ମାଲଦ୍ୱୀପରେ ଓଡ଼ିଆ ଡାକ୍ତରଙ୍କୁ ପ୍ରଶଂସା; କରୋନା ବିରୋଧରେ ସ˚ଗ୍ରାମ କରୁଛନ୍ତି

କଟକ : ଏବେ ସାରା ବିଶ୍ବକୁ ନିଜ କବଳରେ ରଖିଥିବା କୋଭିଡ-୧୯ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି। ଏହାର ଚିକିତ୍ସା ପାଇଁ ବର୍ତ୍ତମାନସୁଦ୍ଧା ଔଷଧ ଉପରେ ଗବେଷଣା ଚାଲିଥିଲାବେଳେ ଜଣେ ଓଡ଼ିଆ ଡାକ୍ତର ଏବେ କରୋନା ବିରୋଧରେ ସ˚ଗ୍ରାମ ଜାରି ରଖିଛନ୍ତି। ସୁଦୂର ମାଲଦ୍ବୀପରେ କଟକ ପୁଅ ରାଜୀବ କୁମାର ଦେ ଏବେ କରୋନା ପୀଡ଼ିତଙ୍କ ଚିକିତ୍ସା ଦାୟିତ୍ବ ନିଜ ମୁଣ୍ତକୁ ନେଇଛନ୍ତି। ନିଷ୍ଠାପର ସେବା ଯୋଗୁଁ ୩ ଜଣ କରୋନା ପୀଡ଼ିତଙ୍କୁ ଆରୋଗ୍ୟ କରିଥିବାରୁ ମାଲଦ୍ବୀପର ପୂର୍ବତନ ରାଷ୍ଟ୍ରପତି ମୌମୁନ ଅବଦୁଲ ଗୟୁମଙ୍କ ସହ ଅନେକ ନେତୃସ୍ଥାନୀୟ ବ୍ୟକ୍ତି ୪୦ ବର୍ଷୀୟ ରାଜୀବଙ୍କୁ ପ୍ରଶ˚ସା କରିଛନ୍ତି।

ମାଲଦ୍ବୀପରେ କରୋନା ପୀଡ଼ିତଙ୍କୁ ଏକ ସ୍ବତନ୍ତ୍ର ଦ୍ବୀପରେ ରଖାଯାଇ ଚିକିତ୍ସା କରାଯାଉଛି। ଏଥିପୂର୍ବରୁ ଉକ୍ତ ଦ୍ବୀପରୁ ଅନ୍ୟ ସୁସ୍ଥ ବ୍ୟକ୍ତିମାନଙ୍କୁ ଖାଲି କରାଯାଇଛି। ଏଠାରେ ସ୍ବତନ୍ତ୍ର ଡାକ୍ତରଖାନା ଖୋଲାଯାଇ ପାଖାପାଖି ୧୦ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ଡାକ୍ତର ରାଜୀବ କୁମାରଙ୍କ ନେତୃତ୍ବରେ ଡାକ୍ତରୀ ଦଳ ଏମାନଙ୍କ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି। ଡାକ୍ତର ରାଜୀବ କଟକ ଖଟବିନ ସାହିର ତରୁଣ କୁମାର ଦେ ଓ ଶାନ୍ତିଲତା ଦେଙ୍କ ବଡ଼ ପୁଅ। ଋଷିଆରେ ଏମ୍‌ବିବିଏସ୍‌ ପଢିବା ପରେ ବୁର୍ଲାରେ ହାଉସ ସର୍ଜନ ଓ ଲଣ୍ତନରେ ଏମ୍‌ଆର‌୍‌ସିପି କରିଥିଲେ। ଗତ ୧୦ବର୍ଷ ଧରି ମାଲଦ୍ବୀପର ଇନ୍ଦିରା ଗାନ୍ଧୀ ସ୍ମାରକୀ ଡ଼ାକ୍ତରଖାନାରେ ସେ ବରିଷ୍ଠ ଡାକ୍ତର ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କ ପତ୍ନୀ ସାନୁ ଦେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତରଭାବେ କାମ କରୁଛନ୍ତି। କରୋନା ଭଳି ମହାମାରୀରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଡାକ୍ତର ରାଜୀବଙ୍କ ଉପରେ ବର୍ତ୍ତମାନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ୍‌ ଭରସା କରିବା ସହ ତାଙ୍କୁ ଏହି ଚିକିତ୍ସା ଦଳର ନେତୃତ୍ବ ନେବାକୁ ଦାୟିତ୍ବ ଅର୍ପଣ କରିଛନ୍ତି।

ପୁଅର ଏଭଳି କାର୍ଯ୍ୟକୁ ନେଇ ଗର୍ବିତ ବୋଲି କହିଛନ୍ତି ବାପା ତରୁଣ। ସେ କହିଛନ୍ତି ଯେ, ଏଭଳି ମହାମାରୀରୁ ଲୋକଙ୍କୁ ଆରୋଗ୍ୟ କରିବା ଛୋଟ କଥା ନୁହେଁ। ରାଜୀବ ଭଳି ପୁଅକୁ ପାଇ ମୁଁ ଗର୍ବିତ। ଦୀର୍ଘ ବର୍ଷ ଧରି ଡାକ୍ତର ରାଜୀବ ଯେଉଁ ନିଷ୍ଠାପର ସେବା ଯୋଗାଇ ଆସୁଛନ୍ତି, ସେଥିପାଇଁ ଭଗବାନ ତାଙ୍କୁ ସହାୟ ହେଉଛନ୍ତି। ଭାରତ ବିଷେଶକରି ଓଡ଼ିଶାର ଲୋକମାନେ ସରକାରଙ୍କ ନୀତି ନିୟମକୁ ମାନି ଚଳିଲେ ଆମେ ମଧ୍ୟ କରୋନାର ମୁକାବିଲାରେ ସଫଳ ହୋଇପାରିବା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର