ମାଓ ଆକ୍ରମଣରେ ସହିଦ ମନୋରଂଜନ : କାନ୍ଦୁଛିି ମା’ ଝୁରୁଛି ଗାଁ

ବ୍ରହ୍ମଗିରି : ଆଜି ମଧ୍ୟ୍ୟାହ୍ନରେ ଛତିଶଗଡ଼ର ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଆକ୍ରମଣରେ ୯ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବ୍ରହ୍ମଗିରି ଥାନା ରେବଣା ନୂଆଗାଁର ମନୋରଞ୍ଜନ ଲେଙ୍କା। ଆଜି ଅପରାହ୍ନରେ ବ୍ରହ୍ମଗିରି ଥାନା ଓ ସିଆରପିଏଫ୍‌ ବାଟାଲିୟନ ତରଫରୁ ଏହି ଖବର ତାଙ୍କ ପରିବାରକୁ ଦିଆଯିବା ପରେ ଗାଁ ସ୍ତବ୍ଧ ହୋଇ ଯାଇଛି। ପୂରା ବ୍ରହ୍ମଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ୧୯୯୩ରେ ଜନ୍ମ ଗ୍ରହଣ କରିଥିବା ମନୋରଞ୍ଜନ ଦୁଇ ବର୍ଷ ପୂର୍ବେ ସିରଆପିଏଫ୍‌ରେ ଯୋଗ ଦେଇଥିଲେ। ଦୁଇ ଭାଇଙ୍କ ମଧ୍ୟରୁ ସେ ଥିଲେ ସାନ। ବଡ଼ ଭାଇ ଫୁଲବାଣୀରେ ଶିକ୍ଷକତା କରୁଥିବାବେଳେ ତିନି ଉଭଣୀଙ୍କ ମଧ୍ୟରୁ ଦୁଇ ଜଣ ବିବାହ କରି ସାରିଛନ୍ତି। ଆଉ ଜଣେ ଅବିବାହିତ ଅଛନ୍ତି। ମନୋରଂଜନଙ୍କ ସହିଦ ଖବର ପହଞ୍ଚିବା ପରେ ଗାଁରେ ପୂରା ନିରବତା ଛାଇ ଯାଇଛି। ଗାଁ ଲୋକଙ୍କ ସହିତ ଅଞ୍ଚଳରୁ ଶହ ଶହ ଲୋକେ ତାଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି। ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସହିଦଙ୍କ ପରିବାର ପାଖକୁ ଯାଇ ସମବେଦନା ଜଣାଉଛନ୍ତି।

ଆଜି ଥିଲା ଜନ୍ମଦିନ

ମନୋରଞ୍ଜନ ୧୯୯୩ ମାର୍ଚ୍ଚ ୧୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଆଜି ଥିଲା ତାଙ୍କର ଜନ୍ମ ଦିନ। ବାପାଙ୍କ ଦେହାନ୍ତ ହୋଇଥିବାରୁ ଘରେ ଜନ୍ମ ଦିନ ପାଳନ ହୋଇ ନ ଥିଲା। କିନ୍ତୁ ଘରେ ସମସ୍ତେ ତାଙ୍କ ଜନ୍ମ ଦିନ କଥା ମନେ ପକାଉଥିଲେ। ଏହାରି ଭିତରେ ଆସି ଘରେ ଖବର ପହଞ୍ଚିଲା ସେ ସହିଦ ହୋଇ ଯାଇଛନ୍ତି।

‘ଅପରେସନ ପାଇଁ ବାହାରୁଛି’

ଗତ ୧୧ ତାରିଖ ସଂଧ୍ୟାରେ ମନୋରଞ୍ଜନ ଘରୁ ନିଜର କର୍ତ୍ତବ୍ୟସ୍ଥଳ ଛତିଶଗଡ଼ ବାହାରିଥିଲେ। ଆଜି ସେ ନିଜ ବେସ୍‌କ୍ୟାମ୍ପରେ ପହଞ୍ଚ କାର୍ଯ୍ୟରେ ଯୋଗ ଦେଇଥିଲେ। ଘରକୁ ଫୋନ କରି କହିଥିଲେ ମୁଁ ଠିକ ଠାକ ପହଞ୍ଚଲି। ଏବେ ମୁଁ ଅପରେସନ ଡ୍ୟୁଟିରେ ଯିବି। ମା’ ଓ ଭଉଣୀଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଆଉ ଅପରାହ୍ନରେ ସେ ସହିଦ ହୋଇଥିବା ଖବର ପାଇ ସତେ ଯେମିତି ପରିବାର ମୁଣ୍ଡରେ ବଜ୍ର ପଡ଼ିଥିଲା। କିନ୍ତୁ ଏହି କଥାକୁ ସେମାନେ ବିଶ୍ୱାସ କରି ପାରୁ ନାହାନ୍ତି।

ବାପାଙ୍କ ଶୁଦ୍ଧିକ୍ରିୟା ସାରି ଫେରିଥିଲେ

ଗତ ମାର୍ଚ୍ଚ ୧୧ ତାରିଖରେ ମନୋରଞ୍ଜନ ଛୁଟିରେ ଘରକୁ ଆସିଥିଲେ। ଏହାରି ଭିତରେ ତାଙ୍କ ବାପା ଦୁର୍ଯ୍ୟୋଧନଙ୍କ ଦେହାନ୍ତ ହୋଇଥିଲା। ଦୁଇଦିନ ତଳେ ଗତ ୧୧ ତାରିଖ ସଂଧ୍ୟାରେ ବାପାଙ୍କ ଶୁଦ୍ଧିକ୍ରିୟା ସାରି ମନୋରଞ୍ଜନ ନିଜ କାର୍ଯ୍ୟସ୍ଥଳକୁ ଫେରି ଯାଇଥିଲେ।

ପାଇକ ପୁଅ ହେଲା ସହିଦ

ମନୋରଂଜନ ଥିଲେ ଜଣେ ପାଇକ ବଂଶଧର। ସେ ପିଲାଦିନରୁ ଗାାଁରେ ଥିବା ପାଇକ ଆଖଡ଼ାରେ କସରତ କରୁଥିଲେ। ମାଟିର ସୁଯୋଗ୍ୟ ସନ୍ତାନ ବକ୍ସି ଜଗବନ୍ଧୁଙ୍କ ଆଦର୍ଶରେ ନିଜକୁ ଅନୁପ୍ରାଣିତ କରିଥିଲେ। ଗାାଁରେ ରହିଛି ପାଇକ ଆଖଡ଼ା ଘର। ସେଠାକୁ ପିଲାବେଳୁ ଯିବାଆସିବା କରି ଦେଶ ପାଇଁ ଜୀବନ ଦେବାକୁ ନିଜକୁ ପ୍ରସ୍ତୁତ କରି ପାରିଥିଲେ ମନୋରଂଜନ। ଏହାରି ଭିତରେ ସେ ସିଆରପିଏଫ୍‌ରେ ଯୋଗ ଦେବାର ସୁଯୋଗ ପାଇଥିଲେ। ଦେଶ ମାତୃକାର ସେବା ପାଇଁ ଉତ୍ସାହର ସହିତ କର୍ମକ୍ଷେତ୍ରକୁ ଯାଇଥିଲେ। କିନ୍ତୁ ଏହି ସେବା ଭିତରେ ହଠାତ ସେ ପ୍ରାଣ ହରାଇବା ଖବରକୁ ବିଶ୍ୱାସ କରି ପାରୁନାହାନ୍ତି ଗ୍ରାମରେ ଥିବା ତାଙ୍କର ପିଲାବେଳର ସାଙ୍ଗସାଥୀ। ପାଇକ ପୁଅ ସହିଦ ହୋଇ ପୁଣି ବୀର ମାଟିର ମର୍ଯ୍ୟାଦା ବଢ଼ାଇଛି।

ରେବଣା ନୂଆଗାଁ ସ୍ତବ୍ଧ

ଆଜି ମନୋରଞ୍ଜନଙ୍କ ସହିଦ ଖବର ପହଞ୍ଚବା ପରେ ବ୍ରହ୍ମଗିରି ଅନ୍ତର୍ଗତ ରେବଣା ନୂଆଗାଁ ନିଶ୍ଚଳ ହୋଇ ଯାଇଛି। ଗାଁରେ ଶୋକର ଛାୟା ଖେଳିଯାଇଛି। ଗାଁ ଲୋକେ ବୀର ଯବାନଙ୍କ ପାଇଁ ଗର୍ବ କରୁଛନ୍ତି। ବାପାଙ୍କ ଦେହାନ୍ତ ପରେ ମାତ୍ର ଦୁଇ ଦିନର ଅନ୍ତରାଳରେ ସେ ସହିଦ ହୋଇଯିବା ସମସ୍ତଙ୍କୁ ବ୍ୟଥିତ କରିଛି। ବୀର ପାଇକଙ୍କ ଏହି ଗାଁ ନିଜ ମାଟିର ଜଣେ ଯୋଦ୍ଧାଙ୍କୁ ହରାଇ ଗୁମୁରି କାନ୍ଦୁଛି।

ସମ୍ବନ୍ଧିତ ଖବର