ସ୍ୱର୍ଗଦ୍ଵାରରେ ଅଭିନେତ୍ରୀ ଅନିତାଙ୍କ ଶେଷକୃତ୍ୟ

ପୁରୀ : ବର୍ଷିୟାନ୍‌ ସିନେ କଳାକାର ତଥା ଅଭିନେତ୍ରୀ ଅନିତା ଦାସଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ଵାରଠାରେ ସଂପନ୍ନ ହୋଇଛି। ଶୋକସନ୍ତପ୍ତ ପରିବାର ଲୋକଙ୍କ ଉପସ୍ଥିତିରେ ପୁତୁରା ଅଂଶୁମାନ ଦାସ ମୁଖାଗ୍ନି ଦେଇଥିଲେ। ପୁରୀ ସ୍ୱର୍ଗଦ୍ଵାରଠାରେ ବହୁ ସିନେ କଳାକାର ସ୍ୱର୍ଗତା ଦାସଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଥିଲେ। ଶୁକ୍ରବାର ହୃଦ୍‌ଘାତରେ ଅନିତାଙ୍କ ଦେହାନ୍ତ ପରେ କଟକ ମିସନ୍‌ ରୋଡ୍‌ ବାସଭବନରେ ଓଲିଉଡ୍‌ ଜଗତର ବହୁ କଳାକାର ତାଙ୍କର ଶେଷ ଦର୍ଶନ କରିଥିଲେ। ସଂଧ୍ୟାରେ ମୃତ ଶରୀରକୁ ଜନ୍ମମାଟି ଯାଜପୁର ରୋଡ୍‌ ବୀଣାପାଣିସାହିସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ଶେଷ ଦର୍ଶନ ପରେ ଶନିବାର ଭୋର ୩ଟାରେ ମୃତଦେହ ପୁରୀ ସ୍ୱର୍ଗଦ୍ଵାରଠାରେ ପହଞ୍ଚି ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଅନ୍ତ୍ୟେଷ୍ଟିରେ ବିଧାୟକ ତଥା ଅଭିନେତା ଆକାଶ ଦାସ ମହାପାତ୍ରଙ୍କ ସମେତ ପରିବାର, ଆତ୍ମୀୟସ୍ୱଜନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର