ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଧର୍ମଶାଳା: ଦାଦନ ଖଟିବାକୁ ଯାଇଥିବା ଯୁବକଙ୍କର ତାମିଲନାଡ଼ୁରେ ମୃତ୍ୟୁ ହୋଇଛି। ମୃତ ଯୁବକ ଧର୍ମଶାଳା ବ୍ଲକ୍‌ ଜାରକା ପଞ୍ଚାୟତ ଉତ୍ତର ଶାସନ(ଖ) ଗ୍ରାମର ସୁରେନ୍ଦ୍ର ଖଟୁଆ(୩୫)। ସ୍ବର୍ଗତ ଅର୍ଜୁନ ଖଟୁଆଙ୍କ ସାନପୁଅ ସୁରେନ୍ଦ୍ର ୧୫ବର୍ଷ ହେଲା ତାମିଲନାଡୁ ହର୍ସୁସ୍ଥିତ ସୁପ୍ରିମ୍ ପ୍ୟାକେଜ୍ ପ୍ଲାଷ୍ଟିକ୍ ଫେବ୍ରିକେସନ କମ୍ପାନିରେ ସୁପରଭାଇଜର ଭାବେ କାର୍ଯ୍ୟରତ ଥିଲେ। ଗତ ୧ ତାରିଖରେ କମ୍ପାନିରେ କାମ କରୁଥିବା ବେଳେ ସୁରେନ୍ଦ୍ର ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିଲା।

ତାଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେ କୋମାକୁ ଚାଲି ଯାଇଥିବାରୁ କମ୍ପାନି କର୍ତ୍ତୃପକ୍ଷ ତାଙ୍କୁ ଏକ ଆମ୍ବୁଲାନ୍ସରେ ଘରକୁ ପଠାଇ ଦେଇଥିଲେ। ଗାଁରେ ପହଞ୍ଚିବା ପରେ ଗତ ୪ ତାରିଖରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା। ସୁରେନ୍ଦ୍ରଙ୍କ ପତ୍ନୀ ଓ ଝିଅ ଅଛନ୍ତି। ସରପ‌ଞ୍ଚ ସୁଦାମ ଚରଣ ବେହେରା, ଯୁବନେତା ଅମରେନ୍ଦ୍ର ରାଉତ, କାଳନ୍ଦୀ ସାହୁ, ଅମରେନ୍ଦ୍ର ମହାନ୍ତି, ସୁଦାମ ବେହେରା, ସତ୍ୟବ୍ରତ ମହାରଣା, ଶ୍ରୀନିବାସ ଖଟୁଆ ପ୍ରମୁଖ ଶବାଧାରରେ ସାମିଲ ହୋଇଥିଲେ। ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରାଇଥିଲା। ପୁତୁରା ପୀତବାସ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର