ସୁଦୀପ୍ତ ଷଡ଼ଙ୍ଗୀ
ବ୍ରହ୍ମପୁର: ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳି ସାରିଛି। ସରକାରୀ ଭାଷା ଭାବେ ବ୍ୟବହାର ହେଉଛି ଓଡ଼ିଆ। ତଥାପି ଗଞ୍ଜାମ-ଆନ୍ଧ୍ର ସୀମାନ୍ତରେ ରହୁଥିବା ଲୋକମାନେ ଓଡ଼ିଆ କହିବାକୁ ପସନ୍ଦ କରୁ ନାହାନ୍ତି। ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି ଓ ରଂଗେଇଲୁଣ୍ଡା ବ୍ଲକ୍‌ର ବହୁ ଅଞ୍ଚଳ ଆନ୍ଧ୍ର ଦ୍ବାରା ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ଓଡ଼ିଶାରେ ରହୁଥିଲେ ସୁଦ୍ଧା ସେଠାକାର ବାସିନ୍ଦା ଓଡ଼ିଆ କହୁ ନାହାନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଗ୍ରହଣୀୟ ହୋଇପାରୁ ନାହିଁ। ଓଡ଼ିଶାରେ ଜନ୍ମ ହୋଇଥିଲେ ମଧ୍ୟ ଓଡ଼ିଆ ଭାଷାକୁ ମାତୃଭାଷା ଭାବେ ଗ୍ରହଣ କରିବାକୁ କୁଣ୍ଠାବୋଧ କରୁଛନ୍ତି। ଏହି ତିନିଟି ବ୍ଲକ୍‌ର ଏକାଧିକ ଗାଁ ଉପରେ ଆନ୍ଧ୍ରର ଦବ୍‌ଦବା ରହିଥିବାରୁ ସେଠାକାର ପିଲା ସ୍କୁଲରେ ଓଡ଼ିଆ ବଦଳରେ ତେଲୁଗୁ ପଢ଼ିବାକୁ ପସନ୍ଦ କରୁଛନ୍ତି।

Advertisment

ଗଞ୍ଜାମ ସୀମାନ୍ତରେ ଆନ୍ଧ୍ର ଦବ୍‌ଦବା
ଓଡ଼ିଆରେ କହିଲେ ୮୦%ଙ୍କ ପାଟି ଲାଗୁଛି

ଆନ୍ଧ୍ର ସୀମାନ୍ତ ଗାଁରେ ଓଡ଼ିଆ ଭାଷା ପ୍ରତି ଲୋକଙ୍କ ଆନ୍ତରିକତା ଦେଖିବାକୁ ମିଳୁ ନାହିଁ। ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଚିକିଟି ଓ ରଂଗେଇଲୁଣ୍ଡା ବ୍ଲକ୍‌ ଅଧୀନରେ ଏମିତି ବହୁ ଗାଁ ଅଛି, ଯେଉଁଠି ଲୋକେ ଓଡ଼ିଆ ଲେଖିପଢ଼ି ଜାଣୁ ନାହାନ୍ତି। ଓଡ଼ିଆ ଭାଷା କହିଲେ ପ୍ରାୟ ୮୦ ପ୍ରତିଶତ ଲୋକଙ୍କ ପାଟି ଲାଗି ଯାଉଛି। ଚିକିଟି ବ୍ଲକ୍‌ର ଗିରିସୋଲା, ରମ୍ପା, ଦେଉଳମାଦିଲି, ସୁନାପୁର, ଅନ୍ତରାୟପୁର, ରାମେୟାପାଟଣା, କୋଟଲିଙ୍ଗ, ଝାଟିପଦର ଭଳି ଗ୍ରାମରେ ଅଧିକାଂଶ ଲୋକ ଓଡ଼ିଆ ଭାଷା ଜାଣନ୍ତି ନାହିଁ। ସେଠାକାର ବହୁ ପିଲା ଇଚ୍ଛାପୁରସ୍ଥିତ ତେଲୁଗୁ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଛନ୍ତି। ପାତ୍ରପୁର ବ୍ଲକ୍‌ର ଜୟନ୍ତୀପୁର, ଚିଡ଼ିପୁଡ଼ି, ଗୁଡ଼ିପଦର, ବଳରାମପୁର, କେଶରୀପଡ଼ା, ତୁଟିପୁର, ଶରଧାପୁର, ଖାଡ଼ଙ୍ଗାରାଜେନ୍ଦ୍ରପୁର, ଭେଜିପଦର ଏବଂ ବି.ନୂଆଗାଁ ପଞ୍ଚାୟତର ଜୟପୁର ଗାଁରେ ରହୁଥିବା ଅଧିକାଂଶ ଗ୍ରାମବାସୀ ମଧ୍ୟ ତେଲୁଗୁରେ କଥାବାର୍ତ୍ତା ହୋଇଥାନ୍ତି। ଅଧିକାଂଶ ଲୋକ ବିଭିନ୍ନ କାମ ପାଇଁ ଓଡ଼ିଶା ବଦଳରେ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି। ଏଣୁ ସେମାନେ ଓଡ଼ିଆ ଭାଷା ଶିଖିବା କି ପଢ଼ିବା ପାଇଁ ସେତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଗାଁର ନାଁ ମଧ୍ୟ ଓଡ଼ିଆରେ ଉଚ୍ଚାରଣ କରିପାରୁ ନାହାନ୍ତି। ପରିସ୍ଥିତି ଏମିତି ହୋଇଛି ଯେ, ଓଡ଼ିଆ ଅଧିକାରୀ ସେହି ଗାଁକୁ ଗଲେ ଗ୍ରାମବାସୀ ତାଙ୍କ ସହିତ କଥା ମଧ୍ୟ ହୋଇପାରୁ ନାହାନ୍ତି। ସେହିପରି ନିର୍ବାଚନ ସମୟରେ ସ୍ଥାନୀୟ ନେତାମାନେ ତେଲୁଗୁ ଭାଷାରେ ପୋଷ୍ଟର୍‌, ବ୍ୟାନର୍‌ ଲଗାଇ ତାଙ୍କର ପ୍ରଚାର କରୁଥିବା ଦେଖିବାକୁ ମିଳିଥାଏ। ରଂଗେଇଲୁଣ୍ଡା ବ୍ଲକ୍‌ର ମାର୍କଣ୍ଡି, ତୁଳୁ, ଇନ୍ଦ୍ରାକ୍ଷୀ, ଗାରାମ୍‌ପେଟା, କମଳାପୁର, ବକ୍ସିପଲ୍ଲୀ, ନୂଆଗୋଳାବନ୍ଧ ପ୍ରଭୃତି ଗାଁରେ ମଧ୍ୟ ଅଧିକାଂଶ ତେଲୁଗୁ କହୁଥିବା ଲୋକ ରହୁଛନ୍ତି। ଓଡ଼ିଶା ସୀମାନ୍ତରେ ଆନ୍ଧ୍ରର ଶ୍ରୀକାକୁଲମ୍‌ ଜିଲ୍ଲା ରହିଛି। ଏହା ଅଧୀନରେ ଗଞ୍ଜାମ ସୀମାକୁ ଲାଗି ଇଚ୍ଛାପୁରମ୍‌, ସୋମପେଟା, ମଞ୍ଜୁସା, କାବିଟି, କାଞ୍ଚିଲି ମଣ୍ଡଳ ରହିଛି। କିନ୍ତୁ ସେଠାରେ ଓଡ଼ିଆ ଭାଷା, ସଂସ୍କୃତିର ସେଭଳି ପ୍ରଚଳନ ନାହିଁ।

ଗଞ୍ଜାମ ଜିଲ୍ଲାରେ ରହୁଥିବା ତେଲୁଗୁ ପିଲାଙ୍କ ପାଠପଢ଼ା ପାଇଁ ଓଡ଼ିଶା ସରକାର ଓଡ଼ିଆ ସ୍କୁଲରେ ସୁବିଧା କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ଏଭଳି ୭ଟି ସ୍କୁଲ ରହିଛି। ଓଡ଼ିଆ ପିଲା ମାତୃଭାଷା ଓଡ଼ିଆରେ ପଢ଼ୁଥିବା ବେଳେ ତେଲୁଗୁ ପିଲା ତେଲୁଗୁ ଭାଷାରେ ପଢ଼ୁଛନ୍ତି। ପାତ୍ରପୁର ବ୍ଲକ୍‌ର ଖମ୍ଭାରିଗାଁ, କେଶରୀପଡ଼ା, ଚିକିଟି ବ୍ଲକ୍‌ର ସୁନାପୁର, ଗିରିସୋଲା, ରମ୍ଭା ଓ ଝାଡ଼ିପଦର ହାଇସ୍କୁଲରେ ତେଲୁଗୁ ଭାଷା ପଢ଼ିବା ପାଇଁ ସୁବିଧା କରାଯାଇଛି। ସେହିପରି ଏହି ୩ଟି ବ୍ଲକ୍‌ରେ ୩୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ପିଲାମାନେ ତେଲୁଗୁ ବିଷୟ ପଢ଼ିବାର ସୁଯୋଗ ପାଉଛନ୍ତି। ନିଜ ମାତୃଭାଷାରେ ପଢ଼ିବାର ସୁଯୋଗ ରହିଥିଲେ ସୁଦ୍ଧା ଅଧିକାଂଶ ପିଲା ପଡ଼ୋଶୀ ଆନ୍ଧ୍ରର ସ୍କୁଲ ଯିବାକୁ ପସନ୍ଦ କରୁଛନ୍ତି। ସେମାନେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ଭୁଲି ଗଲେଣି।