ପାଟପୁର : ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ଗତ ୫ ମାସ ଭିତରେ ଜିଲ୍ଲାର ୨୪ ଶ୍ରମିକଙ୍କ ଦେଶ ଓ ଦେଶ ବାହାରେ ମୃତ୍ୟୁ ହୋଇଛି। ଏହା ଛଡ଼ା ବହୁ ଶ୍ରମିକ ବିଭିନ୍ନ ସ୍ଥାନରେ ନିର୍ଯାତିତ ହୋଇ ଫସିରହିଛନ୍ତି। ଏହି ଧାରାରେ ସଦ୍ୟ ଯୋଡ଼ିହୋଇଛି ଆଉ ଏକ ଦୁଃଖଦ ଘଟଣା। ଚେନ୍ନାଇରେ କାମ କରୁଥିବା ଜିଲ୍ଲାର ଆଉ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ, ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗି ଗ୍ରାମର ମଙ୍ଗୁଳୁ ପାତ୍ର (୪୭)।
ସୂଚନା ଅନୁସାରେ ସବୁଦିନ ଭଳି ଗତକାଲି ମଧ୍ୟ ମଙ୍ଗୁଳୁ କାମ କରିବାକୁ କର୍ମସ୍ଥଳକୁ ଯାଇଥିଲେ। କିନ୍ତୁ ହଠାତ୍ ରାସ୍ତାକଡ଼ରୁ ତାଙ୍କ ଶବ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା। ମଙ୍ଗୁଳୁଙ୍କ ଶବକୁ ସେଠାକାର ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏଯାଏ ତାଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହୋଇପାରିନି। ପରିବାରବର୍ଗ ଅତ୍ୟନ୍ତ ଗରିବ ହୋଇଥିବା କାରଣରୁ ଶବକୁ ଆଣିବା ଲାଗି ସେମାନେ ଅକ୍ଷମତା ପ୍ରକାଶ କରିଛନ୍ତି। ଫଳରେ ଚେନ୍ନାଇରେ ହିଁ ଶବକୁ ଦାହ କରାଯିବ ବୋଲି ଜଣାପଡ଼ିଛି। ଚେନ୍ନାଇ ନିକଟରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ମଙ୍ଗୁଳୁଙ୍କ ୨୨ ବର୍ଷର ପୁଅ ଖବର ପାଇ ସେଠାରେ ପହଞ୍ଚିଛନ୍ତି।
ମଙ୍ଗୁଳୁଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବେସାହାରା ହୋଇଛି। ଗାଁରେ ଏବେ ଦୁଇଝିଅ ଓ ପତ୍ନୀ ଅଛନ୍ତି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ସହାୟତା ପ୍ରଦାନ ଦାବି ହୋଇଛି। ସାନଖେମୁଣ୍ଡି ବ୍ଲକ୍ରୁ ଗତ ୨ ମାସ ମଧ୍ୟରେ ଏହାକୁ ମିଶାଇ ୪ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ମେ’ ୩ ତାରିଖରେ ଶରତ ପ୍ରଧାନଙ୍କ ପୁଅ ଜିତୁ ପ୍ରଧାନ ସୁରତରେ ଓ ଏପ୍ରିଲ୍ ୨୩ ତାରିଖରେ କଉଡ଼ିଆ ଗ୍ରାମର ଜିତେନ୍ଦ୍ର ଦଳେଇ ସୁରତରେ ମୃତ୍ୟୁବରଣ କରିଥିଲେ। ସେହିପରି ସାହସପୁରର ଏ. କୃଷ୍ଣମୂର୍ତ୍ତି ଦୋରାଙ୍କ ମଧ୍ୟ ବାହାର ରାଜ୍ୟରେ ମୃତ୍ୟୁ ଘଟିଥିଲା।