ଜୟପୁର: ସମ୍ମାନଜନକ କାନସ୍ ଚଳଚ୍ଚିତ୍ର ମହୋତ୍ସବରେ ସ୍କ୍ରିନିଂ ହେଲା ଓଡ଼ିଆ ଚଳଚ୍ଚିତ୍ର। ଡକ୍ୟୁମେଣ୍ଟାରି ବର୍ଗରେ ଜୟପୁର ସହରର ବିଶ୍ବନାଥ ରଥଙ୍କ ବୃତ୍ତଚ୍ଚିତ୍ର ‘ହବସପୁରୀ ୱେଭିଂ: ଦି ସେକେଣ୍ଡ୍ ଆଣ୍ଡ୍ ଲାଷ୍ଟ୍ ଡେଥ୍’ ପ୍ରଦର୍ଶିତ ହୋଇଛି। ଏହା ମହୋତ୍ସବରେ ପ୍ରଶଂସିତ ହେବା ସହ ବିଶ୍ବନାଥଙ୍କୁ ଶୁଭେଚ୍ଛା ଜଣାଯାଇଥିଲା।
ବିଏନ୍ଆର୍ ଫିଲ୍ମସ୍ ଦ୍ବାରା ଏହି ଚଳଚ୍ଚିତ୍ର ପ୍ରଯୋଜିତ ହୋଇଛି। ମରି ମରି ଯାଉଥିବା ହସ୍ତଶିଳ୍ପକୁ ନୂଆ ଜୀବନ ଦେବା ଉଦ୍ଦେଶ୍ୟରେ ଏହି ପ୍ରାମାଣିକ ଚଳଚ୍ଚିତ୍ରକୁ ବିଶ୍ବନାଥ ନିର୍ମାଣ କରିଛନ୍ତି। କଳାହାଣ୍ଡି ଜିଲ୍ଲାର ପାରମ୍ପରିକ ହସ୍ତଶିଳ୍ପ ତଥା ବୁଣାକାରଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ପର୍ଯ୍ୟବସିତ। ଏହା ପୂର୍ବରୁ ବି ବିଶ୍ବନାଥ କୋଟପାଡ଼ର ହସ୍ତତନ୍ତ ଏବଂ ବୁଣାକାରଙ୍କୁ ନେଇ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରି ଉଚ୍ଚ ପ୍ରଶଂସିତ ହୋଇସାରିଛନ୍ତି। ଓଡ଼ିଶାର ସମୃଦ୍ଧ କାରିଗର ଓ ଐତିହ୍ୟକୁ ସଂରକ୍ଷଣ କରିବା ତାଙ୍କ ମୂଳ ଉଦ୍ଦେଶ୍ୟ। ତେଣୁ ଏହି ଦିଗରେ ତାଙ୍କର ପ୍ରୟାସ ଜାରି ରହିଛି।
‘ହବସପୁରୀ ୱେଭିଂ: ଦି ସେକେଣ୍ଡ୍ ଆଣ୍ଡ୍ ଲାଷ୍ଟ୍ ଡେଥ୍’ ସିନେମାକୁ ନ୍ୟାସନାଲ ଫିଲ୍ମ ଡେଭଲପ୍ମେଣ୍ଟ କର୍ପୋରେସନ୍ (ଏନ୍ଏଫ୍ଡିସି) ବିଭିନ୍ନ ପର୍ଯ୍ୟାୟରେ ସ୍କ୍ରିନିଂ ସହ ଚୟନ କରି କାନସ୍ ଫିଲ୍ମ ଫେଷ୍ଟିଭାଲ୍ ନିମନ୍ତେ ମନୋନୀତ କରିଥିଲା। ମୟୂର ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଓଡ଼ିଶା ତଥା ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରାର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛି। କାନସ୍ ଭଳି ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ଓ ପ୍ରଶଂସିତ ହେବା ନିଶ୍ଚିତ ରୂପେ ଓଡ଼ିଶା ପାଇଁ ନୂଆ ମାଇଲ୍ ଖୁଣ୍ଟ। ବୁଣାକାରଙ୍କ ପରିଶ୍ରମକୁ ବିଦେଶରେ ମଧ୍ୟ ସ୍ବୀକୃତି ମିଳିବ ବୋଲି ବିଶ୍ବନାଥ କହିଛନ୍ତି।