କାର୍ତ୍ତିକ ଯାତ୍ରାରେ ସାମିଲ୍ ହେବାକୁ ଗାଁକୁ ଆସୁଥିଲେ ବିଚିତ୍ର, ଟ୍ରେନରୁ ଧରିନେଲା ରାଜସ୍ଥାନ ପୁଲିସ୍ ! ଲାଗିଲା ଗୁପ୍ତଚରବୃତ୍ତିର ଆରୋପ

ଭଞ୍ଜନଗର: ଘରଠାରୁ ଅନେକ ଦୂର ରାଜସ୍ଥାନରେ ଚାକିରି କରୁଥିଲେ। ଛୁଟି ନେଇ  ଗାଁକୁ ଫେରୁଥିଲେ ଭାରତୀୟ ସେନାର ଯବାନ ବିଚିତ୍ର । କାର୍ତ୍ତିକ ଯାତ୍ରାରେ ସାଙ୍ଗସାଥୀଙ୍କ ସହିତ ମଜାମଉଜ କରିଥାଆନ୍ତେ, ପରିବାର ଲୋକଙ୍କ ସହ ସୁଖଦୁଃଖ ବାଣ୍ଟିଥାଆନ୍ତେ  ଓ ସାଇପଡ଼ିଶାଙ୍କ ସହ ସମୟ ବିତାଇ ଥାଆନ୍ତେ । କିନ୍ତୁ ସବୁ କିଛି ରହିଗଲା ଅଧୁରା।  ଟ୍ରେନରୁ ହିଁ ଧରିନେଲା ପୁଲିସ୍ । ଲାଗିଲା ସଙ୍ଗୀନ ଅଭିଯୋଗ। ଏବେ ପୁଲିସ ହେପାଜତ‌ରେ ଓଡ଼ିଆ ଯବାନ ବିଚିତ୍ର ବେ‌ହେରା।

ଜନୈକା ପାକିସ୍ତାନୀ ଆଇଏସଆଇ  ମହିଳା ଏଜେଣ୍ଟଙ୍କ ହନିଟ୍ରାପରେ ପଡ଼ି ସୁରକ୍ଷା ସଂପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଶତ୍ରୁରାଷ୍ଟ୍ରକୁ ଦେଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଓଡ଼ିଶାର ଯବାନ ବିଚିତ୍ର ବେହେରା । ବିଚିତ୍ରଙ୍କ ଘର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିକଟସ୍ଥ ଆଙ୍କରୋଡ଼ା ଗ୍ରାମରେ । ସେ ରାଜସ୍ତାନର ‌ଜୈସଲମେର ଅନ୍ତର୍ଗତ ପୋଖରାନରେ ମୁତୟନ ହୋଇଥିଲେ।

୨୪ ବର୍ଷୀୟ ବିଚିତ୍ରଙ୍କୁ ରାଜସ୍ଥାନ ଜୟପୁରରେ ଗିରଫ କରି ପୁଲିସ ଅଧିକ ପଚରାଉଚରା ଲାଗି ରିମାଣ୍ଡରେ ନେଇଥିବା ସୂଚନା ରହିଛି । ଆଙ୍କରୋଡ଼ା ଗାଁରେ ଅନୁଷ୍ଠିତ ହେଉଥିବା କାର୍ତ୍ତିକ ଯାତ୍ରାରେ ଯୋଗ ଦେବା ଲାଗି ଘରକୁ ଟ୍ରେନରେ ଆସୁଥିବା ବେଳେ ବିଚିତ୍ରଙ୍କୁ ପୁଲିସ ଉଠାଇ ନେଇଛି ।

ଏହି ଖବର ତାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚିବା ପରେ ସେମାନେ ମ୍ରିୟପ୍ରାଣ ହୋଇଉଠିଛନ୍ତି । ୪ ବର୍ଷ ହେବ ବିଚିତ୍ର ସେନାରେ ଚାକିରି କରୁଥିଲେ ହେଁ ତାଙ୍କ ନିକଟରେ ସନ୍ଦେହଜନକ କାର୍ଯ୍ୟକଳାପ ଆଦୌ ଦେଖିବାକୁ ମିଳି ନ ଥିଲା । ପୁଅ କେବେ ବି ଏଭଳି କାମ କରି ନ ଥିବ । ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର । ତାକୁ ହୁଏତ କେହି ଫସାଇ ଦେଇଛି ବୋଲି କହିଛନ୍ତି ପରିବାର ଲୋକ।

ଅନ୍ୟପକ୍ଷରେ ଆଙ୍କରୋଡା ଗାଁ ଲୋକେ ମଧ୍ୟ ବିଚିତ୍ରଙ୍କ ନାଁରେ ଆସିଥିବା ଅଭିଯୋଗ ଶୁଣି ଆଚମ୍ବିତ ହୋଇଯାଇଛନ୍ତି । ସେ ଏଭଳି କାର୍ଯ୍ୟରେ ଲିପ୍ତ ଥିବ ବୋଲି ସେମାନେ ଭାବି ପାରୁନାହାନ୍ତି । ବିଚିତ୍ରଙ୍କ ବାପା କଂଗ୍ରେସ ବେହେରା ଓ ମା’ ମିନୁ ବେହେରା ମ୍ରିୟପ୍ରାଣ ହୋଇପଡ଼ିଛନ୍ତି ।

ସମ୍ବନ୍ଧିତ ଖବର