ଯାତ୍ରା ଜଗତର ହାସ୍ୟ ଅଭିନେତା ଜଗା ରାଉତଙ୍କ ଦେହାନ୍ତ

ପୁରୀ : ଯାତ୍ରା ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ଜଗା ରାଉତଙ୍କର କରୋନାରେ ପରଲୋକ ଘଟିଛି। ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।

ଦୀର୍ଘ ୬୨ ବର୍ଷ ଧରି ସେ ଯାତ୍ରାରେ ଅଭିନୟ କରିଛନ୍ତି। ୧୦ ବର୍ଷ ଛୋଟଛୋଟ ପାର୍ଟିରେ ଅଭିନୟ କରିବା ପରେ ସେ ୧୯୬୮ ମସିହା‌ରେ ସାତଶଙ୍ଖ ଅପେରା ପାର୍ଟିରେ ଯୋଗ ଦେଇଥିଲେ। ୩୫ ବର୍ଷ କାଳ ସାତଶଙ୍ଖ ଅପେରାରେ କାର୍ଯ୍ୟ କରିବା ପରେ ଗତ ୨୦୦୨ ମସିହାରେ ସେ କୋଣାର୍କ ଗଣନାଟ୍ୟରେ ଯୋଗଦେଇଥିଲେ। ଏହାପରେ ୨୦୦୮ ମସିହାରେ ସେ କଳିଙ୍ଗ ଗଣନାଟ୍ୟରେ ଯୋଗଦେଇଥିଲେ। ଅବଶ୍ୟ ଇତିମଧ୍ୟରେ ସେ ସିନେ ଜଗତକୁ ମଧ୍ୟ ଯାଇଥିଲେ। ମାତ୍ର ଯାତ୍ରା ଜଗତର ଲୋକପ୍ରିୟତା ତାଙ୍କୁ ପୁଣିଥରେ ଫେରାଇ ଆଣିଥିଲା। ସେହିଭଳି, ମଝିରେ ଶାରୀରିକ ଅସୁସ୍ଥତା ଯୋଗୁ ଡାକ୍ତରଙ୍କ ପରାମର୍ଶକ୍ରମେ ଏକ ବର୍ଷ ପାଇଁ ମଞ୍ଚ ଅଭିନୟଠାରୁ ଦୂରେଇ ରହିଥିଲେ।

ପୁରୀ ଜିଲ୍ଲା ବଳଙ୍ଗା ଥାନାର କାଳିଆପଦା ଗାଁ’ରେ ୧୯୫୮ ମସିହାରେ ଜନ୍ମଗ୍ରହଣ କରିଥିବା ଜଗା ରାଉତ ଯାତ୍ରା ଜଗତରେ ମଉସା ଭାବେ ପରିଚିତ ଥିଲେ। ସେ ରାଜଧାନୀ ତତେ ଦୁରୁ ଜୁହାର, ନକହିଲେ କୂଳ ଭାସିଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜଫୁଲ, ବୋହୂ ଆଣିଥିଲି ବେଶ୍ୟାପଡ଼ାରୁ, କହଲୋ ବଉଳ କିଏ ତୋ ବର ଭଳି ଯାତ୍ରାରେ ଅଭିନୟ କରି ଦର୍ଶକଙ୍କ ମନରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ।

ସମ୍ବନ୍ଧିତ ଖବର