ଭୁବନେଶ୍ବର: ଜଣେ ଡାକ୍ତରଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଅନ୍ଲାଇନ୍ ପାଇରେସି ହୋଇଥିବା ନେଇ ଅଭିଯୋଗ ଆସିଛି। କିଛି ୟୁଟ୍ୟୁବ୍ ଚ୍ୟାନେଲ୍ରେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟି ଅପଲୋଡ ହୋଇଛି। ଫିଲ୍ମ ହଲରେ ବେଆଇନ ସୁଟିଂ କରାଯାଇଥିବା ନେଇ ‘ଦମନ୍’ର ପ୍ରଯୋଜକ ଦୀପେନ୍ଦ୍ର ସାମଲ ସାଇବର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।
ଦାୟର ହୋଇଥିବା ଏଫଆଇଆର ଅନୁସାରେ ଜେପି ମୋସନ୍ ପିକ୍ଚର ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ପ୍ରଯୋଜକ ଦୀପେନ୍ଦ୍ର ସାମଲ ଅଭିଯୋଗ କରିଛନ୍ତି ଯେ, କିଛି ୟୁଟ୍ୟୁବ୍ ଚ୍ୟାନେଲରେ ତାଙ୍କର ଫିଲ୍ମକୁ ବେଆଇନ୍ ଭାବେ ଅପଲୋଡ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ସଂସ୍ଥାର ବିନା ଅନୁମତିରେ ଏହି ବେଆଇନ କାମ କରାଯାଇଛି। ଏହି ଚଳଚ୍ଚିତ୍ର ଗତକାଲି ରିଲିଜ ହୋଇଥିଲା ବେଳେ କିଛି ଦୁର୍ବୃତ୍ତ ଫିଲ୍ମ ହଲରେ ବେଆଇନ ଭାବେ ସୁଟିଂ କରି ଏଭଳି କରିଛନ୍ତି । ଫିଲ୍ମ ଅପଲୋଡ଼ କରିଥିବା ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ସାମଲ ଦାବି କରିଛନ୍ତି।
ସୂଚନାଯୋଗ୍ୟ, କରୋନା କାରଣରୁ ଗତ ଦୁଇ ବର୍ଷ ହେଲା ବଡ଼ ବଜେଟ୍ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସି ନ ଥିଲା ବେଳେ ଚଳଚ୍ଚିତ୍ର ‘ଦମନ’ ଶୁକ୍ରବାର ରିଲଜ ହୋଇଛି। ଏହି ଫିଲ୍ମ ରିଲିଜ ହେଲା ପରେ ଓଡ଼ିଆ ସିନେଶିଳ୍ପ ପୁଣି ଥରେ ବର୍ତ୍ତମାନ ପୁଣି ଚଳଚଞ୍ଚଳ ହୋଇଉଠିଛି। ଏହି ଚଳଚ୍ଚିତ୍ରରେ ଲୋକପ୍ରିୟ ଅଭିନେତା ବାବୁସାନ୍ ଅଭିନୟ କରିଛନ୍ତି। ଏଥିରେ ବାବୁସାନ୍ କମେଡି, ରୋମାଣ୍ଟିକ ଓ ଆକ୍ସନ ଛାଡି ବାସ୍ତବବାଦୀ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି, ଯେଉଁଥିରେ କି ଜଣେ ଯୁବ ଡାକ୍ତରଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି। ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି ତାହା ଏଥିରେ ପ୍ରଦର୍ଶିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/09243532-944e-4bf6-be30-6401e31e747f.jpg)