ପୁରୀ: ଫେରୁଛି ଓଡ଼ିଆ ଚଳଚ୍ଚିତ୍ରର ପୁରୁଣା ଦିନ । ସେହି ସୁବର୍ଣ୍ଣ ସମୟ ଫେରି ଆସିବାକୁ ବୋଧ ହୁଏ ଆଉ କମ୍ ଦିନ ବାକି ଅଛି । କାରଣ ଓଡିଆ ସିନେମା ପ୍ରତି ପୁଣି ଦର୍ଶକଙ୍କର ବଢିଲାଣି ଆଗ୍ରହ । ନିଆରା କାହାଣୀ ଏବଂ ଓରଜିନାଲ କଣ୍ଟେଣ୍ଟକୁ ଦର୍ଶକ ପସନ୍ଦ କରୁଥିବା ବେଳେ ଦର୍ଶକଙ୍କ ରୁଚିକୁ ଦେଖି ଏବେ ଓଡିଶାରେ ନିର୍ମାଣ ହେଲାଣି ଖାଣ୍ଟି ଓଡିଆ ସିନେମା । ଯାହାର ବଡ଼ ଉଦାହରଣ ଏହି ରଜରେ ରିଲିଜ ହୋଇଥିବା ଦୁଇଟି ସିନେମା ବୋଉ ବୁଟୁ ଭୂତ ଏବଂ ଅନନ୍ତା । ଦୁଇଟି ସିନେମାକୁ ଲୋକେ ଏବେ ଭଲପାଇବା ଦେଉଛନ୍ତି ଯେ ସିନେମା ତ ଭଲ ରୋଜଗାର କରୁଛି ସେପଟେ ସିନେମା ଶିଳ୍ପ ମଧ୍ଯ ତାର ପୁରୁଣା ଗୌରବ ଫେରାଇ ଆଣିବାରେ ଉଦ୍ୟମ କରୁଛି ।
ଇତି ମଧ୍ୟରେ ସାରା ଓଡିଶାରେ ଏବଂ ଓଡିଶା ବାହାରେ ଚହଳ ସୃଷ୍ଟି କରିଥିବା ଓଡିଆ ସିନେମା ଅନନ୍ତା ଲୋକଙ୍କ ପସନ୍ଦ ପାଲଟିଛି । ଓଡ଼ିଆ ସାହିତ୍ୟର କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ପ୍ରସିଦ୍ଧ କାହାଣୀ ‘ରାଣ୍ଡୀପୁଅ ଅନନ୍ତା’ଉପରେ ଆଧାରିତ ଚଳଚ୍ଚିତ୍ର ‘ଅନନ୍ତା’ ସିନେମା ହଲରେ ଦର୍ଶକଙ୍କ ମନ ଜିଣୁଛି । ରଜ ଉପଲକ୍ଷେ ଶୁଭ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରକୁ ସିନେମାପ୍ରେମୀ ଏତେ ମାତ୍ରାରେ ପ୍ରଶଂସା କରୁଛନ୍ତି ଏବଂ ଭଲପାଇବା ଦେଉଛନ୍ତି ଯେ ଆଜି ଯାଏଁ ବି ସିନେମାର କ୍ରେଜ୍ କମୁନି ।
ଭାରତୀୟ ସିନେମାର ପ୍ରସିଦ୍ଧ ଚିତ୍ରନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ସବ୍ୟସାଚୀ ମିଶ୍ରଙ୍କ ଅଭିନିତ ‘ଅନନ୍ତା’ଦେଖିବା ପାଇଁ ସିନେମା ହଲରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳୁଥିବା ବେଳେ ପବିତ୍ର ରଥଯାତ୍ରା ଉପଲକ୍ଷେ ପୁରୀବାସୀଙ୍କୁ ଅନନ୍ତା ଦେଖିବାର ସୁଯୋଗ ମିଳିଛି । ଓଡ଼ିଆ ଦର୍ଶକଙ୍କୁ ସିନେମା ହଲକୁ ଫେରେଇ ଆଣି ଥିବା ଅନନ୍ତା ଏବେ ପୁରୀରେ ମାତିଛି । ପୁରୀ ଓ ଆଖାପାଖ ଅଞ୍ଚଳରୁ ଅନେକ ଲୋକଙ୍କ ଅନନ୍ତା ଦେଖିବା ପାଇଁ ଆସୁଛନ୍ତି ।
ପୂର୍ବରୁ ପୁଷ୍କରା ଭଳି ଏଥର ଅନନ୍ତାକୁ ମଧ୍ୟ ଟାଉନ୍ ହଲରେ ରିଲିଜ୍ ହୋଇଛି । ଆଉ ମହାପ୍ରଭୁଙ୍କ ଆଶୀର୍ବାଦ, ଦର୍ଶକଙ୍କ ଭଲପାଇବା ପାଇଁ ଏହି ଅଭିଯାନ ସଫଳତା ହୋଇଛି ବୋଲି ସବ୍ୟସାଚୀ ମିଶ୍ର କହିଛନ୍ତି । ତେବେ ପୁରୀରେ ଲୋକେ ପ୍ରବଳ ଭିଡ଼ ଲଗାଇ ଖାଣ୍ଟି ଓଡ଼ିଆ ସିନେମା ଦେଖିବାକୁ ଟାଉନ୍ ହଲ୍ ଆସୁଥିବା ବେଳେ ଦର୍ଶକଙ୍କ ଆଗ୍ରହ ହିଁ ଇସାରା ଦେଉଛି କି ଆଗାମୀ ଦିନରେ ପୁରୀରେ ଏକ ସିନେମା ହଲ ହେବାର ଆବଶ୍ୟକତା ରହିଛି ।