ଭେଡ଼େନ: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ବାଘପାଲି (ସୁନାଲରମ୍ଭା) ଗ୍ରାମର ଯବାନ ନୀଳାଞ୍ଚଳ ପଟେଲଙ୍କ ଅକାଳ ବିୟୋଗରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ବଡ଼ଭାଇ ନୀଳାମ୍ବର ପଟେଲ। ପ୍ରାୟ ବର୍ଷକ ତଳେ ନୀଳାମ୍ବରଙ୍କର ଦୁଇ ନାବାଳକ ପୁଅ ଗୋଟିଏ ଦିନରେ ରୋଗଗ୍ରସ୍ତ ହୋଇ ଆରପାରିକୁ ଚାଲିଯାଇଥିଲେ। ସେ ଅପୁତ୍ରିକ ହୋଇଯାଇଥିଲେ। ଏବେ ସାନଭାଇ ନୀଳାଞ୍ଚଳଙ୍କୁ ଭରସା କରିଥିଲେ ନୀଳାମ୍ବର। କିନ୍ତୁ ନୀଳାଞ୍ଚଳଙ୍କ ପରଲୋକ ଖବର ପାଇ ସେ ସ୍ତବ୍ଧ ହୋଇପଡ଼ିଛନ୍ତି। ଏବେ ନୀଳାମ୍ବର ଓ ତାଙ୍କ ମା ନୀଳାଞ୍ଚଳଙ୍କ ମରଶରୀରକୁ ଆଣିବା ଲାଗି ଭୁବନେଶ୍ବରରେ ଅଛନ୍ତି।
ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ବାଘପାଲି (ସୁନାଲରମ୍ଭା) ଗ୍ରାମର ଯବାନ ନୀଳାଞ୍ଚଳ ପଟେଲ କର୍ତ୍ତବ୍ୟରତ ଥିବା ସମୟରେ ଦୁର୍ଘଟଣାରେ ସହିଦ ହୋଇଛନ୍ତି। ସେ ୪୮- ଆସାମ୍ ରାଇଫଲ୍ରେ ମଣିପୁରରେ କାର୍ଯ୍ୟରତ ଥିଲେ।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ। ଗାଡ଼ି ଦୁର୍ଘଟଣା ହେବା ଫଳରେ ତାଙ୍କ ବିୟୋଗ ଘଟିଥିବା ଜଣାପଡ଼ିଛି। ସୁନାଲରମ୍ଭା ଗ୍ରାମର ଆଦି ପଟେଲ ଓ ଗୁରୁବାରୀ ପଟେଲଙ୍କ ଦୁଇ ପୁଅଙ୍କ ମଧ୍ୟରୁ ନୀଳାଞ୍ଚଳ ସାନ। ସେ ୨୦୦୪ ମସିହାରେ ଆସାମ ରାଇଫଲ୍ରେ ଯୋଗଦାନ କରିଥିଲେ। ଚାରି ବର୍ଷ ହେଲା ସେ ସ୍ତ୍ରୀ ରାଜେଶ୍ବରୀ ଏବଂ ଦୁଇ ଝିଅ ରାନି, ରାନୁଙ୍କ ସହ ମଣିପୁରରେ ରହୁଥିଲେ। ତାଙ୍କ ବାପାଙ୍କ କିଛି ବର୍ଷ ଆଗରୁ ଦେହାନ୍ତ ହୋଇଥିଲା। ବିଧବା ମା’ ଗୁରୁବାରୀ, ବଡ଼ଭାଇ ନୀଳାମ୍ବର ଏବଂ ଭାଉଜ ମଞ୍ଜୁଲତା ଗାଁରେ ରହୁଛନ୍ତି।ଏହି ଘଟଣା ସାରା ଗାଁକୁ ସ୍ତବ୍ଧ କରି ଦେଇଛି। ତାଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/12ebdf6c-4977-44a7-9b97-94d07cf9d043.jpg)