ସିକିମର ପ୍ରଳୟଙ୍କରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନଙ୍କ ଉଦ୍ଧାର କାର୍ଯ୍ୟ ଜାରି: ଗାଁ ହନୁମାନ ମନ୍ଦିରରେ ସମୂହ ଦୀପଦାନ

କାମାକ୍ଷାନଗର/ଭୁବନ: ୩୬ ଘଣ୍ଟା ବିତିଗଲାଣି। କିନ୍ତୁ ସିକିମର ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇ ନିଖୋଜ ଓଡ଼ିଆ ଯବାନଙ୍କୁ ଏଯାଏ ଠାବ କରାଯାଇପାରିନାହିଁ। ଏହି ଯୁବକ ହେଲେ ଭୁବନ ବ୍ଲକ୍ କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ କେନ୍ଦୁଢ଼ିପ ଗାଁର ରାମଚନ୍ଦ୍ର ଦାସଙ୍କ ସାନପୁଅ ହାବିଳଦାର ସରୋଜ କୁମାର ଦାସ। ଗାଁରେ ଏବେ ବି ଶୋକାକୁଳ ପରିବେଶ ଲାଗି ରହିଛି। ବନ୍ୟାରେ ଭାସିଯାଇ ନିଖୋଜ ଯବାନଙ୍କୁ ଉଧାର କରିବା ପାଇଁ ସେନା ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଥିବା ବେଳେ , ଏପଟେ ଓଡିଆ ଯବାନଙ୍କ ସୁରକ୍ଷିତ ଉଧାର ପାଇଁ ସବୁଠି ଚାଲୁଛି ପୂଜାର୍ଚ୍ଚନା। ଗାଁ ହନୁମାନ ମନ୍ଦିରରେ ସମୂହ ଦୀପଦାନ ମଧ୍ୟ କରାଯାଇଛି। କେତେବେଳେ ସେନା ପକ୍ଷରୁ ସରିବ ସର୍ଚ ଅପରେସନ, ସୁରକ୍ଷିତ ଭାବେ ଉଦ୍ଧାର ହେବେ ଯବାନ ସରୋଜ, ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।
ସୂଚନାଯୋଗ୍ୟ, ସରୋଜ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ। ମଙ୍ଗଳବାର ରାତି ୧୦ଟା ବେଳେ ସରୋଜ ପରିବାର ଲୋକଙ୍କ ସହ ମୋବାଇଲ୍ରେ କଥା ହୋଇଥିଲେ। ପ୍ରବଳ ବର୍ଷା ଯୋଗୁଁ ସେ ଗାଡ଼ି ଭିତରେ ରହିଥିବା ପରିବାର ଲୋକଙ୍କୁ କହିଥିଲେ। ତେବେ ଏହାପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇ ନଥିଲା। ସେ ନିଖୋଜ ଥିବା ଖବର ଟିଭିରୁ ଦେଖି ପରିବାର ପକ୍ଷରୁ ତାଙ୍କ ମୋବାଇଲ୍କୁ କଲ୍ କରାଯାଇଥିଲେ ବି ଫୋନ୍ ସୁଇଚ୍ ଅଫ୍ ଆସିଥିଲା। ପରେ ତାଙ୍କ ୟୁନିଟ୍ ସହ କଥା ହୋଇ ସରୋଜ ସତରେ ନିଖୋଜ ଥିବା ଜାଣିବାକୁ ପାଇଥିବା ବଡ଼ଭାଇ ମନୋଜ ଦାସ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ କହିଛନ୍ତି। ପୁଅ ସୁରକ୍ଷିତ ଭାବେ ଫେରିବାକୁ ବାପା ରାମଚନ୍ଦ୍ରଙ୍କ ସହିତ ପୂରା ପରିବାର ପ୍ରାର୍ଥନା କରିଛନ୍ତି।
ସରୋଜ ପରିବାରରେ ସବୁଠାରୁ ସାନ ଥିଲେ। ମାତ୍ର ୭ ମାସ ତଳେ ଗଲା ଫେବ୍ରୁଆରି ୧୧ ତାରିଖ ସେ କଙ୍କଡ଼ାହାଡ଼ର ଲୋପାମୁଦ୍ରା ଦାସଙ୍କୁ ବିବାହ କରିଛନ୍ତି। ସିପାହୀରୁ ପଦୋନ୍ନତି ପାଇ ହାବିଳଦାର (ଟେକ୍ନିକାଲ-ଇଏମ୍ଇ) ହେବା ପରେ ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସି ସେପ୍ଟେମ୍ବର ୬ ତାରିଖରେ ସିକିମକୁ ଡ୍ୟୁଟି ପାଇଁ ଯାଇଥିଲେ। ମଙ୍ଗଳବାର ରାତି ୧୦ଟା ବେଳେ ଘରକୁ ଫୋନ୍ କରି ପତ୍ନୀ ଓ ଭାଉଜଙ୍କ ସହ କଥା ହୋଇଥିଲେ। ଟ୍ରେନିଂ ସାରି ଆସିଥିବା ବେଳେ ସୁରକ୍ଷିତ ଭାବେ ଘାଟି ରାସ୍ତା ପାର୍ ହୋଇଥିବା ପତ୍ନୀଙ୍କୁ ସରୋଜ କହିଥିଲେ। ତେବେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ିଗୁଡ଼ିକୁ ଆଗକୁ ଯାଇ ପାରୁ ନଥିବା ଓ ସମସ୍ତେ ଗାଡ଼ି ଭିତରେ ଆଶ୍ରୟ ନେଇଥିବା ସେ ଜଣାଇଥିଲେ ବୋଲି ଭାଇ ମନୋଜ କହିଛନ୍ତି। ତେବେ ଆଜି ସକାଳ ସାଢ଼େ ୧୧ଟାରେ ତାଙ୍କ ୟୁନିଟ୍ ପକ୍ଷରୁ ସରୋଜ ନିଖୋଜ ଥିବା ମନୋଜଙ୍କୁ ଫୋନ୍ କରି ଖବର ଦିଆଯାଇଥିଲା। କିନ୍ତୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ଓ ଧୈର୍ଯ୍ୟ ଧରିବାକୁ ୟୁନିଟ୍ ପକ୍ଷରୁ ବାରମ୍ବାର କୁହାଯାଉଥିବା ମନୋଜ କହିଛନ୍ତି।

ସମ୍ବନ୍ଧିତ ଖବର