ନରସିଂହପୁର: ଡିଜିସିଏ ଦ୍ୱାରା ଗଠିତ ସମସ୍ତ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ୨୦୦ ଘଣ୍ଟା ଉଡ଼ାଣ ପୂରଣ କରି ନରସିଂହପୁରର ଝିଅ ସୋନାଲିକା ମିଶ୍ର କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ (ସିପିଏଲ୍‌) ହାସଲ କରିଛନ୍ତି। ଆମ ରାଜ୍ୟରେ ପୁଅଙ୍କ ତୁଳନାରେ ଝିଅମାନେ ଅପେକ୍ଷାକୃତ କମ୍ ସଂଖ୍ୟାରେ ସିପିଏଲ୍‌ ପାଇଛନ୍ତି। ଏଭଳି ସ୍ଥିତିରେ ସୋନାଲିକା ସିପିଏଲ୍‌ ପାଇ ନରସିଂହପୁର ତଥା ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ସୋନାଲିକା ହେଉଛନ୍ତି ନରସିଂହପୁର ବାର୍‌ ଆସୋସିସନ୍‌ ସଭାପତି ନିର୍ମଳେନ୍ଦୁ ମିଶ୍ର ଓ ଦେବଯାନୀ ମିଶ୍ରଙ୍କ ଝିଅ ଏବଂ ନରସିଂହପୁର ବାର୍‌ ଆସୋସିଏନ୍‌ର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ଭଗିରଥୀ ମିଶ୍ର ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ବିନୋଦିନୀ ମିଶ୍ରଙ୍କ ନାତୁଣୀ।

Advertisment

ଏହି ସଫଳତା ପରେ ସୋନାଲିକା ତାଙ୍କ ବାପା-ମାଆ ଓ ସ୍ୱର୍ଗତ ଜେଜେ-ଜେଜେମାଙ୍କ ପ୍ରତି ଗଭୀର ସମ୍ମାନ ବ୍ୟକ୍ତ କରିଛନ୍ତି। ସେ ନରସିଂହପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରୁ ଦଶମ ଶ୍ରେଣୀ ପାସ କରି କିଟ୍ ବିଶ୍ୱବିଦ୍ୟାଳୟରେ ଯୁକ୍ତ ଦୁଇ ପରେ ଉତ୍କଳ ଏରୋସ୍ପେସ୍ ଇଞ୍ଜିନିୟରିଂ କଲେଜ ଭୁବନେଶ୍ୱରରେ ଏୟାର୍‌କ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟରିଂ ପଢ଼ିଥିଲେ। କୋଲକାତା ଏୟାର୍ ଇଣ୍ଡିଆରେ ୬ମାସ ଅନ୍‌-ଜବ୍ ଟ୍ରେନିଂ କରିଛନ୍ତି। ସେ  କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ପାଇଁ ଆବଶ୍ୟକ ସମସ୍ତ ପରୀକ୍ଷା ପାସ୍ କରି ତାଙ୍କ ଉଡ଼ାଣ ଶିକ୍ଷା ରେଡବାର୍ଡ ଫ୍ଲାଇଂ ଟ୍ରେନିଂ ଏକାଡେମିରେ ସଫଳତାର ସହିତ ସମ୍ପୂର୍ଣ୍ଣ କରିଛନ୍ତି। ଏବେ ସୋନାଲିକା ଟ୍ରେନି ପାଇଲଟ୍ ଭାବେ ଏକ ବିମାନ କମ୍ପାନିରେ ଫାଷ୍ଟ ଅଫିସର୍‌ (କୋ-ପାଇଲଟ୍) ଭାବେ କାର୍ଯ୍ୟ କରିବେ।