ଅଷ୍ଟ୍ରେଲିଆରେ କରୋନା ମୁକାବିଲା ପାଇଁ ଗୁରୁ ଦାୟିତ୍ବରେ ଓଡ଼ିଆ ଡାକ୍ତର

ବଲାଙ୍ଗୀରର ଡା. ଚିତ୍ତରଂଜନ ଯୋଶୀ ଭିମ୍‌ସାର୍‌ ଛାତ୍ର

ସମ୍ବଲପୁର : ଓଡ଼ିଆ ଡାକ୍ତର ଚିତ୍ତରଂଜନ ଯୋଶୀ ବର୍ତ୍ତମାନ ଅଷ୍ଟ୍ରେଲିଆରେ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ଗୁରୁ ଦାୟିତ୍ବରେ ଅଛନ୍ତି। ଆଡିଲେଡ୍‌ସ୍ଥିତ ଏକ ମହିଳା ଓ ଶିଶୁ ଡାକ୍ତରଖାନାରେ ଶିଶୁରୋଗ ବିଭାଗ ଆଇସିୟୁରେ ବରିଷ୍ଠ ପରାମର୍ଶଦାତାଭାବେ କାର୍ଯ୍ୟରତ ଡା. ଯୋଶୀ ବର୍ତ୍ତମାନ ପାଇଁ ସମଗ୍ର ଦକ୍ଷିଣ ଅଷ୍ଟ୍ରେଲିଆରେ କରୋନା ମହାମାରୀ ପ୍ରଭାବିତ ଶିଶୁ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାର ମୁଖ୍ୟଭାବେ ନିଯୁକ୍ତ ହୋଇଛନ୍ତି। ଶିଶୁ ଚିକିତ୍ସା କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ଓ ଦକ୍ଷତାକୁ ବିଚାରକୁ ନେଇ ଅଷ୍ଟ୍ରେଲିଆ ସରକାର ବଲାଙ୍ଗୀର ଜନ୍ମିତ ଡା. ଯୋଶୀଙ୍କୁ ଏହି ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି।

ଯେବେଠୁ କୋଭିଡ୍‌-୧୯ ବିଶ୍ବ ମହାମାରୀ ଘୋଷିତ ହେଲାଣି ସେବେଠୁ ଡା. ଯୋଶୀ ନିଜ ଓ ପରିବାର ପାଇଁ ଖୁବ କମ୍ ସମୟ ପାଇଛନ୍ତି। ସେ ଅବିଶ୍ରାନ୍ତଭାବେ ‌େ‌ଲାକଙ୍କୁ ଏହି ମହାମାରୀରୁ ରକ୍ଷା କରିବା ପାଇଁ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆରେ ୩୫୦ ଜଣ କୋଭିଡ୍-୧୯ ପଜିଟିଭ୍ ଜଣା ପଡ଼ିଥିବା ବେଳେ ତନ୍ମଧ୍ୟରୁ ୩୨ ଜଣ ଦକ୍ଷିଣ ଅଷ୍ଟ୍ରେଲିଆର। ଅଷ୍ଟ୍ରେଲିଆରେ ଥିବା ଓଡ଼ିଆ ବନ୍ଧୁମାନେ ଡା. ଯୋଶୀଙ୍କୁ ଫୋନ୍‌ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ପଚାରୁଛନ୍ତି। ଏହା ତାଙ୍କୁ ଆନନ୍ଦ ଦେବା ସହ କାମ କରିବା ପାଇଁ ଅଧିକ ଉତ୍ସାହିତ କରୁଛି ବୋଲି ଡା. ଯୋଶୀ କହିଛନ୍ତି। କରୋନା ଭାଇରସ୍‌କୁ ରୋକିବା ପାଇଁ ହାତ ପରିଷ୍କାର ରଖିବା ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ପରାମର୍ଶ ଦେଇ ଡା. ଯୋଶୀ କହିଛନ୍ତି ଯେ ସେ ନିଜ ପତ୍ନୀ ଓ ପିଲାମାନଙ୍କୁ ବାରମ୍ବାର ହାତ ଧୋଇ ସଫା ରହିବାକୁ ଉପଦେଶ ଦେଇଛନ୍ତି। ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ୍ କଲେଜ୍ (ବର୍ତ୍ତମାନର ଭିମସାର୍‌)ରୁ ଏମ୍‌ବିବିଏସ୍‌ ଓ ଏମ୍‌ସ ନୂଆଦିଲ୍ଲୀରୁ ପିଜି କରିଥିବା ଡା. ଯୋଶୀ ଉଚ୍ଚତର ଶିକ୍ଷା ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ ଓ ଗତ ୧୫ ବର୍ଷ ହେଲା ସେଠାରେ ଶିଶୁ ଚିକିତ୍ସକଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସାରା ବିଶ୍ବରେ ଯୁଦ୍ଧ ଭଳି ସ୍ଥିତି ହୋଇଥିଲେ ବି ସମସ୍ତେ ଏକଜୁଟ ହୋଇ ସବୁ ଶକ୍ତି ଖଟାଇ ମୁକାବିଲା କଲେ ଏହାକୁ ପରାହତ କରି ହେବ ବୋଲି ଡା. ଯୋଶୀ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର