ଆଫଗାନିସ୍ତାନରୁ ଫେରିଲେ ଓଡ଼ିଆ ଯବାନ: ‘ଦୂତାବାସ ଚାରିପାଖେ ଗୁଳିଗୋଳା ବର୍ଷୁଥିଲା’

ମହାକାଳପଡ଼ା : ଆଫଗାନିସ୍ତାନରେ ଭାରତୀୟ ଦୂତାବାସ ସୁରକ୍ଷା ଦାୟିତ୍ୱରେ ଥିବା ଏକମାତ୍ର ଓଡ଼ିଆ ଯବାନ ଦୀପକ ଚୌଧୁରୀ ସୁରକ୍ଷିତ ଭାବେ ଭାରତରେ ପହଞ୍ଚିଛନ୍ତି। ତାଙ୍କ ଘର କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ଟିକରପଙ୍ଗା ପଞ୍ଚାୟତ ନଳଦିଆ ଶାସନ ଗ୍ରାମରେ। ସେ ଭାରତ ଫେରିବା ପରେ ଏବେ ଦିଲ୍ଲୀରେ ଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ନଳଦିଆଶାସନ ଗ୍ରାମର ତ୍ରିଲୋଚନ ଚୌଧୁରୀ ଓ ମଞ୍ଜୁଲତା ଚୌଧୁରୀଙ୍କ ପୁଅ ଦୀପକ ଆଇଟିବିପିରେ କମାଣ୍ଡୋ ଭାବେ ଗତ ୨୦୦୦ ମସିହାରେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ। ଚଳିତବର୍ଷ ଫେବ୍ରୁଆରିରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଆଫଗାନିସ୍ତାନର କାନ୍ଦାହାରଠାରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସର ନିରାପତ୍ତା ନିମନ୍ତେ ପଠାଯାଇଥିଲା। ସେଠାରେ ତାଲିବାନୀମାନଙ୍କ ଗତିବିଧି ବଢ଼ିବା ସହିତ ଆକ୍ରମଣ ହେବ‌ାରୁ ଗତ ଜୁଲାଇ ମାସରେ ଦୂତାବାସ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ତତ୍‌ସହିତ ସେଠାରେ ଥିବା ୭ ଜଣ ଦୂତାବାସ କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେତେବେଳକୁ ଦୂତାବାସ ଚାରିପଟେ ଗୁଳି ଓ ରକେଟ୍‌ ମାଡ଼ ଯୋଗୁଁ ସୁରକ୍ଷା ଦାୟିତ୍ୱରେ ଥିବା ଦୀପକଙ୍କୁ ମିଶାଇ ୪୫ ଜଣ ଭାରତୀୟ ଯବାନ ଆଶଙ୍କା ମଧ୍ୟରେ ରହିଥିଲେ। ଜୀବନକୁ ବାଜି ଲଗାଇ ସେମାନେ ଗତ ୯ତାରିଖ ସକାଳେ ୭ଜଣ ଦୂତାବାସ କର୍ମଚାରୀଙ୍କୁ ନେଇ କାନ୍ଦାହାର ବିମାନବନ୍ଦରରେ ପହଞ୍ଚିଥିଲେ। ହେଲେ, ସେହିଦିନ ରାତିରେ ସେମାନଙ୍କୁ ସେଠାରେ ଅଟକିବାକୁ ପଡ଼ିଥିଲା। ୧୦ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ସି-୧୭ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ରାତି ପ୍ରାୟ ୩ଟା ସମୟରେ ଦୂତାବାସ କର୍ମଚାରୀ ଓ ସମସ୍ତ ଯବାନ ସୁରକ୍ଷିତ ଭାବେ ଭାରତର ଗାଜିଆବାଦ ବିମାନ ବନ୍ଦରରେ ପହଞ୍ଚିଥିଲେ।

ଦୀପକଙ୍କ କହିବାନୁଯାୟୀ, ପରିସ୍ଥିତି ଏପରି ଥିଲା ଯେ ୯ ତାରିଖ ସକାଳ ୬ଟାରୁ ୧୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ସେଠାରେ ଖାଦ୍ୟ ଖାଇ ପାରି ନ ଥିଲେ। ଭାରତୀୟ ଦୂତାବାସର ଚାରିପାଖରେ ତାଲିବାନୀଙ୍କ ଦ୍ୱାରା ଗୁଳିଗୋଳା ବର୍ଷା ହେଉଥିଲା। ଦୂତାବାସରୁ ବିମାନବନ୍ଦରକୁ ଆସିବା ବାଟରେ ମଧ୍ୟ ଅନେକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିଥିଲା। ଏପରିକି ରାସ୍ତାରେ ଅସ୍ତ୍ରଶସ୍ତ୍ରଧାରୀ ତାଲିବାନୀମାନଙ୍କୁ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା। ସେଠାକାର ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ଥିଲା। ଦେଶ ମାଟିରେ ପାଦ ରଖିବା ପରେ ଦୀପକ ଆଶ୍ୱସ୍ତ ହୋଇଥିବା ବେଳେ ସେ ଏବେ ଦିଲ୍ଲୀରେ ଅଛନ୍ତି।

ଅନ୍ୟପକ୍ଷରେ, ଦୀପକଙ୍କ ବାପା, ମାଙ୍କ ପ୍ରତିକ୍ରିୟା ନେବାରୁ ସେମାନେ ପୁଅ ଫେରିବାକୁ ନେଇ ଖୁସି ଥିବା ଓ ଭଗବାନଙ୍କ ଦୟାରୁ ଏହା ସମ୍ଭବ ହେଲା ବୋଲି ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର