ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖ ଟ୍ରେନ୍ ଦୁର୍ଘଟଣା ନେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣା ପାଇଁ ତାଙ୍କ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ’ଲଭ୍ ଇନ୍ ଲଣ୍ଡନ’ର ରିଲିଜ ତାରିଖ ପରିବର୍ତ୍ତନ କରିବାକୁ ପ୍ରଯୋଜକଙ୍କୁ ଅନୁରୋଧ କରିଛନ୍ତି ସେ। ଏବେ ଏହି ଫିଲ୍ମ ୯ ବଦଳରେ ଆସନ୍ତା ୧୩ ତାରିଖରେ ସିନେମା ହଲରେ ପ୍ରଦର୍ଶିତ ହେବ। ଅର୍ଥାତ ପହିଲି ରଜ ପୂର୍ବରୁ ଚଳଚ୍ଚିତ୍ରଟି ବଡ଼ ପରଦାରେ ମୁକ୍ତିଲାଭ କରିବ।
ସେ କହିଛନ୍ତି ଓଡ଼ିଶା ଇତିହାସରେ ଏତେବଡ଼ ରେଳ ଦୁର୍ଘଟଣା ପ୍ରଥମ ଥର ପାଇଁ ହୋଇଛି। ତେଣୁ ଏଥିରେ ମୃତାହତଙ୍କ ପ୍ରତି ଆମର ଗଭୀର ସମବେଦନା ଓ ସମ୍ମାନ ରହିଛି। ସେମାନଙ୍କର ଏହି ଅସମୟରେ ଆମେ ମଧ୍ୟ ସମଦୁଃଖୀ। ଏହି ସମୟ ଉତ୍ସବ ମନାଇବାର ନୁହେଁ ବୋଲି ମୁଁ ଅନୁଭବ କରୁଛି। ତେଣୁ ଆସନ୍ତା ଜୁନ୍ ୯ ତାରିଖରେ ରିଲିଜ ହେବାକୁ ଥିବା ଓଡ଼ିଆ ସିନେମା ‘ଲଭ୍ ଇନ୍ ଲଣ୍ଡନ’କୁ ଆମେ ଜୁନ୍ ୧୩ ତାରିଖରେ ରିଲିଜ କରିବାକୁ ନିବେଦନ କରୁଛି।
ଅନୁଭବ ମହାନ୍ତି କହିଛନ୍ତି ଯେ, ଏହି ସିନେମା ଅତ୍ୟନ୍ତ ଉଚ୍ଚକୋଟୀର ଓ ମୁଁ ଏଥିରେ ଅଭିନୟ କରି ବେଶ୍ ଖୁସି ଅଛି। ଦୀର୍ଘ ୫ ବର୍ଷ ପରେ ମୁଁ ସିନେମାକୁ ଫେରୁଛି। ସିନେମା ମୁକ୍ତିଲାଭ ପରେ ବହୁ ଦର୍ଶକୀୟ ଆଦୃତି ମିଳିବ ବୋଲି ଆମେ ସମସ୍ତେ ଆଶା ରଖିଛେ। ଜୁନ୍ ୯ ବଦଳରେ ୧୩ ତାରିଖରେ ସିନେମା ରିଜିଜ୍ ହେଲେ ଆମ ପ୍ରିୟ ଦର୍ଶକମାନେ ସେତିକି ଭଲ ପାଇବା ଦେବେ ବୋଲି ମଧ୍ୟ ଦୃଢ଼ ଆଶାବାଦୀ। ତେଣୁ ସିନେମା ମୁକ୍ତିଲାଭ ପାଇଁ ଆମର ସମସ୍ତ ପ୍ରସ୍ତୁତି ସତ୍ତ୍ବେ ତାରିଖ ବଦଳଇ ବାହାନଗା ରେଳ ବିଭୀଷିକାର ମୃତାହତମାନଙ୍କ ପ୍ରତି ଆମେ ସମବେଦନା ଜଣାଇ ପାରିବା।
ଆମେ କାହାର ଜୀବନ ତ ଫେରାଇ ଆଣିପାରିବା ନାହି। କିନ୍ତୁ ଏଭଳି ସମୟରେ ସେମାନଙ୍କ ପ୍ରତି ଏହା ଆମର ସମ୍ମାନ ହେବ ବୋଲି ମୁଁ ଭାବୁଛି। ସିନେମା ହଲ୍ ମାଲିକ, ବିତରକ ଓ ସର୍ବୋପରି ପ୍ରିୟ ଦର୍ଶକମଣ୍ଡଳୀ ଆମର ଏହି ନିଷ୍ପତ୍ତିକୁ ସହଯୋଗ କରିବେ ବୋଲି ମୁଁ ଅନୁରୋଧ କରୁଛି। ଶେଷରେ ଏଭଳି ଛାତିଥରା ଦୁଃଖଦ ପରିସ୍ଥିତି କାହାରି ଜୀବନରେ ନଆସୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ‘ଲଭ୍ ଇନ୍ ଲଣ୍ଡନ’ର ପ୍ରଯୋଜକ ଅନୁଭବ ମହାନ୍ତି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/76bd631a-b123-4d72-95d7-8361f834d8dd.jpg)