ଟୋକିଓ ଅଲିମ୍ପିକ୍‌ ପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଘୋଷଣା: ଓଡ଼ିଆ ଖେଳାଳି ଅଣଦେଖା

 

ରାଉରକେଲା: ଟୋକିଓ ଅଲିମ୍ପିକ୍‌ ପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଘୋଷଣା ହୋଇଯାଇଛି। ଏଥର ୩ ଓଡ଼ିଆ ଖେଳାଳି ପ୍ରତିନିଧିତ୍ବ କରିବେ। ପୁରୁଷ ଦଳରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଥିବାବେଳେ ମହିଳା ଦଳରେ କେବଳ ଦୀପ୍‌ଗ୍ରେସ୍‌ ଏକ୍କା ସ୍ଥାନ ପାଇଛନ୍ତି। ପୁରୁଷ ଦଳର କ୍ୟାମ୍ପ୍‌ରେ ୩ ଜଣ ଓଡ଼ିଆ ଖେଳାଳିଥିବାବେଳେ ମହିଳା କ୍ୟାମ୍ପ୍‌ରେ ୪ ଜଣ, ଅର୍ଥାତ୍‌ ମୋଟ୍‌ ୭ ଜଣ ଓଡ଼ିଆ ଖେଳାଳି କ୍ୟାମ୍ପ୍‌ରେ ସାମିଲ ହୋଇଥିଲେ।

ତେବେ ଏଥିମଧ୍ୟରୁ ମାତ୍ର ୩ ଜଣ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପକ୍କା କରିଥିବାବେଳେ ବାକି ୪ ଜଣଙ୍କୁ ନିରାଶ ହେବାକୁ ପଡ଼ିଛି। ହକି ବିଶ୍ବକପ୍‌ ହେଉ କିମ୍ବା ଅନ୍ୟ କୌଣସି ପ୍ରତିଷ୍ଠିତ ପ୍ରତିଯୋଗିତା, ସବୁଥିରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ଅଧିକ ରହୁଥିଲା। ଅଧୁନା ଏହି ସଂଖ୍ୟା କ୍ରମଶଃ ହ୍ରାସ ହେବାରେ ଲାଗିଛି। ହରିୟାଣା, ପଞ୍ଜାବ ଖେଳାଳିଙ୍କୁ ଅଗ୍ରାଧିକାର ଦେବା ଉଦ୍ଦୋ୍ୟରେ ଏକାଧିକ ଯୋଗ୍ୟ ଓଡ଼ିଆ ଖେଳାଳିଙ୍କୁ ଚଞ୍ଚକତା କରି ବାଦ୍‌ ଦିଆଯାଉଥିବା ଅଭିଯୋଗ ହେଉଛି। ଏହି ଅଭିଯୋଗ ପଛରେ କେତେ ସତ୍ୟତା ଅଛି, ତାହା ସମୟ କହିବ; କିନ୍ତୁ ଅଲିମ୍ପିକ୍‌ ପାଇଁ ଉଭୟ ପୁରୁଷ ଓ ମହିଳା ଦଳର ଚୂଡ଼ାନ୍ତ ତାଲିକାକୁ ଅବଲୋକନକଲେ, ଓଡ଼ିଶାରୁ ଅନ୍ୟୁନ ଆଉ ଜଣେ ଲେଖାଏଁ ଖେଲାଳି ସ୍ଥାପନ ପାଇବା ଉଚିତବୋଲି କ୍ରୀଡ଼ା ବିଶେଷଜ୍ଞ ମତ ଦେଇଛନ୍ତି।

ଟୋକିଓ ଅଲିମ୍ପିକ୍‌ ପାଇଁ ବାଙ୍ଗାଲୋରରେରେ ଭାରତୀୟ ମହିଳା ଦଳର କ୍ୟାମ୍ପ୍‌ ଆୟୋଜିତ ହୋଇଥିଲା। ଏଥିରେ ଚାରି ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଥିଲେ। ସେମାନେ ହେଲେ ଦୀପଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ, ନମିତା ଟପ୍ପୋ ଓ ରଶ୍ମୀତା ମିଞ୍ଜ୍‌। ତେବେ ଚୂଡ଼ାନ୍ତ ତାଲିକାରୁ ଲିଲିମା, ନମିତା ଓ ରଶ୍ମୀତାଙ୍କୁ ବାଦ୍‌ ଦିଆଗଲା। ସେହିଭଳି ପୁରୁଷ କ୍ୟାମ୍ପ୍‌ରେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିତ ଦାସଙ୍କ ସମେତ ଶୀଳାନନ୍ଦ ଲାକ୍ରା ଯୋଗଦେଇଥିଲେ। ତେବେ ଚୂଡ଼ାନ୍ତ ତାଲିକାରୁ ଶୀଳାନନ୍ଦଙ୍କୁ ବାଦ୍‌ ଦିଆଯାଇଛି। ଅଭିଜ୍ଞ ଓ ‌ଯୁବ ଖେଲାଳିଙ୍କୁ ନେଇ ଦଳ ଗଠନ କରାଯାଇଥିବା କୁହାଯାଉଛି।

ତେବେ ଗତ ୨୦୧୬ ରିଓ ଅଲିମ୍ପିକ୍‌ରେ ମହିଳା ଦଳର ପ୍ରତିନିଧିତ୍ବ କରିଥିବା ଲିଲିମା ଓ ନମିତା କ’ଣ ଅଭିଜ୍ଞ ନୁହନ୍ତି? ସେହିଭଳି ରଶ୍ମୀତା ମିଞ୍ଜ୍‌ ହେଉଛନ୍ତି ଭାରତୀୟ ମହିଳା ଦଳର ଜଣେ ଭରସାଯୋଗ୍ୟ ଡିଫେଣ୍ଡର୍‌। ଚୂଡ଼ାନ୍ତ ତାଲିକାରୁ ବାଦ୍‌ପଡ଼ିଥିବା ଶୀଳାନନ୍ଦ ହେଉଛନ୍ତି ଜଣେ ଉଦୀୟମାନ ଯୁବ ଫର୍‌ୱାର୍ଡ‌୍‌ ଖେଳାଳି। ୨୦୧୭ରେ ଜାତୀୟ କନିଷ୍ଠ ଦଳରେ ସାମିଲ ହୋଇଥିଲେ ଶୀଳାନନ୍ଦ। ଉକ୍ତ ବର୍ଷ ସୁଲତାନ ଜୋହର କପ୍‌ରେ କାଂସ୍ୟ ପଦକ ବିଜୟୀ ଭାରତୀୟ ଦଳରେ ସେ ଥିଲେ ସର୍ବାଧିକ ଗୋଲ୍‌ ସ୍କୋରର୍‌। ତା’ପରବର୍ଷ ସେ ଭାରତୀୟ ବରିଷ୍ଠ ଦଳରେ ସାମିଲ ହୋଇଥିଲେ। ତେବେ ଏହି ୪ ଜଣ ଖେଳାଳିଙ୍କୁ ଫିଟ୍‌ନେସ୍‌ ଆଧାରରେ ଦଳରୁ ବାଦ୍‌ ଦିଆଯାଇଛି ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ଚୟନ ସମିତି ମତ ରଖିନାହାନ୍ତି; କିନ୍ତୁ ସେମାନଙ୍କୁ୍‌ ବାଦ୍‌ ଦିଆଯିବା ସମସ୍ତଙ୍କୁ ସ୍ତବ୍ଧ କରିଛି।

ମହିଳା ଦଳରେ ମାତ୍ର ଜଣେ ଓଡ଼ିଆ ଖେଳାଳିଙ୍କୁ ସ୍ଥାନିତ କରିବା ଅତ୍ୟନ୍ତ ନୈରାଶ୍ୟଜନକବୋଲି ବହୁ କ୍ରୀଡ଼ାବିତ୍‌, ପୂର୍ବତନ ଖେଳାଳି ମତ ଦେଇଛନ୍ତି। ଅପରପକ୍ଷରେ ପୁରୁଷ ଦଳରେ ଦୁଇ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇବା ନେଇ ମିଶ୍ର ପ୍ରକ୍ରିକ୍ରିୟା ମିଳିଛି। ଗତ ୨୦୧୬ ରିଓ ଅଲିମ୍ପିକ୍‌ରେ ଓଡ଼ିଶାର ଜଣେ ବି ଖେଳାଳି ନ ଥିବାବେଳେ ଏଥର ୨ ଜଣ ଖେଲାଳିଙ୍କୁ ସ୍ଥାନିତ କରିବା ଆଶ୍ବସ୍ତ କରିଥିବା କିଛି ବ୍ୟକ୍ତି କହିଛନ୍ତି। ତେବେ ଶୀଳାନନ୍ଦଙ୍କ ଭଳି ଜଣେ ଉଦୀୟମାନ ଖେଳାଳିଙ୍କୁ ବାଦ୍‌ ଦେବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ମୋଟାମୋଟିଭାବେ, କେବଳ ସୁନ୍ଦରଗଡ଼ ଜିଲ୍ଲା ନୁହେଁ, ବରଂ ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର