ଭୁବନେଶ୍ବର : ପୁଣି ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ ସୌମ୍ୟା ପ୍ରଧାନ। ୨୯ ରାଜ୍ୟରୁ ଯୋଗ ଦେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବିଜୟ ମୁକୁଟ ପିନ୍ଧିଛନ୍ତି। ଅସ୍ତିତାଭ ଏଣ୍ଟରଟେନ୍ମେଣ୍ଟ୍ ପକ୍ଷରୁ ଆୟୋଜିତ ‘ଡିଭା ମିସ୍ ଇଣ୍ଡିଆ-୨୦୧୯’ରେ ଯୋଗଦେଇ ସେ ଏହି ଟାଇଟଲ୍ ନିଜ ନାମରେ କରିଛନ୍ତି। ଖାଲି ସେତିକି ନୁହେଁ, ନିଜର ପ୍ରତିଭା ପ୍ରଦର୍ଶନ କରି ‘ସୁପର ଟ୍ୟାଲେଣ୍ଟେଡ୍’ କାଟାଗୋରିରେ ମଧ୍ୟ ପୁରସ୍କାର ପାଇଛନ୍ତି।
ଗତ ୩ ତାରିଖରେ ଉତ୍ତରାଖଣ୍ଡର ହଲଦ୍ବାନୀଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୯ଟି ରାଜ୍ୟରୁ ଜଣେ ଲେଖାଏଁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହା ପୂର୍ବରୁ ଜୁନ୍ ୩୦ତାରିଖରୁ ଏହି ପ୍ରତିଯୋଗୀମାନଙ୍କୁ ନେଇ ଏକ ଗ୍ରୁମିଂ ସେସ୍ନ ସହ ଟ୍ୟାଲେଣ୍ଟ୍ ରାଉଣ୍ଡ, ଫଟୋ ସୁଟ୍ ଆଦି କରାଯାଇଥିଲା।
୧୭ ବର୍ଷୀୟା ସୌମ୍ୟା କିଟ୍ ଇଣ୍ଟରନ୍ୟାସ୍ନାଲ୍ରେ ଦ୍ବାଦଶ ଶ୍ରେଣୀର ବିଜ୍ଞାନ ଛାତ୍ରୀ। ପିଲା ବେଳୁ ମଡେଲିଂ ପ୍ରତି ତାଙ୍କର ଆଗ୍ରହ ଥିଲା। ପୂର୍ବରୁ ସେ କିଟ୍ ନହ୍ନିପରୀରେ ‘ମିସ୍ ସେଲ୍ଫି’ ଟାଇଟଲ୍ ଓ ‘କଳିଙ୍ଗ ସୁନ୍ଦରୀ’ ଟାଇଟଲ୍ ମଧ୍ୟ ହାସଲ କରିଥିଲେ। ସୌମ୍ୟାଙ୍କ ପିତା କୈଳାସ ଚନ୍ଦ୍ର ପ୍ରଧାନ ରସାୟନ ବିଭାଗର ରିଡର୍ ଓ ମା’ କବିତା ଜଣେ ଗୃହିଣୀ। ଡାକ୍ତର ହେବାର ସ୍ବପ୍ନ ରଖିଥିବା ସୌମ୍ୟାଙ୍କୁ ତେଲୁଗୁ, ପଞ୍ଜାବୀ, ବଲିଉଡ୍ ଓ ଓଲିଉଡ୍ରେ ଅଭିନୟ ପାଇଁ ଅଫର୍ ଆସୁଥିଲେ ବି ଏବେ ସେଥିପ୍ରତି ମନ ବଳାଇ ନାହାନ୍ତି। ପ୍ରଥମେ ପାଠପଢ଼ା ଓ ପରେ ଗ୍ଲାମର୍ ଦୁନିଆ ବୋଲି ସେ କହିଛନ୍ତି। ଦ୍ବାଦଶ ପାଠପଢ଼ା ପରେ ସେ ଚଳଚ୍ଚିତ୍ର ଦୁନିଆକୁ ଆସିବେ କି ନାହିଁ, ସେ ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।