ଦୋଛକିରେ ‘ପାଟଣାଗଡ଼’ ଚଳଚ୍ଚିତ୍ର; ଆଇନ୍‌କୁ ସାମ୍ନା କରିବାକୁ ପ୍ରସ୍ତୁତ: ପ୍ରଯୋଜକ

ଭୁବନେଶ୍ୱର : ପାଟଣାଗଡ଼ର ପାର୍ସଲ ବୋମା ଘଟଣା ଭଳି ‘ପାଟଣାଗଡ଼’ ଚଳଚ୍ଚିତ୍ରର ଭାଗ୍ୟ ବି ଏବେ ଦୋଛକିରେ। ଚଳଚ୍ଚିତ୍ରର ୯୦ ଭାଗ ସୁଟିଂ ସରିଛି। ଆଉ ମାତ୍ର କେଇ ଦିନର ସୁଟିଂ ପରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ମାତ୍ର ଏହା ପୂର୍ବରୁ ମୃତ ସୌମ୍ୟଶେଖରଙ୍କ ପିତାମାତା ଚଳଚ୍ଚିତ୍ର ନିର୍ମାଣକୁ ବିରୋଧ କରିବା ପରେ ପ୍ରଡକ୍ସନ୍‌ ଟିମ୍‌କୁ ଝଟ୍‌କା ଲାଗିଛି।

ଚଳଚ୍ଚିତ୍ରର ପ୍ରଯୋଜକ ଶ୍ରୀଧର ମାର୍ଥା ଏହା ତାଙ୍କ ସ୍ୱପ୍ନର ପ୍ରକଳ୍ପ ବୋଲି କହି ଫିଲ୍ମକୁ ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ନିର୍ମାଣ କରୁଛନ୍ତି। ପୁଣି ଅନ୍ୟ ଭାଷାରେ ଡବିଂ ହେବା ନେଇ ଯୋଜନା ବି କରୁଛନ୍ତି। ହେଲେ ଏହି ଚଳଚ୍ଚିତ୍ରରେ ପୁଞ୍ଜିଲାଲ୍‌କୁ ନାୟକ ଭାବେ ଚିତ୍ରଣ କରାଯାଉଥିବା ଶୁଣିବା ପରେ ସୌମ୍ୟଙ୍କ ପିତାମାତା ସାମ୍ବାଦିକ ସମ୍ମିଳନୀ ଡକାଇ ଏହାକୁ ବିରୋଧ କରିଛନ୍ତି। ଏନେଇ ଶ୍ରୀ ମାର୍ଥା ପ୍ରତିକ୍ରିୟାରେ କହିଛନ୍ତି, ପୁଲିସ୍‌ କିଭଳି ଏତେବଡ଼ ରହସ୍ୟ ଉପରୁ ପରଦା ଉଠାଇଛି ତାହାକୁ ଚଳଚ୍ଚିତ୍ରରେ ଗୁରୁତ୍ୱ ଦିଆଯାଇଛି। ଏହାଛଡ଼ା ଘଟଣା ସାର୍ବଜନୀନ ହେବା ପରେ ଆମେ ତାକୁ କାହାଣୀ ଭାବେ ନେଇଛୁ। ଓଡ଼ିଶାର କାହାଣୀ ଏବଂ ଓଡ଼ିଶାରେ ଅଧିକାଂଶ ସୁଟିଂ କରାଯାଇଛି। କାହାକୁ ଦୋଷୀ ଦେଖାଇବା ଅପେକ୍ଷା ଆମେ ଘଟଣାକୁ କାହାଣୀ ଭାବେ ନେଇଛୁ। ଯଦି ସେମାନେ ଆଇନ୍‌ର ଆଶ୍ରୟ ନେଇଛନ୍ତି, ଆମେ ବି ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ ବୋଲି ଶ୍ରୀ ମାର୍ଥା କହିଛନ୍ତି।

ସୂଚନାଯୋଗ୍ୟ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭରୁ ଏହାକୁ ନେଇ ଚର୍ଚା ହୋଇ ଆସୁଛି। ସତ କାହାଣୀ ସାଙ୍ଗକୁ ଚଳଚ୍ଚିତ୍ରରେ ବଲିଉଡ୍‌ ତାରକା ଅତୁଲ କୁଲକର୍ଣ୍ଣୀ, ତେଲୁଗୁ ଅଭିନେତା ଟନିକେଲା ଭରାନି, ମନୋଜ ମିଶ୍ର, ଅନୁ ଚୌଧୁରୀଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳୁଥିବା ବେଳେ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ମାତା ରାଜେଶ ଟଚ୍‌ରିଭର ନିର୍ଦେଶନା ଦେଉଛନ୍ତି। ତେଣୁ ଫିଲ୍ମକୁ ନେଇ ଉତ୍କଣ୍ଠା ଥିବା ବେଳେ ଫିଲ୍ମ ନିର୍ମାଣ ପୂର୍ବରୁ ସୌମ୍ୟଶେଖରଙ୍କ ପରିବାରର ଅନୁମତି ନିଆଯାଇ ନଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିଛି। ଶ୍ରୀ ମାର୍ଥା କହିଛନ୍ତି ଆଇନ୍‌ର ଆଶ୍ରୟ ନେଲେ ଆମେ ଆମର ଯୁକ୍ତି ରଖିବୁ। ଏଥିସହ ଖୁବଶୀଘ୍ର ଫିଲ୍ମ ସମ୍ପୂର୍ଣ୍ଣ ହୋଇ ହାଇଦ୍ରାବାଦରେ ସମ୍ପାଦନା କାର୍ଯ୍ୟ କରାଯିବ ଏବଂ ମୁକ୍ତିଲାଭ ତାରିଖ ଘୋଷଣା ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର