ତେଲେଙ୍ଗନାରେ ଓଡ଼ିଆ ଶ୍ରମିକ ମୃତ, ଶବ ଦେଖି ପରିବାର ଲୋକ ତାଜୁବ!

ନୀଳଗିରି : ତେଲେଙ୍ଗାନାର ଏକ ଗ୍ରାନାଇଟ୍‌ କାରଖାନାରେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ କମ୍ପାନି କର୍ତ୍ତୃପକ୍ଷ ମୃତ୍ୟୁ ସମ୍ପର୍କରେ ପରିବାର ଲୋକଙ୍କୁ ନ ଜଣାଇ ମୃତଦେହ ପଠାଇଦେଇଥିଲେ। ହଠାତ୍‌ ମୃତଦେହ ପହଞ୍ଚିବା ପରେ ପରିବାର ଓ ଗାଁ ଲୋକ ତାଜୁବ୍‌ ହୋଇଯାଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ମୃତଦେହ ସହିତ ଆସିଥିବା ୩ ଜଣଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ। ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରତିଶ୍ରୁତି ପରେ ଯାଇ ଛାଡ଼ିଥିବା ଜଣାପଡ଼ିଛି।

ମୃତ ଶ୍ରମିକ ହେଉଛନ୍ତି, ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ ନରସିଂହପୁର ଗ୍ରାମର ସ୍ବର୍ଗତ ଅଭୟ ମହାପାତ୍ରଙ୍କ ପୁତ୍ର ମନୋରଂଜନ(୪୯)। ସେ କରିମନଗର ଜିଲ୍ଲା କରିମନଗର ସହରରେ ଅବସ୍ଥିତ ଥିବା କରିମ ଗ୍ରାନାଇଟ୍‌ କମ୍ପାନୀରେ ମନୋରଂଜନ ଦୀର୍ଘଦିନ ଧରି ଶ୍ରମିକ ରୂପରେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ଦିନ ୧୨ଟା ୩୦ ମିନିଟ୍‌ ସମୟରେ କାର୍ଯ୍ୟରତ ମନୋରଂଜନଙ୍କ ଉପରେ ହଠାତ୍ ଉପରୁ ଗ୍ରାନାଇଟ୍‌ ସ୍ଲାବ୍‌ଟି ଖସିପଡ଼ିଥିଲା। ସାଥୀ ଶ୍ରମିକମାନେ ତାଙ୍କୁ କମ୍ପାନି ଗାଡ଼ିରେ ନିକଟସ୍ଥ କରିମନଗର ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ମନୋରଂଜନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏ ବିଷୟରେ କମ୍ପାନି କର୍ତ୍ତୃପକ୍ଷ ମନୋରଂଜନଙ୍କ ଘରକୁ ନ ଜଣାଇ ଏକ ଘରୋଇ ଆମ୍ବୁଲାନ୍‌ସରେ ଶବ ପଠାଇ ଦେଇଥିଲେ। ଆମ୍ବୁଲାନ୍‌ସ ସହିତ ୩ ଓଡ଼ିଅ‌ା ସାଥୀ ଶ୍ରମିକଙ୍କ ହାତରେ ମାଲିକ ଶବଦାହ ପାଇଁ ୨୦ ହଜାର ଟଙ୍କା ପଠାଇଥିଲେ।

ଆଜି ସକାଳେ ୮ଟା ୩୦ ମିନିଟ୍‌ ସମୟରେ ଉକ୍ତ ଆମ୍ବୁଲାନ୍‌ସଟି ଘରେ ପହଞ୍ଚିବା କ୍ଷଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସଂପର୍କୀୟ ଗ୍ରାମବାସୀ ଶବ ନିକଟରେ ପହଞ୍ଚି ଆମ୍ବୁଲାନ୍‌ସ ଗାଡ଼ି, ଡ୍ରାଇଭର, ହେଲପର ଓ ତାଙ୍କ ସହିତ ଅ‌ାସିଥିବା ସାଥୀ ଶ୍ରମିକ ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅଧୀନ ମଧୁପୁରା ଗ୍ରାମର କମଳାକାନ୍ତ ଦାସଙ୍କ ପୁଅ ଜ୍ୟୋତିର୍ମୟ(୨୭), ଖଏର୍ଦ୍ଦା ଗ୍ରାମର ସ୍ବର୍ଗତ ପ୍ରଦୀପ ଦାସଙ୍କ ପୁଅ ଗଣେଶ(୨୯) ଓ ଭଦ୍ରକ ଜିଲ୍ଲା ଗୁଆଗଡ଼ିଆ ଗ୍ରାମର ହରେକୃଷ୍ଣ ମହନୀଙ୍କ ପୁଅ ମଧୁସୂଦନ(୩୨)ଙ୍କୁ ଅଟକ ରଖିଥିଲେ। କମ୍ପାନିର ମାଲିକ ଓ ବାଲେଶ୍ବର ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ କଥା ହେଲା ପରେ କ୍ଷତିପୂରଣ ବାବଦକୁ ମୃତ ପରିବାରକୁୁ ୫ ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପରିବାର ଲୋକ ୩ ଜଣଙ୍କୁ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର