ଟିକା ନେବାପରେ କିଭଳି ଲାଗେ, ଅନୁଭୂତି ବଖାଣିଲେ ଓଡ଼ିଆ ଡାକ୍ତର

ଲଣ୍ଡନ/ଭୁବନେଶ୍ୱର: ଓଡ଼ିଶାର ୧୧୦ଟି ସ୍ଥାନରେ କୋଭିଡ ଟିକାର ଡ୍ରାଏ ରନ୍ ଚାଲିଛି | ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ମେଡିକାଲ କଲେଜ ସମେତ ୧୧ଟି ଘରୋଇ ହସ୍ପିଟାଲରେ ଚାଲିଛି ଏହି ଡ୍ରାଏ ରନ୍ । ଭାରତରେ ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଟିକା ନେବା ପରେ କିଭଳି ଅନୁଭବ ହୁଏ ତାହାକୁ ନେଇ ଏବେ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି | ତେବେ ବ୍ରିଟେନରେ ଫାଇଜର କୋଭିଡ ଟିକା ଦ୍ବାରା  ଟୀକାକରଣ କରାଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଦୁଇ ଥର ଟିକାର ଡୋଜ ଦିଆଯାଉଛି | ଆଉ ଫାଇଜର ଟିକା ନେବା ପରେ କିଭଳି ଅନୁଭବ ହୁଏ, କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ନା ନାହିଁ ସେ ବାବଦରେ ବିସ୍ତୃତ ଭାବେ କହିଛନ୍ତି ସେଠାରେ କାର୍ଯ୍ୟରତ ଓଡ଼ିଆ ଡାକ୍ତର ସହଦେଵ ସ୍ୱାଇଁ |


ବ୍ରିଟେନରେ ରହୁଥିବା ଏହି ବରିଷ୍ଠ ଚିକିତ୍ସକ ଏଯାଏଁ ଫାଇଜର ଟିକାର ଦୁଇଟି ଡୋଜ ନେଇସାରିଥିବା ବେଳେ ନିଜର ଅନୁଭୂତି ବଖାଣିଛନ୍ତି | ଡାକ୍ତର ସହଦେଵ ସ୍ୱାଇଁଙ୍କ କହିବା ମୁତାବକ ଫାଇଜର ଟିକା ନେବାର ପ୍ରଥମ ଡୋଜଠାରୁ ତିନି ସପ୍ତାହ ପରେ ତାଙ୍କୁ ଦ୍ଵିତୀୟ ଡୋଜ ଦିଆଯାଇଛି | ପ୍ରଥମ ଥର ଟିକା ନେବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା | ଦ୍ଵିତୀୟ ଥର କିନ୍ତୁ ଟିକା ନେବା ପରେ ଇଞ୍ଜେକ୍ସନ ନେବା ସ୍ଥାନରେ ସାମାନ୍ୟ ଯନ୍ତ୍ରଣା ହୋଇଥିଲା | କିନ୍ତୁ ତାଙ୍କର ଅନ୍ୟ ସହକର୍ମୀ ଟିକା ନେବା ପରେ ସେମାନଙ୍କଠାରେ ଜ୍ୱର ଭଳି ଲକ୍ଷଣ ଦେଖିବାକୁ ମିଳିଥିଲା | ଦେହ-ହାତ ଯନ୍ତ୍ରଣା ହେବା ସହ ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ଅସୁସ୍ଥ ଲାଗିଥିଲା | ତେବେ ଜ୍ୱର ଭଳି ଲକ୍ଷଣ ହେଉ କିମ୍ବା ଇଞ୍ଜେକ୍ସନ ନେବା ସ୍ଥାନ ସାମାନ୍ୟ ଦରଜ ହେବା ହେଉଛି କୋଭିଡ ଭ୍ୟାକସିନ ନେବାର ସାମାନ୍ୟ ପ୍ରତିକ୍ରିୟା | ଆଉ ଟିକା ନେବା ପରେ ବହୁତ କମ ଲୋକଙ୍କ ପାଖରେ ଆଲର୍ଜି ଦେଖାଦେଇପାରେ |

ମୋଟାମୋଟି ଭାବରେ ଟୀକାକରଣର ଲାଭ ପାର୍ଶ୍ୱ ପ୍ରତିକ୍ରିୟାଠାରୁ ବହୁତ ଊର୍ଦ୍ଧ୍ବରେ | ତେଣୁ ଯେଉଁ ଦେଶରେ ସରକାର ଟିକାକୁ ଅନୁମୋଦନ କରିଛନ୍ତି, ସମସ୍ତେ ଟିକା ନେବାକୁ ଆଗେଇଆସନ୍ତୁ | ଟିକାକୁ ନେଇ ଅନେକ ଭ୍ରାନ୍ତ ଧାରଣା ଲୋକଙ୍କ ପାଖରେ ଥିବାବେଳେ ଟିକା ନେବା ଦ୍ୱାରା କୌଣସି ଅସୁବିଧା ହେବ ନାହିଁ ବୋଲି ଏହି ବରିଷ୍ଠ ଡାକ୍ତର କହିଛନ୍ତି |

ସମ୍ବନ୍ଧିତ ଖବର