କେରଳରେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା

କରିଲୋପାଟଣା : କେରଳରେ ଜଣେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶ୍ରମିକ ଜଣଙ୍କ ହେଉଛନ୍ତି ସଞ୍ଜିତ କୁମାର ସୂତାର (୨୭)। ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ନଡ଼ିଆବରାଇ ଗ୍ରାମରେ। ପରିବାର ଲୋକେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି।

ଅଭିଯୋଗ ଅନୁସାରେ, ନଡିଆବରାଇ ଗ୍ରାମର ସ୍ୱର୍ଗତ ଗୁରୁଚରଣ ସୂତାରଙ୍କ ପୁଅ ସଞ୍ଜିତ ଦୀର୍ଘ ଦିନ ହେବ କେରଳର ଏର୍ଣ୍ଣାକୁଲମ ଜିଲ୍ଲା ଆଲୁଭା ଇଷ୍ଟ ଥାନା ଅନ୍ତର୍ଗତ ପରଭୁର କାବଲା ସହରରେ ଏକ ମଟରସାଇକେଲ୍‌ ଗ୍ୟାରେଜ୍‌ରେ ମେକାନିକ୍‌ ଭାବେ କାର୍ଯ୍ୟ କରୁଥିଲେ। ଗତ ୬ ତାରିଖରୁ ସେ ନିଖୋଜ ହୋଇଯାଇଥିଲେ। ନିଖୋଜ ସମ୍ପର୍କରେ ଗ୍ୟାରେଜ୍‌ ମାଲିକ ଇକ୍‌ବାଲ୍‌ ଉକ୍ତ ରାଜ୍ୟର ପେରେମ୍ଭୁରମ ଥାନା ମୁଡିକାଲ୍‌ ସହରସ୍ଥିତ ଏକ ପ୍ଲାଏଉଡ୍‌ କମ୍ପାନିରେ କାମ କରୁଥିବା ସଞ୍ଜିତଙ୍କ ବଡ଼ ଭାଇ ରଜତ୍‌ କୁମାର ସୂତାରଙ୍କୁ ସୂଚନା ଦେଇଥିଲେ।

ଖୋଜାଖୋଜି କରିବା ସହ ଗ୍ୟାରେଜ୍‌ ମାଲିକ ଇକବାଲ୍‌ ରଜତ୍‌ଙ୍କୁ ସାଙ୍ଗରେ ନେଇ ପେରିଆର୍‌ ନଦୀ କୂଳ ନିକଟସ୍ଥ ମଙ୍ଗଳାପୁରା ପୋଲ ନିକଟକୁ ଖୋଜିବାକୁ ଯାଇଥିବା ବେଳେ ସେଠାରେ ସଞ୍ଜିତଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଗତ ୧୧ ତାରିଖରେ ରଜତ ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ସହ ସେଠାରେ ଶବ ସଂସ୍କାର କରିଥିଲେ। ବକେୟା ଟଙ୍କା ମାଗିବାରୁ ଗ୍ୟାରେଜ୍‌ ମାଲିକ ଓ ତାଙ୍କ ଭାଇ ସାଦିକ୍‌ ସଞ୍ଜିତଙ୍କୁ ହତ୍ୟା କରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏଥିସହ ମା’ ପ୍ରମିଳାଙ୍କ ସହ ପରିବାର ଲୋକେ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ନିକଟକୁ ପତ୍ର ଲେଖି ଦାବି କରିବା ସହ ଜିଲ୍ଲାପାଳ ରେଘୁଜୀ ଓ ଏସ୍‌ପି ଦୟାନଧି ଗୋଚ୍ଛାୟତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର