କରୋନା ପାଇଁ ମଣିଷ ମଡ଼କ: ଶଯ୍ୟା ନ ମିଳିବାରୁ ସୁରତରେ ଓଡ଼ିଆ ଶ୍ରମିକ ମୃତ

ଭଞ୍ଜନଗର : ଶଯ୍ୟା ନମିଳିବାରୁ ସୁରତରେ ଜଣେ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଦଦରାଲୁଣ୍ଡା ଗ୍ରାମର ଭଗବାନ ନାୟକ (୪୧)। ଭଗବାନଙ୍କ ଶେଷଦର୍ଶନ କରିବା ପରିବାର ‌େଲାକଙ୍କ ଭାଗ୍ୟରେ ଜୁଟିନି। ତେବେ, ଅକାଳ ବିୟୋଗ ପରେ ତାଙ୍କ ବିଧବା ମାଆ ଓ ପତ୍ନୀଙ୍କ ପାଦତଳୁ ମାଟି ଧସିଯାଇଛି। ପୂରା ପରିବାର ବେସାହାରା ପାଲଟିଛି।

ଭଗବାନ ଗତବର୍ଷ କଟକଣା ସମୟରେ ଘରକୁ ଫେରିଥିବା ବେଳେ ପୁଣି ନଭେମ୍ବରରେ ସୁରତ ପଳାଇଥିଲେ। ସେଠାରେ ସେ ଅଞ୍ଜନି ଇଲାକାରେ ଥିବା ଗୋଟିଏ ସୂତାକଳରେ କାମ କରୁଥିଲେ। ଗତ ୧୬ ତାରିଖରେ ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହ ହାତଗୋଡ଼ ପ୍ରବଳ ଯନ୍ତ୍ରଣା ହୋଇଥିଲା। ଫଳରେ ନିକଟରେ ଥିବା ଶାଳକ ସନ୍ତୋଷ ଦାଶ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। କିନ୍ତୁ କୌଣସି ଡାକ୍ତରଖାନାରେ ସେମାନଙ୍କୁ ଶଯ୍ୟା ମିଳି ନଥିଲା। ଏପଟେ ଭଗବାନଙ୍କ ଅବସ୍ଥା ସଂକଟାପନ୍ନ ହେବାକୁ ଲାଗିଲା। ୪ଟି ଡାକ୍ତରଖାନା ବୁଲିବା ପରେ ଅପରାହ୍‌ଣ ୪ଟାରେ ଏକ ଘରୋଇ ମେଡିକାଲରେ ଭଗବାନଙ୍କୁ ଶଯ୍ୟା ମିଳିଥିଲା। ଏଥିପାଇଁ ୭୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ସେଠାରେ ଅକ୍ସିଜେନ୍ ଦିଆଯିବା ସହ କରୋନା ପରୀକ୍ଷା ପାଇଁ ସ୍ବାବ୍ ସଂଗ୍ରହ କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା। ସେ କଥାବାର୍ତ୍ତା ବି କରୁଥିଲେ। କିନ୍ତୁ ସୁରତରେ କରୋନାର ଭୟାବହ ସ୍ଥିତିକୁ ନେଇ ଭଗବାନ ବିଚଳିତ ହେଉଥିଲେ। ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରେ ଭଗବାନ ଆଖି ବୁଜିଦେଇଥିଲେ। ଶାଳକ ସନ୍ତୋଷ ଓ ତାଙ୍କର କିଛି ସହଯୋଗୀ ଭଗବାନଙ୍କ ଶବକୁ ନେଇ ଦାହ କରିଥିଲେ। ଆଜି ଭିଣୋଇଙ୍କ ଅସ୍ଥି ନେଇ ସେ ଆଜି ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘରେ ବିଧବା ମାଆ ଝରା ନାୟକଙ୍କ ସମେତ ପତ୍ନୀ ଓ ଜଣେ ୧୫ ବର୍ଷର ପୁଅ ଏବଂ ୧୨ ବର୍ଷର ଝିଅ ଅଛନ୍ତି। ସେମାନଙ୍କ ଭବିଷ୍ୟତ ନେଇ ପରିବାର ଚିନ୍ତାରେ ପଡ଼ିଯାଇଛନ୍ତି।

ସମ୍ବନ୍ଧିତ ଖବର