ଖୋର୍ଦ୍ଧା : ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ହାସ୍ୟ ଅଭିନେତା, ଥିଏଟର୍‌ ନାଟ୍ୟ ନିର୍ଦ୍ଦେଶକ ପ୍ରେମାନନ୍ଦ ବାରିକଙ୍କର ଆଜି ସକାଳେ ଏକ ଟ୍ରେନ୍‌ ଦୁର୍ଘଟଣା‌ରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନାନୁସାରେ, ଶ୍ରୀ ବାରିକ ତାଙ୍କ ଶ୍ବଶୁର ଘର ନିରାକାରପୁର ଯାଇଥିଲେ। ସେଠାରୁ ଟ୍ରେନ୍‌ ଯୋଗେ ଫେରିବା ବେଳେ ତାପଙ୍ଗ ଷ୍ଟେସନ ନରଣଗଡ଼ ନିକଟରେ ଏହି ଅଘଟଣ ଘଟିଥିଲା। ସେ ଟ୍ରେନ୍‌ରୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତେବେ ଏନେଇ ଜଟଣୀ ଜିଆର୍‌ପି ଥାନା ଅଧିକାରୀ ସନ୍ତୋଷ କୁମାର ବାହିନୀପତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଶ୍ରୀ ବାରିକଙ୍କ ଟ୍ରେନ୍‌ ର୍ଘଟଣାରେ ମୃତ୍ୟୁ ଘଟିଛି। ମାତ୍ର କେଉଁ ପରିସ୍ଥିତିରେ ଓ କିଭଳି ଘଟିଲା, ତାହା ଅସ୍ପଷ୍ଟ। ତାଙ୍କ ମୃତଦେହକୁ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି। ପ୍ରେମାନନ୍ଦ ଖୋର୍ଦ୍ଧା ମୁଖ୍ୟ ଡାକଘରେ ଜଣେ କର୍ମଚାରୀ ଭାବେ କାମ କରୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା। ସେ ୧୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ହସ୍ୟ ଅଭିନେତା ଭାବେ କାମ କରିଛନ୍ତି। ଏହାସହ ଦୂରଦର୍ଶନ ଓ ଅନ୍ୟ ଘରୋଇ ଟେଲି ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ସେ ଜଣେ ଭଲ ଅଭିନେତା ସହ ବହୁ ଡ୍ରାମା, ନାଟକର ନିର୍ଦ୍ଦେଶକ, ସଂଳାପ ଲେଖକ ଭାବେ ଅଗଣିତ ଦର୍ଶକୀୟ ଭଲ ପାଇବା ସାଉଣ୍ଟିଥିଲେ।