ପିତୃ ହତ୍ୟାକାରୀକୁ ଶାସ୍ତି ପାଇଁ ୨୦ ବର୍ଷ ସଂଘର୍ଷ, ନ୍ୟାୟ ପାଇଁ ଓଡ଼ିଆ ଝିଅ ରୁକ୍ସାନା ବାନୋ ଏବେ ଦିଲ୍ଲୀରେ

ଭୁବନେଶ୍ବର : ୧୯୯୯ ମସିହାରୁ ୨୦୧୯ । ଇତିମଧ୍ୟରେ ୨୦ ବର୍ଷ ବିତିଗଲାଣି। ହେଲେ ବାପାଙ୍କ ହତ୍ୟାକାରୀ ଧରା ହୋଇନାହାନ୍ତି କି ସେମାନଙ୍କୁ ମିିଳିନି ଶାସ୍ତି। ଥାନାରୁ ‌ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଏବେ ଦିଲ୍ଲୀରେ ପହଞ୍ଚିଛନ୍ତି ରୁକ୍ସାନା। ହେଲେ ଏଠି କେହି କଥା ନ ଶୁଣିଲେ ବି ହାରି ଯାଇନାହାନ୍ତି ସେ। ସୋସିଆଲ୍‌ ମିଡିଆର ସାହାରା ନେଇ ନିଜର ଦୁଃଖ ଲୋକଙ୍କ ସହ ବାଣ୍ଟି ଚାଲିଛନ୍ତି। କେବେ ହୁଏତ ତାଙ୍କର ଦୁଃଖ କାହା କାନରେ ପଡ଼ିବ, କେବେ ନା କେବେ ମିଳିଯିବ ମୃତ ବାପା ଅବ୍‌ଦୁଲ୍‌ ହବିବ୍‌ଙ୍କୁ ନ୍ୟାୟ। ଏମିତି ଦୀର୍ଘ ୨୦ ବର୍ଷ ହେଲା ବାପାଙ୍କ ହତ୍ୟାକାରୀଙ୍କୁ ଶାସ୍ତି ଦେବା ପାଇଁ ସଂକଳ୍ପବଦ୍ଧ ଏହି ଓଡ଼ିଆ ଝିଅଙ୍କ ସଂଘର୍ଷ ଜାରି ରହିଛି।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳର ଝିଅ ରୁକ୍ସାନାଙ୍କ ମାଆ ଥିଲେ ଆଦିବାସୀ ଓ ବାପା ଜଣେ ମୁସ୍‌ଲମାନ। ସେମାନଙ୍କର ପ୍ରେମ ବିବାହ ହୋଇଥିଲା। ହେଲେ ମାତ୍ର କେଇ ବର୍ଷରେ ଭାଗ୍ୟ ଦାଉ ସାଧିଲା। ସ୍ୱଳ୍ପ ବୟସରେ ସ୍ୱାମୀଙ୍କୁ ହରାଇ ବିଧବା ହେଲେ ରୁକ୍ସାନାଙ୍କ ମାଆ। ରୁକ୍ସାନା କହନ୍ତି, ‘ଜମିବାଡ଼ି କଳହ ନେଇ ମୋ ବାପାଙ୍କୁ ମୋର ବଡ଼ବାପାମାନେ ୧୯୯୯ ମସିହାରେ ବିଷ ଦେଇ ହତ୍ୟା କରିଛନ୍ତି। ଏ ନେଇ ମାଆ ଅଭଯୋଗ ଆଣିଥିଲେ। ବାପାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ବିଷ ବାହାରିଥିଲା। ତେବେ ସେ ସମୟରେ ସେମାନେ ମୋ ମାଆକୁ ଧମକ ଦେଇ ତୋର ଆଉ ତୋ ଛୁଆପିଲାଙ୍କର ବି ହତ୍ୟା କରିଦେବୁ କହି ଭୟଭୀତ କରାଇ ଦେଲେ। ସେତେବେଳେ ମୋ ବଡ଼ ଭଉଣୀକୁ ୩ ବର୍ଷ, ମୋତେ ଦେଢ଼ ବର୍ଷ ଓ ମୋର ସାନ ଭାଇକୁ ମାତ୍ର ୨ ମାସ ହୋଇଥାଏ। ମାଆ ଲଗାତର ୩ ଥର ମାମଲା ରୁଜୁ କଲେ। ସେମାନେ ଜାଣିବା ପରେ ମୋ ମାଆକୁ ଧମକ ଦେବାରେ ଲାଗିଲେ। ୨୦୧୨ରୁ ୨୦୧୯ ମଧ୍ୟରେ ଆମେ ଜିଲ୍ଲାପାଳ, ଏସ୍‌ପି, ଡିଏସ୍‌ପି, ଆଇଆଇସି ଯେତେ ବି ବଦଳିଛନ୍ତି ସମସ୍ତଙ୍କ ପାଖକୁ ଯାଇଛୁ। ହେଲେ କେହି ବି ଆମ କଥା ଶୁଣିଲେ ନାହିଁ। ଜିଲ୍ଲାପାଳ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଲେ। ଏସ୍‌ପି ମାମଲାର ପୁନର୍ବିଚାର କରି ୩୦୨, ୫୦୬, ୩୪ ଦଫା ଲଗାଇଲେ। ହେଲେ ମୋ ବଡ଼ବାପାମାନଙ୍କୁ ପୁଲିସ୍‌ ଡାକିଲା ନାହିଁ କି ପଚରାଉଚରା କଲା ନାହିଁ। ଓଡ଼ିଶାରେ ନ୍ୟାୟ ମିଳିଲାନି ବୋଲି ଆମକୁ ଦିଲ୍ଲୀ ଆସିବାକୁ ପଡ଼ିଲା। ଦିଲ୍ଲୀରେ ୬୨ ଦିନ ଧାରଣାରେ ବସିଲା ପରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ତରଫରୁ ଆସିଲା ସିବିଆଇ ଯାଞ୍ଚ୍‌ର ପତ୍ର। ସିବିଆଇ ତଦନ୍ତ ଚିଠିକୁ ବି ଓଡ଼ିଶାରେ ଦବାଇ ଦିଆଯାଇଛି। ଭବାନୀପାଟଣାର ଏସ୍‌ପି ଗଙ୍ଗାଧର ସାହେବ ମାମଲାକୁ ବନ୍ଦ କରି ସିବିଆଇକୁ ପଠାଇ ଦେଲେ। ତେଣୁ ୫-୬ ମାସ ହେଲା ଦିଲ୍ଲୀର ସବୁ ଜାଗା ବୁଲି ନ୍ୟାୟ ପାଇଁ ଭିକ୍ଷା ମାଗୁଛୁ।’

ଫେସ୍‌ବୁକ୍‌, ଟ୍ବିଟର୍‌ ଓ ୟୁଟ୍ୟୁବ୍‌ ଆଦି ସବୁଠି ସକ୍ରିୟ ଥିବା ରୁକ୍ସାନା କିଛି ଦିନ ହେବ ତାଙ୍କ ବେକରେ ଏକ ପୋଷ୍ଟର୍‌ ଝୁଲାଇ ନୋଇଡ଼ା ଅଂ୍ଚଳରେ ବୁଲୁଥିବାର ନଜର ଆସିଛନ୍ତି। ପୋଷ୍ଟର୍‌ରେ ଲେଖାଯାଇଛି ‘୨୦ ବର୍ଷ ହେଲା ଲଗାତର ନ୍ୟାୟ ପାଇଁ ଗୁହାରି କରିଆସୁଛି। କେବେ ମିଳିବ ମୋ ବାପାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ?’ ଓଡ଼ିଶାରେ ବାପାଙ୍କୁ ନ୍ୟାୟ ନମିଳିବାରୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିବାକୁ ଗତ ୮ ମାସ ହେବ ଦିଲ୍ଲୀ ଯାଇ ବିଭିନ୍ନ ସ୍ଥାନରେ ଧାରଣ ଦେଉଛନ୍ତି ରୁକ୍ସାନା ଓ ତାଙ୍କ ମାଆ। ଇତିମଧ୍ୟରେ ସେ ଯନ୍ତରମନ୍ତର, ଲକ୍ଷ୍ମୀନଗର, ଦିଲ୍ଳୀ ଆଦି ସ୍ଥାନ ପରିବର୍ତ୍ତନ କରି ଧାରଣା ଦେଇ ଚାଲିଛନ୍ତି।

ଟ୍ବିଟରରେ ସଞ୍ଜୟ ଝା ନାମକ ଜଣେ ବ୍ୟକ୍ତିଙ୍କ ପୋଷ୍ଟ୍‍ ଦେଖିବା ପରେ ସେଠାରୁ ଫୋନ୍‌ ନମ୍ବର ସଂଗ୍ରହ କରି ‘ସମ୍ବାଦ୍‌ ଡଟ୍‌ ଇନ୍‌’ର ପ୍ରତିନିଧି ରୁକ୍ସାନା ଓ ତାଙ୍କ ମାଆଙ୍କ ସହ ଯୋଗାଯୋଗ କରିଥଲେ। ରୁକ୍ସାନା କହିଥିଲେ, ମୋ ଭାଇଙ୍କର ମାନସିକ ଅବସ୍ଥା ଠିକ୍‌ ନଥିବା କାରଣରୁ ଭବାନୀପାଟଣାରେ ରହି ବଡ଼ ଉଉଣୀ ଭାଇଙ୍କ ଦେଖାଶୁଣା କରନ୍ତି। ବାପାଙ୍କର କୌଣସି ବି ଜମିବାଡ଼ି ଆମକୁ ମିଳିନାହିଁ।’ ତେବେ ଏତେସବୁ ଅସୁବିଧା ସତ୍ତ୍ବେ ଆଶା ହରାଇ ନାହାନ୍ତି ରୁକ୍ସାନା। ନ୍ୟାୟ ପାଇଁ ୮ ମାସ ହେଲା ନିଜ ମାଆଙ୍କୁ ଧରି ଦିଲ୍ଲୀରେ ରହିଛନ୍ତି। ଦିଲ୍ଲୀର ବିଭିନ୍ନ ସେଚ୍ଛାସେବୀ ସଂଗଠନ ତାଙ୍କୁ ଖାଇବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ସତ, କିନ୍ତୁ ତାଙ୍କ ସଂଘର୍ଷ ଏବେବି ଜାରି ରହିଛି।

ସମ୍ବନ୍ଧିତ ଖବର