ଭୁବନେଶ୍ୱର : ଓଡ଼ିଆ ଆଇଏଏସ୍ ଅଫିସର୍ଙ୍କୁ ପଶ୍ଚିମବଙ୍ଗ ପୁଲିସର ଦୁର୍ବ୍ୟବହାର ଘଟଣାକୁ ସପ୍ତାହକରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ସଂପୃକ୍ତ ଥାନା ଅଧିକାରୀ କିମ୍ବା ଅନ୍ୟ କର୍ମଚାରୀଙ୍କ ବିରୋଧରେ ଆଇନଗତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସାଂସ୍କୃତିକ ଅନୁଷ୍ଠାନ ‘ନୀଳଚକ୍ର’ ପକ୍ଷରୁ ଏହାକୁ ଦୃଢ଼ ନିନ୍ଦା କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି। ଅନୁଷ୍ଠାନର ସଭାନେତ୍ରୀ ନମିତା ପଣ୍ଡା ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲା ରାମପୁର ହାଟର ସବ୍ଡିଭିଜନାଲ ଅଫିସର ଭାବେ ଓଡ଼ିଆ ଆଇଏଏସ୍ ଅଫିସର୍ ସ୍ମୃତିରଞ୍ଜନ ମହାନ୍ତି କାର୍ଯ୍ୟରତ। ଗତ ନଭେମ୍ବର ୧୭ ତାରିଖ ଦିନ ସେ ତାଙ୍କ ଅଧୀନରେ ଥିବା ଏକ ଥାନା ପରିଦର୍ଶନରେ ଯାଇଥିଲେ। କିନ୍ତୁ ସେତିକିବେଳେ ଥାନାରେ ଉପସ୍ଥିତ ଥିବା ଥାନା ଅଧିକାରୀ ଓ ଏସ୍ଡିପିଓ ତାଙ୍କୁ ଅଟକ ରଖିବା ସହ ଦୁର୍ବ୍ୟବହାର କରିଥିଲେ। ଥାନା ପରିଦର୍ଶନ କରିବାକୁ କିଏ ଅନୁମତି ଦେଲା ବୋଲି ଚଢ଼ା ଗଳାରେ ପ୍ରଶ୍ନ କରିଥିଲେ। ଏପରିକି ଥାନାଗୃହ ଭିତରେ ତାଲା ପକାଇ ଦେବା ସହ ସ୍ବୀକୃତପତ୍ର ନ ଦଖାଇଲେ ଛଡ଼ାଯିବ ନାହିଁ ବୋଲି କହିଥିଲେ। ତେବେ ଦୀର୍ଘ ସମୟ ପରେ ଶ୍ରୀ ମହାନ୍ତି ସେଠାରୁ ମୁକ୍ତ ହେବା ପରେ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଧମକଚମକ ଦେଇଥିଲେ। ଏ ସଂପର୍କରେ ଶ୍ରୀ ମହାନ୍ତି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ଗୃହ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଖିତ ଅଭିଯୋଗ କରିଥିଲେ ହେଁ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଜଣେ ପ୍ରଶାସକଙ୍କୁ ପୁଲିସର ଏଭଳି ଦୁର୍ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ହସ୍ତକ୍ଷେପ କରି ଶ୍ରୀ ମହାନ୍ତିଙ୍କ ନ୍ୟାୟ ପ୍ରଦାନ କରିବା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁଷ୍ଠାନ ଦାବି କରିଛି। ଏହାବ୍ୟତୀତ ଅଭିଯୁକ୍ତମାନଙ୍କ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଅନୁଷ୍ଠାନ ଦାବି କରିଛି।
ଓଡ଼ିଆ ଆଇଏଏସ୍ ଅଫିସରଙ୍କୁ ପୁଲିସ୍ର ଦୁର୍ବ୍ୟବହାର ପ୍ରସଙ୍ଗ : ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
/sambad/media/post_attachments/wp-content/uploads/2018/11/WB-ODIA-IAS-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)