ଭୁବନ/କାମାକ୍ଷାନଗର: ସିକିମ୍ରେ ବାଦଲଫଟା ବର୍ଷାରୁ ପ୍ରଳୟଙ୍କାରୀ ବନ୍ୟା। ଏହି ବନ୍ୟାରେ ୨୩ ଜଣ ଯବାନ ନିଖୋଜ ହୋଇ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ଯୁବକ। ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ରାମ ଚନ୍ଦ୍ର ଦାସଙ୍କ ସାନପୁଅ ହାବିଳଦାର ସରୋଜ କୁମାର ଦାସ ରହିଥିବା ଜଣାପଡ଼ିଛି। ସେ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ। ମଙ୍ଗଳବାର ରାତି ୧୦ଟା ବେଳେ ସରୋଜ ପରିବାର ଲୋକଙ୍କ ସହ ମୋବାଇଲ୍ରେ କଥା ହୋଇଥିଲେ। ପ୍ରବଳ ବର୍ଷା ଯୋଗୁଁ ସେ ଗାଡ଼ି ଭିତରେ ରହିଥିବା ପରିବାର ଲୋକଙ୍କୁ କହିଥିଲେ। ତେବେ ଏହାପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇ ନଥିଲା। ସେ ନିଖୋଜ ଥିବା ଖବର ଟିଭିରୁ ଦେଖି ପରିବାର ପକ୍ଷରୁ ତାଙ୍କ ମୋବାଇଲ୍କୁ କଲ୍ କରାଯାଇଥିଲେ ବି ଫୋନ୍ ସୁଇଚ୍ ଅଫ୍ ଆସିଥିଲା। ପରେ ତାଙ୍କ ୟୁନିଟ୍ ସହ କଥା ହୋଇ ସରୋଜ ସତରେ ନିଖୋଜ ଥିବା ଜାଣିବାକୁ ପାଇଥିବା ବଡ଼ଭାଇ ମନୋଜ ଦାସ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ କହିଛନ୍ତି। ପୁଅ ସୁରକ୍ଷିତ ଭାବେ ଫେରିବାକୁ ବାପା ରାମଚନ୍ଦ୍ରଙ୍କ ସହିତ ପୂରା ପରିବାର ପ୍ରାର୍ଥନା କରିଛନ୍ତି।
ମନୋଜ କହିଛନ୍ତି, ସେମାନେ ଦୁଇ ଭାଇ ଓ ଦୁଇ ଭଉଣୀ। ସରୋଜ ସବୁଠାରୁ ସାନ ଥିଲେ। ମାତ୍ର ୭ ମାସ ତଳେ ଗଲା ଫେବ୍ରୁଆରି ୧୧ ତାରିଖ ସେ କଙ୍କଡ଼ାହାଡ଼ର ଲୋପାମୁଦ୍ରା ଦାସଙ୍କୁ ବିବାହ କରିଛନ୍ତି। ସିପାହୀରୁ ପଦୋନ୍ନତି ପାଇ ହାବିଳଦାର (ଟେକ୍ନିକାଲ-ଇଏମ୍ଇ) ହେବା ପରେ ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସି ସେପ୍ଟେମ୍ବର ୬ ତାରିଖରେ ସିକିମ୍କୁ ଡ୍ୟୁଟି ପାଇଁ ଯାଇଥିଲେ। ମଙ୍ଗଳବାର ରାତି ୧୦ଟା ବେଳେ ଘରକୁ ଫୋନ୍ କରି ପତ୍ନୀ ଓ ଭାଉଜଙ୍କ ସହ କଥା ହୋଇଥିଲେ। ଟ୍ରେନିଂ ସାରି ଆସିଥିବା ବେଳେ ସୁରକ୍ଷିତ ଭାବେ ଘାଟି ରାସ୍ତା ପାର୍ ହୋଇଥିବା ପତ୍ନୀଙ୍କୁ ସରୋଜ କହିଥିଲେ। ତେବେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ିଗୁଡ଼ିକୁ ଆଗକୁ ଯାଇ ପାରୁ ନଥିବା ଓ ସମସ୍ତେ ଗାଡ଼ି ଭିତରେ ଆଶ୍ରୟ ନେଇଥିବା ସେ ଜଣାଇଥିଲେ ବୋଲି ଭାଇ ମନୋଜ କହିଛନ୍ତି। ତେବେ ଆଜି ସକାଳ ସାଢ଼େ ୧୧ଟାରେ ତାଙ୍କ ୟୁନିଟ୍ ପକ୍ଷରୁ ସରୋଜ ନିଖୋଜ ଥିବା ମନୋଜଙ୍କୁ ଫୋନ୍ କରି ଖବର ଦିଆଯାଇଥିଲା। କିନ୍ତୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ଓ ଧୈର୍ଯ୍ୟ ଧରିବାକୁ ୟୁନିଟ୍ ପକ୍ଷରୁ ବାରମ୍ବାର କୁହାଯାଉଥିବା ମନୋଜ କହିଛନ୍ତି।
ସରୋଜ ତାଙ୍କ ପରିବାରର ଏକମାତ୍ର ପୁଅ ଭାବେ ସେନାରେ କାର୍ଯ୍ୟରତ ଥିଲେ। ଏଥିପାଇଁ ବନ୍ଧୁ, ପରିଜନ ଓ ପରିବାରବର୍ଗ ବେଶ୍ ଖୁସିଥିଲେ। କିନ୍ତୁ ସେ ବନ୍ୟାରେ ନିଖୋଜ ଖବର ମିଳିବା ପରଠାରୁ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ସକାଳୁ ପରିବାରରେ କାହାରି ପେଟକୁ ଦାନା ଯାଇନି। ସମସ୍ତେ କାନ୍ଦି କାନ୍ଦି କେବଳ ପୁଅକୁ ମନେ ପକାଉଛନ୍ତି। ସରୋଜଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଈଶ୍ବରଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରୁଛନ୍ତି।