ଉତ୍ତରାଖଣ୍ଡରେ ଓଡ଼ିଆ ଯବାନ ସହିଦ୍‌, ନଭେମ୍ବର ୫ରେ ଜନ୍ମମାଟିରେ ପହଞ୍ଚିବ ପାର୍ଥିବ ଶରୀର

ଭଞ୍ଜନଗର: ଦେଶ ମାତୃକାର ସେବା କରିବା ପାଇଁ ସେନା ବାହିନୀରେ ସିପାହୀ ଭାବେ କାର୍ଯ୍ୟରତ ଥିବା ସମୟରେ ସହିଦ ହୋଇଛନ୍ତି ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍‌ ଗୁଣ୍ଡୁରିବାଡି ପଞ୍ଚାୟତ ଗୋହିରିବାଡି ଗ୍ରାମର ସ୍ବର୍ଗତ ରାଧା ମୋହନ ପ୍ରଧାନଙ୍କ ପୁଅ ଅମ୍ବିକା କୁମାର ପ୍ରଧାନ। ପରିବାର ଲୋକ ଏହି ସୂଚନା ଦେଇଛନ୍ତି। ଗୋହିରିବାଡ‌ିରେ ନିଜ ଗ୍ରାମ ହୋଇଥିବା ବ‌େଳେ ତାଙ୍କ ପରିବାର ବହୁ ବର୍ଷ ଧରି ଭଞ୍ଜନଗର ସହର ଉପକଣ୍ଠ ଲଣ୍ଡେଇ ସାହିରେ ରହୁଛନ୍ତି। ଅମ୍ବିକାଙ୍କ ବର୍ତ୍ତମାନ ଉତ୍ତାରଖଣ୍ଡ ରାଜ୍ୟର ଚମ୍ପାୱତ୍‌ ଜିଲ୍ଲାର ‘ଜେନେରାଲ ରିଜର୍ଭ  ଇଞ୍ଜିନିୟରିଂ ଫୋର୍ସ’ରେ ପୋଷ୍ଟିଂ ହୋଇଥିଲା। ସେ ବିଭିନ୍ନ ରାଜ୍ୟରେ ଦକ୍ଷତାର ସହ ନିଜର କାର୍ଯ୍ୟ ସମ୍ପାଦନା କରିଥିଲେ। ଗତ କିଛି ଦିନ ଧରି ସେ ଚମ୍ପାୱତ ଠାରେ ନିଜର କାର୍ଯ୍ୟ କରୁଥିବା ବେଳେ ହଠାତ୍‌ ଗତକାଲି ମଧ୍ୟାହ୍ନ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ଗତକାଲି ମଧ୍ୟାହ୍ନ ସମୟରେ ସେ ଖାଇବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କ ଚମ୍ପାୱତ ଜିଲ୍ଲା ସ୍ବାସ୍ଥକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସେଠାରେ ଅମ୍ବିକାକୁ ମୃତ ଘୋଷଣା କରିଥିଲେ।

ଏହି ଦୁଃଖଦ ଖବର ଜଣାପଡିବା ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି। ଏଥିସହ ତାଙ୍କ ପ‌ୈତୃକ ଗ୍ରାମ ଗୋହିରିବାଡିରେ ମଧ୍ୟ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। । ଅମ୍ବିକାଙ୍କୁ ମିଶାଇ ତାଙ୍କର ୪ ଭାଇ ରହିଥିବା ଜଣାପଡିଛି। ସେ ଦୀର୍ଘ ୨୫ ବର୍ଷ ଧରି ସେନାବାହିନୀରେ କାର୍ଯ୍ୟ କରୁଥିବା ବ‌େଳେ ଏଥି ପୂର୍ବରୁ ସେ ଉତ୍ତରାଖଣ୍ଡର ମିଜୋରାମରେ ମୁତୟନ ହୋଇଥିଲେ। ଗତ ମାସେ ପୂର୍ବରୁ ସେ ଛୁଟିରେ ଘରକୁ ଆସଥିଲେ। ପରିବାର ଲୋକଙ୍କ ସହ ହସଖୁସ‌ିରେ ଛୁଟି କଟାଇ ଗତମାସ ୨୭ ତାରିଖ ଦିନ ଚାକିରିରେ ଯୋଗ ଦେବା ପାଇଁ ଫେରି ଯାଇଥିବା ପରିବାରବର୍ଗ ପ୍ରକାଶ କରିଛନ୍ତି। ତାଙ୍କର ଗୋଟିଏ ପୁଅ ଏବଂ ଝିଅ ରହିଥିବା ବେଳେ ତାଙ୍କର ଏଭଳି ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି।

ଗତକାଲି ମୃତ୍ୟୁ ପରେ ସେଠାରେ ସେନାର ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ପରେ ସ୍ବତନ୍ତ୍ର ବିମାନରେ ତାଙ୍କ ମରଶରୀର ଆସୁଥିବା ଜଣାପଡିଛି। ଭୂବନେଶ୍ବର ଠାରେ ଆଜି ରାତି ସୁଦ୍ଧା ପହଞ୍ଚିବା ପରେ ଆସନ୍ତାକାଲି ଭଞ୍ଜନଗର ଠାରେ ପହଞ୍ଚିବ ବୋଲି ତାଙ୍କ ଦାଦା ପୁଅ ଭାଇ ରଞ୍ଜିତ ପ୍ରଧାନ ପ୍ରକାଶ କରିଛନ୍ତି। ଭଞ୍ଜନଗର ଠାରେ ଅମ୍ବିକାଙ୍କ ମର ଶରୀର ପହଞ୍ଚିବା ପରେ ଦେଶ ମାତୃକାର ସେବା ପାଇଁ ଦୀର୍ଘ ୨୫ ବର୍ଷ ଶୃଙ୍ଖଳିତ ଓ ଉତ୍ସର୍ଗୀକୃତ ସେବା କରିବା ସହ କର୍ମ କ୍ଷେତ୍ରରେ ଜଣେ ଦାୟିତ୍ବବାନ ଓ ବୀରତ୍ବ ଭାବ ପାଇଁ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ବିଦାୟ ଦିଆଯିବ ବୋଲି ଜଣାପଡିଛି। ପରିବାର ବର୍ଗଙ୍କ ସମ‌େତ ଗ୍ରାମବାସୀ ସହୀଦ ଯବାନଙ୍କ ମୃତଦେହ ଆସିବାକୁ ଅପେକ୍ଷା କରି ରହିଛନ୍ତି।

 

 

ସମ୍ବନ୍ଧିତ ଖବର