ସମ୍ବଲପୁର : କିଡ୍ନି ରୋଗ ରୋଗ ନିରାକରଣ କ୍ଷେତ୍ରରେ ଅନ୍ତର୍ଜାତୀୟସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଆମେରିକାରେ ରହୁଥିବା ଓଡ଼ିଆ ବାଳକ କପିଳ ପଣ୍ଡା। କିଡ୍ନି ରୋଗରେ ପୀଡ଼ିତ ହୋଇଥିବା ନିଜର ଆଈମା’ଙ୍କୁ ହରାଇବା ପରେ ସେ ଏହି ଅଭିଯାନ ଆରମ୍ଭ କରିଥିଲେ। ସ୍ବଳ୍ପ ବୟସରେ ତାଙ୍କର ଏହି ଉଦ୍ୟମକୁ ଆମେରିକାର ବିଭିନ୍ନ ମହଲରେ ବି ଉଚ୍ଚ ପ୍ରଶଂସା କରାଯାଇଛି।
କପିଳଙ୍କ ଆଈ ଶାନ୍ତିମୟୀ ଆଚାର୍ଯ୍ୟ ଆଇଡିସି (ବରଗଡ଼ ସିମେଣ୍ଟ)ର ଉପମହାପ୍ରବନ୍ଧକ ଥିଲେ। କିନ୍ତୁ, କିଡ୍ନି ରୋଗରେ ଆକ୍ରାନ୍ତ ହେବାଯୋଗୁ ତାଙ୍କୁ ପ୍ରାଣ ହରାଇବାକୁ ପଡ଼ିଥିଲା। କୋମଳମତି କପିଳ ନିଜ ଆଈଙ୍କୁ ଏତେ ମାତ୍ରାରେ ଭଲପାଉଥିଲେ ଯେ ଏହି ମୃତ୍ୟୁ ଘଟଣା ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ଶେଷରେ, କିଡ୍ନି ରୋଗର ନିରାକରଣ ପାଇଁ ସେ କଅଁଳ ବୟସରେ ନିଜ ସ୍ତରରେ ଉଦ୍ୟମ ଆରମ୍ଭ କରିଥିଲେ।
ସୂଚନା ଅନୁସାରେ, ସେ ସ୍କୁଲ୍ରେ ପାଠପଢ଼ିବା ସହ କିଡ୍ନି ସମ୍ପର୍କିତ ବିଭିନ୍ନ ସ୍ବାସ୍ଥ୍ୟ ଶିବିରରେ କାର୍ଯ୍ୟ ଆରମ୍ଭ କରିବା ସହ ରୋଗୀମାନଙ୍କୁ ସହାୟତା ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ। ଟେକ୍ସାସ୍ ପ୍ରଦେଶର ସିନେଟ୍ରେ କିଡ୍ନି ନୀତି ଓ ଗବେଷଣା ଉପରେ ବକ୍ତବ୍ୟ ରଖିବା ତଥା ଆଲୋଚନା କରିବା ପାଇଁ ତାଙ୍କୁ ନିମନ୍ତ୍ରିତ କରାଯାଇଥିଲା। ନିକଟରେ ଆମେରିକାର ଜାତୀୟ କିଡ୍ନି ପ୍ରତିଷ୍ଠାନ ପକ୍ଷରୁ କପିଳଙ୍କ ଉପରେ ଏକ ଆଲେଖ୍ୟ ପ୍ରକାଶ ପାଇଛି।
କପିଳ ଅଧ୍ୟୟନରୁ ଜାଣିବାକୁ ପାଇଥିଲେ ଯେ, ଆମେରିକାରେ ରହୁଥିବା ଏସୀୟ ବଂଶୋଦ୍ଭବଙ୍କ କ୍ଷେତ୍ରରେ ମଧୁମେହ ଓ ଉଚ୍ଚରକ୍ତଚାପ ଏକ ସାଧାରଣ ସମସ୍ୟା । ଏହି କାରଣରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ କିଡ୍ନି ଆକ୍ରାନ୍ତ ହେଉଛନ୍ତି। କପିଳ ସମସ୍ତଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ପ୍ରବର୍ତ୍ତାଇବା ସହିତ ଏଥିପାଇଁ ବିଶେଷ ଭୂମିକା ଗ୍ରହଣ କରୁଛନ୍ତି। କପିଳ ମଧ୍ୟ ବଂଶାନୁକ୍ରମିକ କିଡ୍ନି ରୋଗ ଉପରେ ଗବେଷଣାକୁ ନିଜ କ୍ୟାରିୟର୍ କରିବାକୁ ଲକ୍ଷ୍ୟ ରଖିଛନ୍ତି।
କପଳିଙ୍କ ବୟସ ଏବେ ୧୫ ବର୍ଷ। ଟେକ୍ସାସ୍ ପ୍ରଦେଶର ଡଲାସ୍ରେ ନିଜ ପିତାମାତାଙ୍କ ସହ ରହୁଥିବା କପିଳ ନ୍ୟୁମ୍ୟାନ୍ ସ୍ମିଥ୍ ହାଇସ୍କୁଲ୍ କରୋଲ୍ଟନ୍ର ଛାତ୍ର। ସେ ଭୁବନେଶ୍ବର ଆଚାର୍ଯ୍ୟ ବିହାରର ପ୍ରମୋଦ ଆଚାର୍ଯ୍ୟ ଏବଂ ଶାନ୍ତିମୟୀ ଆଚାର୍ଯ୍ୟଙ୍କ ନାତି। ତାଙ୍କ ପିତାମାତା ଦେବାଶିଷ ପଣ୍ଡା ଏବଂ ରେଖା ଆଚାର୍ଯ୍ୟ ଉଭୟ ଆମେରିକାରେ କାର୍ଯ୍ୟରତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/sambal.jpg)
