ହଲ୍‌ରେ ତିଷ୍ଠିପାରୁନି ଓଡ଼ିଆ ସିନେମା

୯ ମାସରେ ରିଲିଜ୍‌ ହୋଇଛି ୨୦, ସବୁଥିରେ ଦର୍ଶକ-ପ୍ରଯୋଜକ ନିରାଶ

ଭୁବନେଶ୍ବର, (ଦେବାଶିଷ ପଣ୍ଡା): ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’। ଗତ ଫେବ୍ରୁଆରି ମାସରେ ରାଜ୍ୟର ୧୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ମାତ୍ର ୫ଦିନ ଚାଲିଲା ଓ ୫୦ ହଜାର ଟଙ୍କା ଆୟ କଲା। ଜୁନ୍‌ ମାସରେ ଆଉ ଗୋଟିଏ ଓଡ଼ିଆ ସିନେମା ‘ଗୁପଚୁପ୍‌’, ରାଜ୍ୟର ୩୩ଟି ହଲ୍‌​ରେ ମୁକ୍ତିଲାଭ କଲା। ଦ୍ବିତୀୟ ସପ୍ତାହ ବେଳକୁ ୧୨ଟି ହଲ୍‌କୁ ଖସି ଆସିଥିଲା। କିନ୍ତୁ ତୃତୀୟ ସପ୍ତାହ ବେଳକୁ ଆଉ କୌଣସି ହଲ୍‌ରେ ଏ ସିନେମାର ଦେଖା ନଥିଲା। ଖାଲି ଏହି ଦୁଇଟି ନୁହେଁ, ଗତ ୯ ମାସ ମଧ୍ୟରେ ରାଜ୍ୟରେ ୨୦ଟି ଓଡ଼ିଆ ସିନେମା ମୁକ୍ତିଲାଭ କରିଥିଲେ ହେଁ, ହାରାହାରି ହିସାବ ଅନୁଯାୟୀ, ହଲ୍‌ରେ ସପ୍ତାହକରୁ ଊର୍ଧ୍ବ କେହି ତିଷ୍ଠି ପାରିନାହାନ୍ତି। ଏମିତିକି, କେତେଗୁଡ଼ିଏ ସିନେମା କେବଳ ଭୁବନେଶ୍ବର-କଟକରେ ଥିବା ହଲ୍‌ରେ ହିଁ ଚାଲି ପାରିଛି। ଆଉ କେତେକ ସିନେମା ପାଇଁ ହଲ୍‌ ମାଲିକମାନେ ପ୍ରଯୋଜକମାନଙ୍କଠାରୁ ଅଗ୍ରିମ ସିଟ୍‌ର ସମସ୍ତ ଟଙ୍କା ନେଇ ଯାଇଥିଲେ ବୋଲି ଜଣାପଡ଼ିଛି। ସେହିପରି, କିଛି ପ୍ରଯୋଜକ କେବଳ ଗ୍ରାଣ୍ଡ ପ୍ରିମିୟର୍‌ ସୋ’କୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ସିନେମାର ନାୟକ, ନାୟିକା ଓ ତାଙ୍କ ପରିବାରବର୍ଗ ଏବଂ ପ୍ରଯୋଜକଙ୍କ ପରିଚିତ ଲୋକମାନଙ୍କ ଉପସ୍ଥିତିରେ ସୋ’କୁ ଚଲାଇଛନ୍ତି।

ଏହି ସମୟ ମଧ୍ୟରେ ବିଭିନ୍ନ ଘରୋଇ ଚ୍ୟାନେଲ ଓ ଓଟିଟି ପ୍ଲାଟଫର୍ମ​ରେ ଆଉ ୩୦ଟି ଓଡ଼ିଆ ସିନେମା ମୁକ୍ତିଲାଭ କରିଛି।ସେଗୁଡ଼ିକର ଅବସ୍ଥା ମଧ୍ୟ ତଦ୍ରୂପ। ପ୍ରଯୋଜକମାନେ ବାଧ୍ୟ ହୋଇ ଓଟିଟି ଓ ଘରୋଇ ଚ୍ୟା​ନେଲକୁ ଶାଗମାଛ ଦରରେ ନିଜ ସିନେମାର କପି-ରାଇଟ୍‌ ବିକି ଦେଇଛନ୍ତି। ଗତ ୯ ମାସର ଏହି ଚିତ୍ର ସ୍ପଷ୍ଟ ବୟାନ କରୁଛି ଓଡ଼ିଆ ସିନେମା ଶିଳ୍ପର ସ୍ଥିତି କେତେ ସାଂଘାତିକ। କରୋନା ମହାମାରୀ‌ର ଭୟାବହତା କମିବା ପରେ ସବୁ କ୍ଷେତ୍ରରେ କିଛି ନା କିଛି ଉନ୍ନତି ଆସିଲାଣି। ହେଲେ ଓଡ଼ିଆ ସିନେମା ଶିଳ୍ପ ଅଧୋଗତିର ଧାରାରୁ ମୁକୁଳି ପାରୁନି। ବଲିଉଡ୍‌କୁ ଟକ୍କର୍‌ ଦେଇ ଦକ୍ଷିଣ-ଭାରତୀୟ ସିନେ ଜଗତ ସଫଳତାର ଶୀର୍ଷ ଛୁଇଁବାକୁ ବସିଥିବା ବେଳେ ଓଡ଼ିଆ ସିନେଶିଳ୍ପ କିନ୍ତୁ ବୁଡ଼ିବାକୁ ବସିଲାଣି।

ଅତୀତରେ, ପୂଜା ପାର୍ବଣ ଯେପରିକି ରଜ, ଦଶହରା, ହୋଲି ଓ ଦୀପାବଳି ଭଳି ସମୟରେ ହଲ୍‌ରେ ନୂଆ ଓଡ଼ିଆ ସିନେମା ମୁକ୍ତିଲାଭ କରେ ଓ ଓଡ଼ିଆ ଦର୍ଶକ ତାହାକୁ ଦେଖନ୍ତି। ଦିନକୁ ଚାରିଟି ଲେଖାଏ ସୋ’ ହାଉସ୍‌ଫୁଲ୍‌ ହୋଇଯାଏ। ସେହି ଅନୁଯାୟୀ ଦେଖିବାକୁ ଗଲେ, ଆଗକୁ ଦଶହରା ଅବସରରେ ମୁକ୍ତିଲାଭ ଅପେକ୍ଷାରେ କିଛି ଓଡ଼ିଆ ଚଳଚ୍ଚିତ୍ର ଧାଡ଼ିରେ ଅଛନ୍ତି। ହେଲେ ବର୍ତ୍ତମାନ ସ୍ଥିତି ଯାହା, ଯଦି ସେ ଚଳଚ୍ଚିତ୍ରଗୁଡ଼ିକ ଦର୍ଶକୀୟ ଆଦୃତି ହାସଲ କରି ନପାରିବ, ତେବେ ଓଡ଼ିଆ ସିନେମା ଶିଳ୍ପ ବୁଡ଼ିଯିବା ନେଇ ସିନେ-ସମୀକ୍ଷକମାନେ ଆଶଙ୍କା ପ୍ରକାଶ କରିଛନ୍ତି।

livemint.com

ଦର୍ଶକ ଓଡ଼ିଆ ସିନେମା ନ ଦେଖିବା ପଛରେ ଅନେକଗୁଡ଼ିଏ କାରଣ ଅଛି ବୋଲି ସିନେ-ସମୀକ୍ଷକମାନେ ଯୁକ୍ତି ବାଢ଼ିଛନ୍ତି। ସେମାନଙ୍କ କହିବା କଥା, ପୂର୍ବ କାଳରେ ଓଡ଼ିଆ ସିନେମାର ମୌଳିକତା ରହୁଥିଲା। ଯଦିଓ ଗୋଟିଏ, ଦୁଇଟି ବାହାରୁ କପି ହେଉଥିଲା, ତାହା ଦର୍ଶକ ଠଉରାଇ ପାରୁ ନଥିଲେ। କାରଣ ଅନ୍ୟ ଭାଷାର ଚଳଚ୍ଚିତ୍ର ଲୋକେ ଦେଖିବାକୁ ପାଉ ନଥିଲେ କିମ୍ବା ସେଥିରେ ତାଙ୍କର ରୁଚି ମଧ୍ୟ ନଥିଲା। କିନ୍ତୁ ଏବେକା ଯୁବପିଢ଼ିଙ୍କ ପାଖରେ ମନୋରଂଜନର ମାଧ୍ୟମ ଅଧିକ। ଇଣ୍ଟରନେଟ୍‌ର ଦ୍ରୁତ ପ୍ରସାର ପରେ ସେମାନେ ଏବେ ଭାରତୀୟ ଭାଷାର ସିନେମା ବ୍ୟତୀତ ଇଂରାଜୀ, ରୁଷ୍‌, ଚୀନ୍‌, ଫ୍ରାନ୍ସ ଆଦି ରାଷ୍ଟ୍ରର ୱେବ୍‌ସିରିଜ୍‌ ଓ ଚଳଚ୍ଚିତ୍ର ଆରାମରେ ଦେଖିପାରୁଛନ୍ତି। ଯେଉଁ ସିନେମା ବା ୱେବ୍‌ସିରିଜ୍‌ର କାହାଣୀ ସେମାନଙ୍କୁ ଭଲ ଲାଗୁଛି, ସେଗୁଡ଼ିକର ଭାଷା ବୁଝି ନ ପାରିଲେ ବି ସବ୍‌-ଟାଇଟଲ୍‌ ଦେଖି ପୂରା ସିନେମା/ସିରିଜ୍‌ ଦେଖି ଦେଉଛନ୍ତି। ତେଣୁ ଅନ୍ୟ ଭାଷାରୁ କପି ହୋଇଥିବା ଓଡ଼ିଆ ସିନେମା ସେମାନଙ୍କ ମନକୁ ପାଉନି।

ଆଉ ଗୋଟିଏ କାରଣ ହେଲା, ପୁରୁଣା ଦର୍ଶକ ବି ସିନେମାରୁ ମୁହଁ ଫେରାଇବାକୁ ଲାଗିଲେଣି। ସେମାନଙ୍କ ଅଭିଯୋଗ ହେଲା, କପି ସିନେମା ହେଲେ ବି ଯଦି ସେଥିରେ କଳାକାରଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳନ୍ତା, ସେମାନେ ଦେଖନ୍ତେ। କିନ୍ତୁ ଏବେ ଓଡ଼ିଆ ସିନେ-ଜଗତରେ ଏକପ୍ରକାର କଳାକାର ମରୁଡ଼ି ଦେଖାଦେଲାଣି।

The Indian Express

​ସେହିପରି ଅନ୍ୟ ଏକ ବଡ଼ କାରଣ ହେଲା, ଓଡ଼ିଶାରେ ଥିବା ହଲ୍‌ଗୁଡ଼ିକର ମାଲିକମାନେ ଓଡ଼ିଆ ସିନେମାକୁ ନେଇ ଆଦୌ ଉତ୍ସାହିତ ନୁହନ୍ତି। ତାହାର କାରଣ ହେଲା, ବଲିଉଡ୍‌ ଓ ହଲିଉଡ୍‌ ସିନେମା​ର ଯେତେ ଲୋକପ୍ରିୟତା ରହୁଛି ବା ସେ ଚଳଚ୍ଚିତ୍ରଗୁଡ଼ିକରୁ ଯେତେ ଆୟ ହେଉଛି, ତାହା ଓଡ଼ିଆ ସିନେମା ଦେଇପାରୁନାହିଁ। ସିନେ ସମୀକ୍ଷକ ଦିଲ୍ଲୀପ ହାଲି କହିଛନ୍ତି, ମୌଳିକତା ବିହୀନ ଓଡ଼ିଆ ସିନେମା ହିଁ ଏହି ଶିଳ୍ପକୁ ଧ୍ବସାଂଭିମୁଖୀ କରିଛି। ଏବେ ଭଲ କାହାଣୀ ଏବଂ ସରକାରଙ୍କ ପକ୍ଷରୁ ପ୍ରଯୋଜକମାନଙ୍କୁ ପ୍ରୋତ୍ସାହନ ମିଳୁ, ତେବେ ଯାଇ ସିନେମା ଶିଳ୍ପ ବଞ୍ଚିପାରିବ।ସୂର୍ଯ୍ୟ ଦେଓ କହିଛନ୍ତି, ବର୍ତ୍ତମାନ ସମୟରେ ଓଡ଼ିଆ ସିନେମାରେ ମୌଳିକ କାହାଣୀ ଓ ଓଡ଼ିଆ ଉପାଦାନର ଅଭାବ ରହୁଛି। ଯାହା ଦର୍ଶକଙ୍କୁ ବିମୁଖ କରୁଛି। ଏସବୁ ଦିଗ ପ୍ରତି ଧ୍ୟାନ ଦେବା ସହ ମୌଳିକ ସିନେମା ପ୍ରସ୍ତୁତ ହେଲେ ହିଁ ଓଡ଼ିଆ ସିନେମା ଆଗାମୀ ଦିନରେ ତିଷ୍ଠିପାରିବ।

ସମ୍ବନ୍ଧିତ ଖବର