ପୁରୀ: ‘ରୁପେଲି ପରଦାରେ ଓଡ଼ିଆ କଥାଚିତ୍ର’; ୮୯ ବର୍ଷ ତଳେ ଏ ପରିକଳ୍ପନା କୌଣସି ବିସ୍ମୟଠାରୁ କମ୍ ନଥିଲା। କିନ୍ତୁ ଏହାକୁ ସାକାର ରୂପ ଦେଇଥିଲେ ସେତେବେଳର ରାସ ମାଷ୍ଟ୍ରେ ମୋହନସୁନ୍ଦର ଦେବଗୋସ୍ବାମୀ। ଐତିହ୍ୟ ମାଟି ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ଇତିହାସର ଯାତ୍ରା। କିନ୍ତୁ ପାଖରେ ଅର୍ଥ ନଥିଲା। ମୋହନ ଗୋସେଇଁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା କଥା ଶୁଣି ଅନେକ ଟାହିଟାପରା କଲେ। କିନ୍ତୁ ନିଷ୍ପତ୍ତିରେ ଅଟଳ ଥିଲେ ଗୋସେଇଁ। ମରିଚିକୋଟରେ ଥିବା ଜମି ବିକିଦେଲେ। ଚଳଚ୍ଚିତ୍ର ନିର୍ମାଣ କରି ନିନ୍ଦୁକଙ୍କ ମୁହଁ ବନ୍ଦ କରିଦେଲେ। ୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ପୁରୀ ମାଟିରେ ଲକ୍ଷ୍ମୀ ଟକିଜ୍ ସିନେମା ହଲ୍ରେ ‘ସୀତା ବିବାହ’ ମୁକ୍ତିଲାଭ କଲା। ସେ ଓଡ଼ିଆ ଚଳଚ୍ଚିତ୍ରର ଜନକ ପାଲଟିଗଲେ। ଅଥଚ ଏହାର ପ୍ରିଣ୍ଟ ମଧ୍ୟ ସଂରକ୍ଷିତ ରଖାଯାଇପାରିଲା ନାହିଁ। ଯେଉଁ ଲକ୍ଷ୍ମୀ ଟକିଜ୍ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା, ସେ ପ୍ରେକ୍ଷାଳୟ ବି କାଳର କରାଳ ଗତିରେ ମୁହଁ ମାଡ଼ି ପଡ଼ିବା ପରେ କେହି ହାତ ବଢ଼େଇ ଉଠାଇବାକୁ ଆଗେଇ ଆସିଲେ ନାହିଁ।
‘ସୀତା ବିବାହ’ ଚଳଚ୍ଚିତ୍ର ୧୨ ରିଲ୍ ବିଶିଷ୍ଟ ଥିଲା। ଏଥିପାଇଁ ମୋଟ ୨୯ ହଜାର ୭୮୧ ଟଙ୍କା ଦଶ ଅଣା ଖର୍ଚ୍ଚ ହୋଇଥିଲା। ରାମ ଭୂମିକାରେ ଅଭିନୟ ପାଇଁ ମାଖନଲାଲ ବାନାର୍ଜୀ ୧୨୦ ଟଙ୍କା ପାଉଣା ବାବଦରେ ନେଇଥିଲେ। ସୀତା ଭୂମିକାରେ ଅଭିନୟ ପାଇଁ ପ୍ରଭାବତୀ ଦେବୀ ନେଇଥିଲେ ୧୫୦ ଟଙ୍କା। ଲକ୍ଷ୍ମଣ ଭୂମିକାରେ ଅଭିନୟ ପାଇଁ ଅଦ୍ୱୈତ ମହାନ୍ତି ୩୫ ଟଙ୍କା ନେଇଥିଲେ। କିଛି କଳାକାର କେବଳ ଯିବାଆସିବା ଖର୍ଚ୍ଚ ବାବଦ ପାରିଶ୍ରମିକ ନେଇଥିଲେ। ମୋହନ ଗୋସେଇଁଙ୍କ ନାତି ତଥା ଗୋଆ ଇଂଜିନିୟରିଂ କଲେଜର ପୂର୍ବତନ ପ୍ରାଧ୍ୟାପକ ନଟରାଜ ଦେବଗୋସ୍ବାମୀ ଜୀବିତ ଥିବା ଅବସ୍ଥାରେ ମିଳିଥିବା ସୂଚନା ମୁତାବକ, ଏହି ଚଳଚ୍ଚିତ୍ର ପାଇଁ ମରିଚିକୋଟସ୍ଥିତ ଜମି ବିକ୍ରି ହୋଇଥିଲା, ଯାହାକୁ ସେ ପୁନଃ କ୍ରୟ କରିଥିଲେ।
ଜମି ବିକିଥିଲେ ମୋହନ ଗୋସେଇଁ
ଏବେ ତାହା ଗୋସ୍ବାମୀ ଭବନ ଭାବେ ରହିଛି। ଜେଜେମା’ଙ୍କଠାରୁ ଶୁଣିଥିବା କଥା ଆଧାରରେ ସେ କହିଥିଲେ, ମୋହନ ଗୋସେଇଁ ଯେବେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆଗଭର ହେଲେ, ତାଙ୍କୁ ଅନେକ ଟାହିଟାପରା କଲେ। ସେସବୁକୁ ଭ୍ରୂକ୍ଷେପ ନକରି ସେ ଚଳଚ୍ଚିତ୍ର ନିର୍ମାଣ କଲେ। ଏହା ପରେ ଦ୍ବିତୀୟ ଚଳଚ୍ଚିତ୍ର ‘ଲଳିତା’ ନିର୍ମାଣ ପାଇଁ ୧୩ ବର୍ଷ ଲାଗି ଯାଇଥିଲା। ‘ସୀତା ବିବାହ’ର ରିଲ୍ସ ସଂରକ୍ଷିତ ନାହିଁ ବୋଲି ଦାବି ହେଉଥିବା ବେଳେ କଟକର ଜଣେ ବ୍ୟକ୍ତିଙ୍କ ନିକଟରେ ଏହାର ଏକ କପି ସଂରକ୍ଷିତ ଅଛି ବୋଲି ସେ ସୂଚାଇଥିଲେ। ଲକ୍ଷ୍ମୀ ଟକିଜ୍ରେ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେବା ଆଗରୁ କୋଲାକାତାର ବହୁ ବଜାରରେ ଏହା ପ୍ରଦର୍ଶିତ ହୋଇଥିଲା। ଲକ୍ଷ୍ମୀ ଟକିଜ୍ରେ ମୁକ୍ତିଲାଭ ପରେ ଏହି ପ୍ରଥମ କଥାକୁହା ଓଡ଼ିଆ ଛବି ଦୁଇମାସ ପରେ କଟକରେ ମୁକ୍ତିଲାଭ କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଯଥାଯଥ ଗବେଷଣା ହୋଇପାରିନାହିଁ।