କୋରାପୁଟ/ବନ୍ଧୁଗାଁ: ତେଲୁଗୁ ଭାଷାର ବଡ଼ ପ୍ରଭାବ। କୋରାପୁଟ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅସ୍ତିତ୍ବ ହରାଉଛି ଓଡ଼ିଆ ଭାଷା। ଯାହାର ସଦ୍ୟତମ ଉଦାହରଣ ବନ୍ଧୁଗାଁ ବ୍ଲକରେ ଦେଖିବାକୁ ମିଳିଛି। ପିଲା ଅଭାବରୁ ଓଡ଼ିଶାର ୬ ବିଦ୍ୟାଳୟ ବନ୍ଦ ହୋଇଥିଲା ବେଳେ ତେଲୁଗୁ ପଢ଼ିବାକୁ ୪ ପଞ୍ଚାୟତର ୩୦ ପିଲା ଆନ୍ଧ୍ର ଯାଉଛନ୍ତି। ଆଦିବାସୀ ବହୁଳ ବନ୍ଧୁଗାଁ ବ୍ଲକର ଅଧିକାଂଶ ଅଞ୍ଚଳ ଆନ୍ଧ୍ର ସୀମାକୁ ଲାଗିଛି। ଆନ୍ଧ୍ରର ବଡ଼ ସହର ପାର୍ବତୀପୁରମ ଉପରେ ବ୍ଲକ୍‌ର ଲୋକ ଅଧିକାଂଶ କାମ ପାଇଁ ନିର୍ଭର କରୁଛନ୍ତି। ତେଣୁ ତେଲୁଗୁ ଭାଷା ଲୋକଙ୍କୁ ବହୁମାତ୍ରାରେ ପ୍ରଭାବିତ କରିଛି। ଏହି କାରଣରୁ ଓଡ଼ିଆ ବଦଳରେ ତେଲୁଗୁ ପଢ଼ାଇବା ପାଇଁ ଅଧିକାଂଶ ଅଭିଭାବକ ଆଗ୍ରହ ପ୍ରକାଶ କରୁଛନ୍ତି। ପୂର୍ବରୁ ଓଡ଼ିଶାର କିଛି ବିଦ୍ୟାଳୟରେ ଓଡ଼ିଆ ସହ ତେଲୁଗୁ ଭାଷା ଶିକ୍ଷା ନିମନ୍ତେ ଶିକ୍ଷକ ନିଯୁକ୍ତି ହୋଇଥିଲେ।

Advertisment

କାଳକ୍ରମେ ଶିକ୍ଷକ ନିଯୁକ୍ତି ବନ୍ଦ ହେବାରୁ ତେଲୁଗୁ ଶିକ୍ଷା ବନ୍ଦ ହୋଇଗଲା। ଅନ୍ୟପଟେ ତେଲୁଗୁ ଶିକ୍ଷା ପାଇଁ ଅଭିଭାବକ ପିଲାଙ୍କୁ ଆନ୍ଧ୍ର ପଠାଉଛନ୍ତି। ଯାହାଫଳରେ ପିଲା ଅଭାବ ହେବାରୁ ଓଡ଼ିଶାର କାପଲଡ଼ା ପଞ୍ଚାୟତ ଅନ୍ତର୍ଗତ ତାଡ଼ିୱାଲସା, ଜୟକଟା, ସାନବାଙ୍କିଡ଼ି, ମାନିକିୱାଲସା, ଏମ୍ଫାବାଲସା ଏବଂ ପମାଗଣ୍ଡା ପଞ୍ଚାୟତର ଜାରୱା ଓ ସିରାଝଲାସ୍ଥିତ ବିଦ୍ୟାଳୟ ବନ୍ଦ ହୋଇଯାଇଛି। ତେଲୁଗୁ ଭାଷା ବହୁଳ ଗାଁର ପିଲାମାନେ ଓଡ଼ିଶା ସୀମାଠାରୁ ୨ରୁ ୫କିମି ମଧ୍ୟରେ ରହିଥିବା ଆନ୍ଧ୍ରର ବିଭିନ୍ନ ବିଦ୍ୟାଳୟକୁ ଯାଉଛନ୍ତି। କିଛି ପିଲା ଆନ୍ଧ୍ରର ବିଭିନ୍ନ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢ଼ୁଥିବା ଜଣାପଡ଼ିଛି। ଯଦିଓ ପିଲା ଦୂର ବିଦ୍ୟାଳୟକୁ ପାଠ ପଢ଼ିବାକୁ ଗଲେ ମାଧ ସିଂ ହାତଖର୍ଚ୍ଚ ଯୋଜନାରେ ସହାୟତା ମିଳୁଛି। ତେବେ ପିଲା ତେଲୁଗୁ ଭାଷା ପଢ଼ିବା ପାଇଁ ଆନ୍ଧ୍ର ଯାଉଥିବାରୁ ଏହି ଯୋଜନାର ସୁଫଳ ପାଉନାହାନ୍ତି।