ଏନ୍‌ଏସ୍‌ଟିଏସ୍‌ଇରେ ଓଡ଼ିଆ ଛାତ୍ର ନିଶାନ୍ତ କାର୍ତ୍ତିକ ନାୟକ ଦେଶରେ ଟପର

ଭୁବନେଶ୍ୱର : ୟୁନିଫାଏଡ୍ କାଉନ୍‌ସିଲ୍‌ ଦ୍ବାରା ପରିଚାଳିତ ଜାତୀୟସ୍ତରୀୟ ବିଜ୍ଞାନ ପ୍ରତିଭା ଅନ୍ୱେଷଣ ପରୀକ୍ଷା(ଏନ୍‌ଏସ୍‌ଟିଏସ୍‌ଇ)ର ଅଷ୍ଟମ ଶ୍ରେଣୀ ବର୍ଗରେ ଓଡ଼ିଆ ଛାତ୍ର ନିଶାନ୍ତ କାର୍ତ୍ତିକ ନାୟକ ଦେଶରେ ଟପର ହୋଇଛନ୍ତି। ଭୁବନେଶ୍ବରସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ଛାତ୍ର ନିଶାନ୍ତ ଏହି ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖିଛନ୍ତି। ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଓ କ୍ରିଟିକାଲ ଥିଙ୍କିଙ୍ଗ୍‌ ଆଦି ବିଷୟରେ ସେ ପୂର୍ଣ୍ଣ ନମ୍ବର ରଖିଛନ୍ତି। ତାଙ୍କ ସହ ଫରିଦାବାଦର ଅନ୍ୟ ଜଣେ ଛାତ୍ର ମଧ୍ୟ ଯୁଗ୍ମ ଭାବେ ଟପର ହୋଇଛନ୍ତି। ଯୁଗ୍ମ ଟପର ହୋଇଥିବାରୁ ନିୟମ ଅନୁସାରେ ଉଭୟଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଅର୍ଥ ପୁରସ୍କାର ମିଳିବ।

୮ମ ଶ୍ରେଣୀରେ ପଢ଼ୁଥିବା ନିଶାନ୍ତଙ୍କ ବାପା କାର୍ତ୍ତିକ ନାୟକ ରାଜଧାନୀର ମୈତ୍ରୀବିହାର ଅଞ୍ଚଳର ଜଣେ ବ୍ୟବସାୟୀ ଏବଂ ମା’ ମମତା ନାୟକ ଜଣେ ଗୃହିଣୀ। ପାଠପଢ଼ା ସହ ଅନ୍ୟ କ୍ଷେତ୍ରରେ ବି ନିଶାନ୍ତ ନିଜର ପାରଦର୍ଶିତା ଦେଖାଇନ୍ତି। ନିଶାନ୍ତଙ୍କ ଏହି କୃତିତ୍ବ ପାଇଁ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ବିଜୟ କୁମାର ସାହୁଙ୍କ ସମେତ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି। ଭବିଷ୍ୟତରେ ଜଣେ ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ୍ୟ ରଖିଥିବା ନିଶାନ୍ତ କହିଛନ୍ତି।ସେହିପରି ଏହି ପରୀକ୍ଷାର ୫ମ ଶ୍ରେଣୀ ବର୍ଗରେ ଆଉ ଦୁଇ ଜଣ ଓଡ଼ିଆ ବି ସ୍ଥାନ ପାଇଛନ୍ତି। ସର୍ବଭାରତୀୟସ୍ତରରେ ୫ମ ଶ୍ରେଣୀରେ ମୋଟ ୬ ଜଣ ଶୀର୍ଷ ସ୍ଥାନରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ଭୁବନେଶ୍ବରର ଆଦ୍ରିକା ସର ଓ ରାଉରକେଲାର ଅନ୍ବେଷା ଶତପଥୀ ରହିଛନ୍ତି। ଏଥର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବର୍ଗରେ ପ୍ରାୟ ୯.୮ ନିୟୁତ ପିଲା ଏହି ପରୀକ୍ଷା ଦେଇଥିଲେ।

ସମ୍ବନ୍ଧିତ ଖବର