ୍ଥା ସୋସିଆଲ୍ ମିଡ଼ିଆରେ ଖବର ପ୍ରସାରଣ କରିଛି। ତେବେ ଏହି ସୋ’ର ଶେଷ ଏପିସୋଡ୍‌ ମାର୍ଚ୍ଚ ୨ ତାରିଖରେ ପ୍ରସାରଣ ହେବାକୁ ଥିବାରୁ ଏନେଇ କିଛି ସ୍ପଷ୍ଟ ହୋଇପାରିନି।

ଅବିନାଶ ଏହି ସୋ’ରେ ଅଂଶଗ୍ରହଣ କରି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିଥିଲେ। ଟେଲିକମ୍ୟୁନିକେସନ ଇଞ୍ଜିନିୟରିଂ ପଢ଼ା ସାରି ହାଇଦ୍ରାବାଦ୍‌ ଇନ୍‌ଫୋସିସ୍‌ରେ ଇଞ୍ଜିନିୟର ଭାବେ ଚାକିରି କରୁଥିବା ଅବିନାଶ ଏହି ସୋ’ରେ ଭାଗ ନେଇ ଚିକେନ୍‌‌ ବେସର ଚଖାଇ ଉପସ୍ଥିତ ୩ ଜଣ ବିଚାରକ ବିକାଶ ଖାନ୍ନା, ରଣବୀର ବରାର ଏବଂ ଭିନିତ୍‌ ଭାଟିଆଙ୍କୁ ଚକିତ କରି ଦେଇଥିଲେ। ଅଡ଼ିସନ୍‌ ରାଉଣ୍ଡକୁ ମନୋନୀତ ହୋଇ ଆପ୍ରନ୍‌ ପାଇବା ପରେ ମାଷ୍ଟର ସେଫ୍‌ର ଲୋଗୋ ପାଇଥିଲେ। ଏହାସହ ଅନ୍ୟ ରାଉଣ୍ଡ୍‌ରେ ବି ଅବିନାଶ ତାଙ୍କ ହାତରନ୍ଧାର ଯାଦୁ ଦେଖାଦେଇଥିଲେ। ପୂର୍ବରୁ ସେ ଲୋକିକୁକ୍‌ସ ଫେଲୋସିପ୍‌ ୨୦୧୯ ପୁରସ୍କାର ହାତେଇଥିବା ବେଳେ ଗତବର୍ଷ ହଳଦିରାମ ପକ୍ଷରୁ ଆୟୋଜିତ ଏକ ରାନ୍ଧଣା ପ୍ରତିଯୋଗିତାରେ ଶୀର୍ଷ ୧୫ ଜଣଙ୍କ ମଧ୍ୟରେ ରହିଥିଲେ। ଏହି ମେଗା ସୋ’ରେ ଅବିନାଶ ବିଜୟୀ ହୋଇଥିବା ନେଇ ବିଭିନ୍ନ ସୋସିଆଲ୍ ମିଡିଆରେ ଖବର ଭାଇରାଲ୍ ହୋଇଛି। ତେବେ ରାଜ୍ୟବାସୀ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର