ବରଫାବୃତ ଅଞ୍ଚଳର ହାଡ଼ଥରା ଶୀତ ହେଉ କି ମରୁଭୂମିର ମୁଣ୍ଡଫଟା ଖରା, ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ଶାଢ଼ି ପିନ୍ଧି ୬୮ଟି ଦେଶ ଭ୍ରମଣ କଲେ ଓଡ଼ିଆ ଝିଅ ଅଜନ୍ତା
ନୂଆଦିଲ୍ଲୀ: ଭାରତୀୟ ନାରୀର ପରିଚ୍ଛଦର କଥା ଉଠିଲେ ଆଖିରେ ନାଚି ଉଠେ ଶାଢ଼ିର ଚିତ୍ର। ଥରେ ଜଣେ ଦାର୍ଶନିକ କହିଥିଲେ, ‘ଭାରତୀୟ ନାରୀ ଶାଢ଼ିରେ ଯେତିକି ସୁନ୍ଦର ଦିଶିପାରନ୍ତି, ସଂସାରର ଅନ୍ୟ ସମସ୍ତ ସୌନ୍ଦର୍ଯ୍ୟକୁ ପଛରେ ପକାଇବାକୁ ତାହା ଯଥେଷ୍ଟ।’ ନାରୀର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିବା ପରି ପରିଧାନ ହେଉଛି ଶାଢ଼ି। ଏହାକୁ ପିନ୍ଧୁଥିବା ନାରୀଟିଏ ଆଦୌ ବି ପୁରୁଣାକାଳିଆ ନୁହେଁ; ବରଂ ଆଧୁନିକା ଓ ସର୍ବଶ୍ରେଷ୍ଠ ସମ୍ମାନ ପାଇବାର ଅଧିକାରିଣୀ। ଏହା ପୁଣି ଥରେ ପ୍ରମାଣିତ ହୋଇଛି। ଆସାମରେ ବଢ଼ିଥିବା ଜଣେ ଓଡ଼ିଆ ତାହ ପ୍ରମାଣ କରି ଦେଖାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ ହେଉଛନ୍ତି ଓଡ଼ିଆ ଝିଅ ଅଜନ୍ତା ମହାପାତ୍ର। ସେ ଜଣେ ଏପରି ଝିଅ, ଯିଏ କି ଶାଢ଼ି ପରିଧାନ କରି ବିଭିନ୍ନ ଦେଶକୁ ଭ୍ରମଣ କରି ନୂଆ ନୂଆ ଅନୁଭୂତି ସାଉଁଟିଛନ୍ତି। ଅଜନ୍ତାଙ୍କ ବାପା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସ୍ଆଇ)ର ଜଣେ କର୍ମଚାରୀ ହୋଇଥିବାରୁ ଭ୍ରମଣ ପ୍ରତି ଅଜନ୍ତାଙ୍କର ପିଲାଟି ଦିନରୁ ଥିଲା ଅହେତୁକ ଆକର୍ଷଣ । ସେ ଯେତେବେଳେ ପରିବାର ସହିତ ଚେରାପୁଞ୍ଜି, ସିଲଂ ଏବଂ ଉତ୍ତର-ପୂର୍ବ ଭାରତର ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ବୁଲି ଦେଖୁଥିଲେ, ତାଙ୍କ ମନରେ ଦାନା ବାନ୍ଧୁଥିଲା ଭବିଷ୍ୟତର ଭ୍ରମଣକୁ ନେଇ କିଛି ସ୍ବପ୍ନ।
ଏପରିକି ଯେତେବେଳେ ସେ କିଶୋରୀ ଥିବା ଅବସ୍ଥାରେ ଓଡ଼ିଶା ଆସିଥିଲେ, ତାଙ୍କୁ ଅନୁଭବ ହୋଇଥିଲା ଯେ ଭ୍ରମଣ ତାଙ୍କ ଜୀବନର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ। ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଲାଭ କରିଥିବାରୁ ସାମାଜିକ ମାନସିକତାକୁ ସେ ସମୟରେ ସହଜ ଭାବେ ଅତିକ୍ରମ କରିପାରି ନ ଥିଲେ ଅଜନ୍ତା।
ଅଜନ୍ତା ଯେତେବେଳେ ସ୍ବାବଲମ୍ବୀ ହେଲେ ଓ ଉତ୍ତର ପ୍ରଦେଶର ନୋଏଡ଼ାରେ ପ୍ରଥମ ଥର ପାଇଁ ଚାକିରି କରିବା ଆରମ୍ଭ କଲେ, ସେହି ସମୟରେ ହିଁ ତାିଙ୍କର ପ୍ରମଣକୁ ନେଇ ରହିଥିବା ଆଗ୍ରହ ହେତୁ ସେ ଦିଲ୍ଲୀର କୋଣଅନୁକୋଣ ବୁଲିବା ଆରମ୍ଭ କରି ଦେଇଥିଲେ। ପରେ ୨୦୧୦ ମସିହାରେ ଉଚ୍ଚ ଶିକ୍ଷା କରିବାକୁ ଲଂଲଣ୍ଡ ଯିବାକୁ ପଡ଼େ ଓ ଚାକିରି ଛାଡ଼ନ୍ତି ଅଜନ୍ତା।
ସେ ଯେତେବେଳେ ଧୀରେ ଧୀରେ ଆଗକୁ ବଢ଼ିବାକୁ ଲାଗିଲେ ତାଙ୍କ ଭିତରେ ଭ୍ରମଣ ସହ ସହ ଶାଢ଼ି ପିନ୍ଧିବା ପ୍ରତି ମଧ୍ୟ ରୁଚି ଦେଖିବାକୁ ମିଳିଲା। ସବୁବେଳେ ନହେଲେ ବି ଦଶହରା ଓ ଦୀପାବଳି ପରି ଭାରତୀୟ ପର୍ବରେ ଶାଢ଼ି ପିନ୍ଧି ମନ୍ଦିର ଯିବାକୁ ତାଙ୍କୁ ଭଲ ଲାଗୁଥିଲା।
ଖୁବ୍ କମ୍ ବୟସରୁ ନିଜ ମାଆଙ୍କୁ ହରାଇଥିବା ଅଜନ୍ତା କହନ୍ତି, ‘ମୁଁ ହେଉଛି ଜଣେ ସର୍ଟସ ଆଣ୍ଡ୍ ଟି-ସାର୍ଟ ପର୍ସନ (ସଟର୍ସ ଏବଂ ଟି-ସାର୍ଟସ ପିନ୍ଧୁଥିବା ଝିଅ), ଯିଏକି ପ୍ରଥମରୁ ଶାଢ଼ିକୁ ବେଶ ନାପସନ୍ଦ କରି ଚାଲିଥିଲା। ମୋ ମାଆ ସଦାବେଳେ ମୋତେ କହୁଥିଲେ କି ‘ତୁ ଦିନେ ଶାଢ଼ି ପିନ୍ଧିବୁ’। ବାହାଘର ପରେ ପ୍ରତିଦିନ ଶାଢ଼ି ପିନ୍ଧିବାକୁ ପଡ଼େ ବୋଲି ଭାବି ଦେଇ ମୁଁ ଖୁବ୍ ବିବ୍ରତ ହୋଇ ପଡୁଥିଲି। ମାତ୍ର ଏବେ ଭାବୁଛି ମୋ ମାଆଙ୍କ କଥା ସତ ହେଲା, ତାହା ପୁଣି ଅତ୍ୟନ୍ତ ସୁନ୍ଦର ଭାବରେ।’
ଆପଣ ହୁଏତ ଅଜନ୍ତାଙ୍କ ବିଷୟରେ ଏକ କଥା ଜାଣି ନ ଥିବେ ଯେ ତାଙ୍କର ‘ଦ ଟ୍ରାଭେଲିଂଶାଢ଼ି’ ନାମରେ ଏକ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ ଅଛି। ଯେଉଁ ଆକାଉଣ୍ଟରେ ସେ ମିଶରରୁ ନେଇ ଆଲସ୍କା ପର୍ଯ୍ୟନ୍ତ ବରଫାବୃତ, ପାହାଡ଼ିଆ ଏବଂ ମରୁଭୂମିରେ ଶାଢ଼ି ପିନ୍ଧି ପୋଜ୍ ଦେଇଥିବାର ପ୍ରାୟ ୫୦୦ରୁ ଊର୍ଧ୍ବ ଫଟୋରେ ନଜର ଆସିଛନ୍ତି। ତାଙ୍କ ଭ୍ରମଣକୁ ନେଇ କିଛି ମିଠା ସ୍ମୃତି ରହିଛି ବୋଲି ପଚାରିଲେ ଅଜନ୍ତା କୁହନ୍ତି, ‘ଅନ୍ୟ ଦେଶର ଲୋକେ ଯେତେବେଳେ ମୋତେ ଦେଖି ‘ନମସ୍ତେ’ କିମ୍ବା ‘ହେଲୋ ଇଣ୍ଡିଆ’ ବୋଲି କହନ୍ତି ମୁଁ ତାହାକୁ ଖୁବ୍ ଉପଭୋଗ କରେ।
ତାଙ୍କର ଏକ ମିଠା ସ୍ମୃତିକୁ ମନେ ପକାଇ ଅଜନ୍ତା କହନ୍ତି, ସେ ସେଦିନ ଡେନାଲିର ଆଲାସ୍କା ରେଞ୍ଜର ଖୁବ୍ ଉଚ୍ଚତାରେ ଥିଲେ। ଆଣ୍ଠୁ ପର୍ଯ୍ୟନ୍ତ ତୁଷାର ଭର୍ତ୍ତି ହୋଇଥାଏ। ଏକ ସୁନ୍ଦର କଳା ଶାଢ଼ି ପରିଧାନ କରି ସେ ଏକ ଫଟୋ ନେବା ପାଇଁ ଚେଷ୍ଟା କରୁଥାନ୍ତି, ହେଲେ ଗୋଟାଏ ବି ଫଟୋ ଭଲ ଆସୁ ନଥାଏ। ବିଯୁକ୍ତ ୬୦ ଡିଗ୍ରି ତାପମାତ୍ରାରେ ଫଟୋଟିଏ ପାଇଁ ସଂଘର୍ଷ କରୁଥିବା ଅଜନ୍ତା ହଠାତ ଜଣେ ଭଦ୍ରଲୋକଙ୍କୁ ସାମ୍ନାରେ ପାଇଲେ। ଏଭଳି ଥଣ୍ଡା ଅଞ୍ଚଳରେ ବିନା ଉଷ୍ମ ପୋଷାକରେ ଅଜନ୍ତାଙ୍କୁ ଶାଢ଼ିରେ ଦେଖି ଚକିତ ହୋଇଗଲେ ଭଦ୍ରବ୍ୟକ୍ତି ଜଣକ। ଫଟୋ ପ୍ରତି ଅଜନ୍ତାଙ୍କର ବ୍ୟାକୁଳତା ଦେଖି ବ୍ୟକ୍ତି ଜଣକ ନିଜ କ୍ୟାମେରା ଓ ଅଜନ୍ତାଙ୍କ ଫୋନରେ ତାଙ୍କର କିଛି ଫଟୋ ଉଠାଇଦେଲେ। ପରେ ଅଜନ୍ତା ଜାଣିବାକୁ ପାଇଲେ ଯେ ବ୍ୟକ୍ତି ଜଣକ ଜଣେ ପେସାଦାର ଫଟୋଗ୍ରାଫର ଥିଲେ, ଯେଉଁଥିପାଇଁ ସେ ନିଜକୁ ଭାଗ୍ୟବତୀ ବୋଲି ଭାବନ୍ତି।
ନିଜର ପାଲେଷ୍ଟାଇନ ଗସ୍ତକୁ ମନେ ପକାଇ ଅଜନ୍ତା କୁହନ୍ତି କି ଗାଜା ଷ୍ଟ୍ରିପ୍ ଠାରୁ ମାତ୍ର ଏକ ଘଣ୍ଟା ଦୂରରେ ଥିବା ରାମଲାହା ଯାତ୍ରା ସମୟରେ ତାଙ୍କୁ ହାଡ଼ଭଙ୍ଗା ଶୀତର ସାମ୍ନା କରିବାକୁ ପଡ଼ିଥିଲା। ସେଠାକୁ ବି ସେ ଶାଢ଼ି ପରିଧାନ କରି ଯାଇଥିଲେ। ମାତ୍ର ସେଠାକାର ଲୋକମାନଙ୍କ ହୃଦୟସ୍ପର୍ଶୀ ବ୍ୟବହାର ତାଙ୍କ ଯାତ୍ରାକୁ ଚିର ସ୍ମରଣୀୟ କରି ଦେଇଥିଲା। କେବଳ ପାଲେଷ୍ଟାଇନ ନୁହେଁ, ସେ ବୁଲି ଯାଇଥିବା ଅନେକ ସ୍ଥାନରେ ତାଙ୍କର ମଧୁର ସ୍ମୃତି ରହିଛି ବୋଲି ସେ କହିଛନ୍ତି। ମଧ୍ୟ-ପୂର୍ବ ବ୍ୟତୀତ, ସେ ମଧ୍ୟ ଉତ୍ତର ଏବଂ ଦକ୍ଷିଣ କୋରିଆର ସୀମାକୁ ବି ଯାଇଛନ୍ତି। ଆର୍କଟିକ୍ ସର୍କଲକୁ ଯିବା ବେଳେ ବାଟରେ ଅଟକି ଭିଏତନାମରେ ରାତି ବିତାଇଥିଲେ ଅଜନ୍ତା, ସେଠାରେ ମିଳୁଥିବା ତାଙ୍କ ପ୍ରିୟ ଶାକାହାରୀ ଖାଦ୍ୟ ‘ଥେପ୍ଲାସ’ ଖାଇବା ପାଇଁ।
ପ୍ରଥମରୁ ଭ୍ରମଣ ପ୍ରତି ଅହେତୁକ ଆକର୍ଷଣ ରଖିଥିବା ଅଜନ୍ତା କିନ୍ତୁ ଶାଢ଼ି ପିନ୍ଧି ଭ୍ରମଣ କରିବା କଥା ଆଦୌ ଭାବି ନ ଥିଲେ। ସେ ବାହାରକୁ ବାହାରିବା ବେଳେ, ଜିନ୍ସ ପିନ୍ଧିବାକୁ ପ୍ରାଥମିକତା ଦେଉଥିଲେ। ତାଙ୍କ ହିସାବରେ ଜିନ୍ସରେ ସେ ଯେତିକି ସହଜ ଅନୁଭବ କରନ୍ତି, ଅନ୍ୟ କୌଣସି ବି ପରିଧାନ ତାଙ୍କୁ ସେହି ସ୍ତରର ଅନୁଭବ ଦେଇ ନଥାଏ। ଏପରିକି ୨୦୧୭ ମସିହା ପର୍ଯ୍ୟନ୍ତ ଅଜନ୍ତା ଯେଉଁଆଡ଼େ ବି ଯାଇଛନ୍ତି, କେଉଁଠାକୁ ଶାଢ଼ି ପିନ୍ଧି ଯାଇନାହାନ୍ତି। ତାଙ୍କ କହିବା ମୁତାବକ ଶାଢ଼ି ପିନ୍ଧି ଭ୍ରମଣ କରିବାର ଚିନ୍ତାଧାରା ତାଙ୍କର ଜଣେ ବନ୍ଧୁଙ୍କର। ତାଙ୍କ ବନ୍ଧୁ ତାଙ୍କୁ ‘ଦ ଟେଲ୍ସ ଅଫ୍ ଦ ଟ୍ରାଭେଲିଂ ଶାରିଜ୍’ ନାମରେ ଏକ ବ୍ଲଗ୍ କରିବାକୁ ପରାମର୍ଶ ଦେବା ପରେ ଶାଢ଼ି ପିନ୍ଧି ଭ୍ରମଣ କରିବାର ଚିନ୍ତା ତାଙ୍କ ମୁଣ୍ଡରେ ଜୁଟିଥିଲା। ସେବେଠାରୁ ସେ ବିଭିନ୍ନ ଧରଣର ଶାଢ଼ି ପିନ୍ଧି ଦେଶରୁ ଦେଶ ବୁଲିବାରେ ଲାଗିଛନ୍ତି।
ନ୍ୟୁ ଜର୍ସିରେ ଚାକିରି କରିଥିବା ଅଜନ୍ତାଙ୍କ ମତରେ ଏକା ଏକା ଭ୍ରମଣ କରିବାଠାରୁ ମଜା କଥା ସଂସାରରେ କିଛି ନାହିଁ। ସେ କହନ୍ତି ଏକାକୀ ଭ୍ରମଣ କଲେ ଆତ୍ମ-ଆବିଷ୍କାରର ବେଶି ସମ୍ଭାବନା ଥାଏ। ଯଦି ଆପଣ କେଉଁ ବନ୍ଧୁଙ୍କ ପାଇଁ ନିଜ ଯାତ୍ରା ବାତିଲ୍ କରୁଛନ୍ତି, ତେବେ ଅଜନ୍ତାଙ୍କ ଏହି କଥା ନିଶ୍ଚୟ ଶୁଣିବା ଉଚିତ। ଭ୍ରମଣ ପାଇଁ ଅନ୍ୟ କାହାର ଆବଶ୍ୟକତା ଆଦୌ ହିଁ ନାହିଁ। ଆପଣ ନିଜେ ହିଁ ନିଜ ପାଇଁ ଯଥେଷ୍ଟ।
ଅଜନ୍ତା ନିଜର ସୁନ୍ଦର ସୁନ୍ଦର ଫଟୋର ଶ୍ରେୟ ତାଙ୍କ ସ୍ବାମୀଙ୍କୁ ଦିଅନ୍ତି, ଯିଏକି ତାଙ୍କର ଜଣେ ଭଲ ବନ୍ଧୁ ରହି ଆସିଛନ୍ତି। ଫଟୋ ପୋଜ୍ ଦେବାର ଅନେକ ଜ୍ଞାନ ସେ ନିଜ ସ୍ବାମୀଙ୍କଠାରୁ ପାଇଛନ୍ତି ବୋଲି କହନ୍ତି। ସେ କହନ୍ତି ଭାରତୀୟ ମହିଳା ହେଉଛନ୍ତି ତାଙ୍କ ପ୍ରେରଣା। ସାଧାରଣ ଦିଶୁଥିବା ଅସାଧାରଣ ଭାରତୀୟ ମହିଳାଙ୍କଠାରୁ ସେ ଅନେକ ମାତ୍ରାରେ ପ୍ରେରିତ ହୋଇଛନ୍ତି। ସେ ବିଶ୍ବାସ ରଖନ୍ତି ଯେ ଭାରତୀୟ ମହିଳାଙ୍କ ସରଳତା ଓ ସୌନ୍ଦର୍ଯ୍ୟ ହିଁ ସେମାନଙ୍କୁ ଆଗକୁ ନେଇଥାଏ। ଶାଢ଼ି ପିନ୍ଧି ୬୮ ଦେଶ ବୁଲିଥିବା ଏହି ଓଡ଼ିଆ ଝିଅ ଏବେ ଆମ ସମସ୍ତଙ୍କ ପାଇଁ ଯେ ଉଦାହରଣ ଓ ପ୍ରେରଣା ପାଲଟିଛନ୍ତି ତାହା ଅନ୍ତତଃପକ୍ଷେ କେହି ଅସ୍ବୀକାର କରିବେ ନାହିଁ।