ଭଦ୍ରକ: ଓଡ଼ିଆ ଓ୍ଵିକିପିଡିଆରେ କ୍ରମାଗତ ଭାବେ ୨ ବର୍ଷ ଧରି ପ୍ରତିଦିନ ଗୋଟାଏ ଲେଖାଏଁ ପ୍ରସଂଗ ରଚନା କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଭଦ୍ରକର ସଂଗ୍ରାମ କେଶରୀ ସେନାପତି। ତେଲୁଗୁ ଓ୍ଵିକିପିଡିଆର ଲେଖକ ପ୍ରଣୟ ରାଜ ଓ ପଞ୍ଜାବୀ ଓ୍ଵିକିପିଡିଆର ଲେଖକ ନିତେଶ ଗିଲଙ୍କ ପରେ ସଂଗ୍ରାମ ହେଉଛନ୍ତି ବିଶ୍ୱରେ ତୃତୀୟ ଏଭଳି ବ୍ୟକ୍ତିତ୍ବ।
୨୦୧୪ ମସିହା ଡିସେମ୍ବର ମାସରୁ ସଂଗ୍ରାମ ଓଡ଼ିଆ ଓ୍ଵିକିପିଡିଆ ପାଇଁ ଲେଖିବା ଆରମ୍ଭ କରିଥିଲେ। ପ୍ରଥମେ ସେ ଓଡ଼ିଆ ସଂସ୍କୃତି ଓ ଚଳଚ୍ଚିତ୍ର ଦୁନିଆ ଉପରେ ଲେଖା ଆରମ୍ଭ କରି ପରେ ସେ ବିଭିନ୍ନ ବିଷୟବସ୍ତୁ ଉପରେ ଉପସ୍ଥାପନା ଜାରି ରଖିଥିଲେ।
ଓଡ଼ିଆ ସଂସ୍କୃତି ଓ ପାରମ୍ପରିକ ଉତ୍ସବର ଆକର୍ଷଣୀୟ ଫଟୋ ଅପ୍ଲୋଡ କରି ୨୦୧୯ ମସିହାରେ ଅନୁଷ୍ଠିତ ‘ଓ୍ଵିକି ଲଭ୍ସ ଲଭ୍’ ଶୀର୍ଷକ ଏକ ବିଶ୍ୱସ୍ତରୀୟ ଫଟୋଗ୍ରାଫି ପ୍ରତିଯୋଗିତାରେ ଭାରତରେ ତୃତୀୟ ଓ ସାରା ବିଶ୍ୱରେ ଷଷ୍ଠ ସ୍ଥାନ ଅଧିକାର କରିଥିଲେ ସଂଗ୍ରାମ।
ସେ ଓଡ଼ିଶାର ପ୍ରଥମ ଇ-ମାଗାଜିନ୍ ‘ଶୁଭପଲ୍ଲବ’ ପ୍ରକାଶ କରିଥିଲେ। ଏହି ପତ୍ରିକାର ସଂପାଦନା ଦାୟିତ୍ୱରେ ରହି ପରବର୍ତ୍ତୀ ସମୟରେ ସେ ଏହି ପତ୍ରିକାକୁ ଇଂରାଜୀ, ବଙ୍ଗଳା ଓ ସଂସ୍କୃତ ଭାଷାରେ ପ୍ରକାଶ କରିଥିଲେ।