​ଭୁବନେଶ୍ୱର: ଓଡ଼ିଶାର ଗୌରବକୁ ଆହୁରି ବୃଦ୍ଧି କରି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ନୂତନ ଚଳଚ୍ଚିତ୍ର 'ମହିମା ଅଲେଖ' ଆଗାମୀ ୫୬ତମ ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (IFFI) ର ସମ୍ମାନଜନକ ଭାରତୀୟ ପାନୋରମାରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି। ଓଡ଼ିଶାର ମହତ୍ତ୍ୱପୂର୍ଣ୍ଣ ଧାର୍ମିକ ପରମ୍ପରା ମହିମା ଧର୍ମ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଓଡ଼ିଆ ସିନେମା ଜଗତକୁ ଆଉ ଏକ ସଫଳତା ଆଣିଦେଇଛି।
ମହିମା ଧର୍ମ ଉପରେ ସିନେମା
​ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ମହିମା ଧର୍ମର ଆଲୋଚନା ସ୍ୱଳ୍ପ ଥିବାବେଳେ, ଚଳଚ୍ଚିତ୍ର ମାଧ୍ୟମରେ ଏହି ମହାନ ଦର୍ଶନକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶକ ଖଟୁଆ ଆଉ ଏକ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି। ସୂଚନାଯୋଗ୍ୟ, ସେ ପୂର୍ବରୁ ମଧ୍ୟ ମହିମା ଧର୍ମ ଆଧାରରେ ଚଳଚ୍ଚିତ୍ର 'ଶୂନ୍ୟସ୍ୱରୂପ' ନିର୍ମାଣ କରି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ।
​କାଦମ୍ବିନୀ ମିଡିଆ ଏବଂ ଡିଜି ଫାଇଭ୍ ସିର ମିଳିତ ବ୍ୟାନରରେ ନିର୍ମିତ ତଥା ଡ. ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଏହି ଚଳଚ୍ଚିତ୍ରର ପ୍ରଯୋଜିକା ହେଉଛନ୍ତି ଡ. ଇତି ସାମନ୍ତ। ​'ମହିମା ଅଲେଖ' ଚଳଚ୍ଚିତ୍ରଟି ଓଡ଼ିଶାରେ ଜନ୍ମିତ ଏହି ବିଶିଷ୍ଟ ଧର୍ମର ଦର୍ଶନ, ନିୟମ, ଶୃଙ୍ଖଳା, ସୋପାନ ଭେଦ, ଧର୍ମ ପରିଚ୍ଛଦ, ଆହାର ବିହାର ବିଧି, ନିର୍ଦ୍ଦିଷ୍ଟ ପ୍ରଣାଳୀରେ ଈଶ୍ୱର ଧ୍ୟାନ ଓ ଭଜନ ସମେତ ସଂଘ ଚେତନାକୁ ଆଧାର କରି ନିର୍ମିତ ହୋଇଛି।
​
ଏହା ପୂର୍ବରୁ କାଦମ୍ବିନୀ ମିଡିଆ ବ୍ୟାନରରେ ନିର୍ମିତ 'ଦି ସି ଆଣ୍ଡ ସେଭେନ୍ ଭିଲେଜେସ୍' (The Sea and Seven Villages) ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିବା ବେଳେ, ବର୍ତ୍ତମାନ 'ମହିମା ଅଲେଖ' ଭାରତୀୟ ପାନୋରମାରେ ସ୍ଥାନ ପାଇବା ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ବଡ଼ ସଫଳତା ଆଣି ଦେଇଛି। 'ମହିମା ଅଲେଖ' ଟିମ୍କୁ ଏହି ମହତ୍ତ୍ୱପୂର୍ଣ୍ଣ ସଫଳତା ପାଇଁ ଚାରିଆଡୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/07/mahima-alekh-2025-11-07-17-53-26.jpg)