ପାତ୍ରପୁର: ଗଞ୍ଜାମ ଜିଲ୍ଲାର ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଲକ୍ ଗୁଡ଼ିପଦର ପଞ୍ଚାୟତ ଅଧୀନ ବଳରାମପୁର ଗ୍ରାମର କ୍ରିଷ୍ଣାୟା ଦାଦନ ଶ୍ରମିକ ଭାବେ କାମ କରନ୍ତି। ପତ୍ନୀ ପୂର୍ଣ୍ଣିମା ଗାଁ ଜମିରେ କାମ କରନ୍ତି।  ଏହି ଦଂପତି କେବେ ବିଦ୍ୟାଳୟ ପିଣ୍ଡା ମାଡ଼ିନାହାନ୍ତି। ହେଲେ ସେମାନଙ୍କ ୩ପୁଅଙ୍କୁ ଶିକ୍ଷିତ କରାଇଛନ୍ତି। ତିନି ପୁଅ ପ୍ରାଥମିକ ଶିକ୍ଷାଲାଭ କରିଥିଲେ ଗାଁ ସ୍କୁଲରେ। ହାଇସ୍କୁଲ ଓ ଉଚ୍ଚଶିକ୍ଷା ଆନ୍ଧ୍ରରେ ଶେଷ କରିଥିଲେ। ସମସ୍ୟା ଥିଲା ଏଠାରେ ତେଲୁଗୁ ଶିକ୍ଷକ ଅଭାବ। ଏହି କାରଣରୁ ଅନେକ ପିଲା ପ୍ରାଥମିକ ଶିକ୍ଷା ପରେ ପାଠପଢ଼ାରେ ଡୋରି ବାନ୍ଧୁଛନ୍ତି। କ୍ରିଷ୍ଣାୟା, ପୂର୍ଣ୍ଣିମା କିନ୍ତୁ ତିନି ପୁଅଙ୍କୁ ଉଚ୍ଚଶିକ୍ଷା ପାଇଁ ଏହି ପଦକ୍ଷେପ ନେଇଥିଲେ। ପାଠ ପଢ଼ାଇ ସେମାନଙ୍କୁ ଉଚ୍ଚଶିକ୍ଷିତ କରି ସମାଜରେ ଏକ ସୁନାଗରିକର ପରିଚୟ ଦେବା ଲାଗି ଏହି ଦମ୍ପତିଙ୍କ ପ୍ରୟାସ ଆଜି ଉକ୍ତ ଅଞ୍ଚଳରେ ସଭିଙ୍କ ପାଇଁ ପ୍ରେରଣାର ଉତ୍ସ। ବଡ଼ପୁଅ ବି.ତୁଳସୀ ଦାସ ଭାରତୀୟ ସେନାରେ ଚାକିରି କରୁଥିବା ବେଳେ କୌଣସି କାରଣରୁ ଗତବର୍ଷ ଜାନୁଆରି ମାସରେ ତାଙ୍କର ମୃତ୍ୟୁ ଘଟିଛି। ମଝିଆ ପୁଅ ତ୍ରିନାଥ ଏମ୍‌ଟେକ୍ ଡିଗ୍ରି ହାସଲ ପରେ ୱାରଙ୍ଗଲ୍‌ ଏନ୍‌ଆଇଟିରେ ଏମ୍‌ବିଏ ପଢ଼ୁଛନ୍ତି। ସାନପୁଅ ଭେଙ୍କଟେଶ ଆଇଆଇଟି ଖଡ଼ଗପୁରରେ ପଢ଼ିବା ପରେ ଗେଟ୍‌ ପ୍ରବେଶିକାରେ ପ୍ରଥମବର୍ଷ ସର୍ବଭାରତୀୟ ସ୍ତରରେ ୭୨୦ ନମ୍ବର, ଦ୍ୱିତୀୟବର୍ଷ ୧୨୭ ନମ୍ବର ଓ ଚଳିତବର୍ଷ ସର୍ବଭାରତୀୟ ସ୍ତରରେ ୮୬ ନମ୍ବର ରୢାଙ୍କ୍ ରଖି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

Advertisment

ତେବେ କେବଳ କ୍ରିଷ୍ଣାୟାଙ୍କ ପୁଅମାନେ ନୁହନ୍ତି, ଆଜି ବି ପାତ୍ରପୁର ବ୍ଲକ୍‌ ସୀମାନ୍ତ ପଞ୍ଚାୟତଗୁଡ଼ିକରୁ ଅନେକ ଛାତ୍ରଛାତ୍ରୀ ଉଚ୍ଚବିଦ୍ୟାଳୟ ଓ ଉଚ୍ଚଶିକ୍ଷା ପାଇଁ ଆନ୍ଧ୍ରକୁ ପଢ଼ିବାକୁ ଯାଉଛନ୍ତି। କ୍ରିଷ୍ଣାୟା ଓ ପୂର୍ଣ୍ଣିମାଙ୍କ ତିନି ପୁଅ ଯେଉଁ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷାଲାଭ କରିଥିଲେ ତାହା ଆଜି ତାଲା ପଡ଼ିଯାଇଛି। ଗୁଡ଼ିପଦର ପଞ୍ଚାୟତ ଦୁଇଟି ଗ୍ରାମକୁ ନେଇ ଗଠିତ ହୋଇଥିବା ବେଳେ ଉଭୟ ଗ୍ରାମରେ ଥିବା ବିଦ୍ୟାଳୟକୁ କମ୍ ଉପସ୍ଥାନ ଦେଖାଇ ବନ୍ଦ କରି ଦିଆଯାଇଛି।  

ସୀମାନ୍ତ ବିଦ୍ୟାଳୟ ତଥା ତେଲୁଗୁ ଭାଷାଭାଷୀ ଛାତ୍ରଛାତ୍ରୀଙ୍କୁ ତେଲୁଗୁ ଶିକ୍ଷକ ସହିତ ଓଡ଼ିଶା ସରକାର ନିୟମିତ ବହି ଯୋଗାଇ ଦେଉ ନଥିବାରୁ ପ୍ରତିବର୍ଷ ଶହ ଶହ ଛାତ୍ରଛାତ୍ରୀ ଆନ୍ଧ୍ର ବିଦ୍ୟାଳୟରେ ନାମ ଲେଖାଉଛନ୍ତି। ଏନେଇ ‘ସମ୍ବାଦ’ରେ ବହୁବାର ଖବର ପ୍ରକାଶିତ ହୋଇଥିଲେ ହେଁ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଚଳିତ ୨୦୨୫-୨୬ ଶିକ୍ଷାବର୍ଷରେ ବି ସମାନ ପରିସ୍ଥିତି ଉପୁଜିବା ଥୟ। ପାତ୍ରପୁର ଓ ଚିକିଟି ବ୍ଲକ୍ ସମେତ ଗଜପତି ଜିଲ୍ଲାର ବିଭିନ୍ନ ସୀମାନ୍ତ ଗ୍ରାମରେ ଏବେ ଓଡ଼ିଆ ଭାଷା ଓ ବିଦ୍ୟାଳୟ ପାଠପଢ଼ା ଲୋପ ପାଇ ଚାଲିଥିବା ବେଳେ ଲୋକେ ତେଲୁଗୁ ଭାଷା ପ୍ରତି ଆକର୍ଷିତ ହେଉଛନ୍ତି ଏବଂ ଆନ୍ଧ୍ର ଶିକ୍ଷାନୁଷ୍ଠାନକୁ ମୁହାଁଉଛନ୍ତି। ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଥିବା ରାଜ୍ୟ ସରକାର ସୀମାନ୍ତରେ ଓଡ଼ିଆ ଭାଷାର ସୁରକ୍ଷା ଦିଗରେ କିଭଳି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା।