ସୁରତରେ ଓଡ଼ିଆ ଶ୍ରମିକଙ୍କୁ ପୁଲିସ ପିଟି ପିଟି ମାରିବା ଘଟଣା : ଜାତୀୟ ମାନବାଧିକାର କମିସନଙ୍କୁ ଫେରାଦ ଦେଲା କଂଗ୍ରେସ

ଭୁବନେଶ୍ବର : ସୁରତ ଆମ୍ରୋଲି ଥାନା ପୁଲିସ ମାଡ଼ରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛି। ସମ୍ପୃକ୍ତ ଘଟଣାରେ ଦୋଷୀ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସମେତ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ କମିସନଙ୍କ ନିକଟରେ ଦଳୀୟ ନେତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ପିଟିସନ୍‌ ଦାୟର କରିଛନ୍ତି।

ତାଲାବନ୍ଦ ଯୋଗୁଁ ସୁରତର ସୂତାକଳଗୁଡ଼ିକରେ ତାଲା ଝୁଲୁଛି। ରୋଜଗାର ହରାଇ ମାସାଧିକ କାଳ ଓଡ଼ିଆ ଶ୍ରମିକମାନେ ଭୋକ ଉପାସରେ ପଡ଼ିଛନ୍ତି। ଭିଟାମାଟିକୁ ଫେରିବା ପାଇଁ ନିଜ ହାତରୁ ଟଙ୍କା ଦେଇ ଟ୍ରେନ୍‌ ଟିକେଟ୍‌ କିଣିବାକୁ ସେମାନଙ୍କୁ ଦହଗଞ୍ଜ ହେବାକୁ ପଡ଼ୁଛି। ଟ୍ରେନ୍‌ ଟିକେଟ୍‌ କଳାବଜାରୀ ହେଉଥିବାର ଅଭିଯୋଗ କରି ପ୍ରବାସୀମାନେ ଆମ୍ରୋଲି ଥାନା ପୁଲିସର ସହଯୋଗ ମାଗିଥିଲେ। ଏହାକୁ ନେଇ ଗତ ଗୁରୁବାର ଥାନାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ପୁଲିସ ପ୍ରବାସୀ ଶ୍ରମିକମାନଙ୍କୁ ଘଉଡାଇ ଥିଲା। କିନ୍ତୁ ସେହିଦିନ କେତେଜଣ ପୁଲିସ ଏହି ଘଟଣାକୁ ନେଇ ଅଞ୍ଜନୀ ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ରେ ଶ୍ରମିକ ରହୁଥିବା କମ୍ପାନି ଘରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡ଼ା ଗ୍ରାମର ସତ୍ୟ ସ୍ବାଇଁଙ୍କୁ ପିଟି ପିଟି ଥାନାକୁ ଉଠାଇ ନେଇଥିଲେ। ପରେ ସ୍ଥାନୀୟ ଡାକ୍ତରଖାନାରେ ସତ୍ୟର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ। ପୁଲିସ ମାଡ଼ରେ ସତ୍ୟର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର