ରାଇରଙ୍ଗପୁର: କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘର ଏକ ରାଜ୍ୟସ୍ତରୀୟ ପ୍ରତିନିଧ ଦଳ ନୂଆଦିଲ୍ଲୀ ଗସ୍ତରେ ଯାଇ ରାଷ୍ଟ୍ରପତି ଭବନ ଠାରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସେ ସମସ୍ତଙ୍କ ସହ ପରିଚିତ ହେବା ପରେ ମୋ ପ୍ରିୟ ଓଡିଶାବାସୀ କେମିତି ଅଛନ୍ତି ବୋଲି ପଚାରି ଥିଲେ। ଏହି ଅବସରରେ ସେ ରାଜ୍ୟରେ ଚାଷ ପାଇଁ ଆବଶ୍ୟକତାରୁ କମ୍ ବୃଷ୍ଟିପାତ ହୋଇଥିବା ନେଇ ଚାଷ ଓ ଚାଷୀଙ୍କ ପରିସ୍ଥିତିକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ। ତାଙ୍କ ଗାଁରୁ ଫୋନ ଯୋଗେ ସୂଚନା ପାଇଥିଲେ ବର୍ଷା ନାହିଁ ବୋଲି ସେ ଚିନ୍ତା ଓ ଗଭୀର ଉଦବେଗ ପ୍ରକଟ କରିଥିଲେ।

Advertisment

ଏହି ଅବସରରେ ସଂଘର ସଭାପତି ମନୋଜ ଦାସ ରାଷ୍ଟ୍ରପତିଙ୍କୁ ଏକ ଔପଢୌକନ ପ୍ରଦାନ କରି ରାଜ୍ୟରେ ସାମ୍ବାଦିକଙ୍କ ସ୍ଥିତି ଓ ସମସ୍ୟା ସମ୍ବନ୍ଧରେ ଅବଗତ କରାଇଥିିଲେ । ସାମ୍ବାଦିକ ଗଣନା, କାର୍ଯ୍ୟ କ୍ଷେତ୍ରରେ ବୃତ୍ତିଗତ ସୁରକ୍ଷା, ପେନସନ ପ୍ରଦାନ, ଟୋଲ ଟିକସ ଛାଡ କରିବା ଇତ୍ୟାଦି ସମ୍ବନ୍ଧରେ ସୂଚନା ଓ ଦାବି ଜଣାଇଥିଲେ। ସାଧାରଣ ସମ୍ପାଦକ ରାଜକିଶୋର ସ୍ୱାଇଁ ସଂଘର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେବା ସହ ପିପିଲି ପ୍ରସିଦ୍ଧ ଚାନ୍ଦୁଆ ହସ୍ତକଳାର ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରଚାରପ୍ରସାର ଓ କଳାକାରଙ୍କ ସମସ୍ୟା ସମ୍ବନ୍ଧରେ ମହାମହିମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉପସଭାପତି ସୌରଭ ପଟ୍ଟନାୟକ ରାଷ୍ଟ୍ରପତିଙ୍କ ଅଞ୍ଚଳ ରାଇରଙ୍ଗପୁର,ବାମନଘାଟୀ ଉପଖଣ୍ଡ ତଥା ଜିଲାର ପ୍ରମୁଖ ସମସ୍ୟା ଯଥା ରାଇରଙ୍ଗପୁରକୁ ନୂତନ ଜିଲା ମାନ୍ୟତା, ଖଣିଭିତ୍ତିକ ଶିଳ୍ପ ପ୍ରତିଷ୍ଠା,ବାଦାମପାହାଡରୁ କେନ୍ଦ୍ୁଝର ଓ ଗୋରୁମହିଷାଣୀରୁ ବାଙ୍ଗିିରିପୋଷୀ ରେଳଲାଇନ ସମ୍ପ୍ରସାରଣ ପ୍ରକଳ୍ପ ତ୍ୱରାନ୍ୱିତ କରିବା, ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା, ବାଙ୍ଗିରିପୋଷୀ ଘାଟି ରାସ୍ତା ପ୍ରଶସ୍ତିକରଣ କରିବା, ରାଇରଙ୍ଗପୁର କଲେଜ ଓ ମହିଳା ମହାବିଦ୍ୟାଳୟକୁ ସରକାର ହାତକୁ ନେବା, ଆନ୍ତରାଜ୍ୟ ଜାତୀୟ ରାଜପଥର ୨୨୦ର ତିରିଂ-ଟାରୁ ହାତା ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କରିବା ଇତ୍ୟାଦି ସମସ୍ୟା ସମ୍ବନ୍ଧରେ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ଗସ୍ତ ସମୟରେ ମହାମହିମ ରାଷ୍ଟ୍ରପତିଙ୍କୁ ପୁରୀ ମହାପ୍ରସାଦ, ଉପଢୌକନ, ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପିପିଲି ଚାନ୍ଦୁଆ, ପୁସ୍ତକ, ସାଲ ଇତ୍ୟାଦି ପ୍ରଦାନ କରାଯାଇଥିଲା । ସୌରଭ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଗସ୍ତରେ ସଂଘର କାର୍ଯ୍ୟକାରୀ ସଭାପତି ପରମେଶ୍ୱର ଦାଶ, ଉପସଭାପତି ବିନାୟକ ମିଶ୍ର, ନୀଳମଣି ସାହୁ, ସୁବାଷ ସ୍ୱାଇଁ, ଜୟସେନ ପରିଡା, ଚନ୍ଦ୍ରମାଧବ ମିଶ୍ର,ବାସୁଦେବ ବରାଡ, ଦିପକ ମହାପାତ୍ର, ଜୟକାନ୍ତ ରାଉତ, ବିଶ୍ୱଜିତ ପଟ୍ଟନାୟକ, ସୂର୍ଯ୍ୟନାରାୟଣ ପ୍ରଧାନ, କୈଳାଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଏତଦ୍ବ୍ୟତୀତ ଅତିଥି, ପରାମର୍ଶଦାତା ଭାବେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଡଃ.ସୁଧୀର ସାକ୍ସେନା, ସମାଜସେବୀ ରବୀନ୍ଦ୍ର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ ।