କେରଳରେ ବନ୍ଧା ପଡିଛି ଓଡ଼ିଆ ଶ୍ରମିକଙ୍କ ମୃତଦେହ, ଶବ ପଠେଇବାକୁ କମ୍ପାନି ମାଲିକ ନାରାଜ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକରେ ଏବେ ଦାଦନ ସମସ୍ୟା ଉଗ୍ରରୂପ ନେବାରେ ଲାଗିଛି । ପୁଣିଥରେ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଶବ ପଠେଇବା ଓ ସହାୟତା ଦେବାକୁ କମ୍ପାନି ମାଲିକ କୁନ୍ଥୁ କୁନ୍ଥୁ ହେଉଥିବା ନେଇ ସାଥିରେ ଥିବା ଲୋକେ ଘରକୁ ଜଣାଇଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଚିଙ୍ଗୁଡ଼ିପାସ ଗ୍ରାମର ସୂଦର୍ଶ ଝଡ଼ିଆ(୨୯) ନିଜ ପାଖ ଗ୍ରାମର ସାଥିମାନଙ୍କ ସହିତ କେରଳକୁ କାମ କରିବାକୁ ଯାଇଥିଲେ ।

କେରଳର ପଳକଡ଼ ଜିଲ୍ଲାର ପାଟଙ୍ଗଡି ଗ୍ରାମର ସାଉତମାଲାବାଗ ଷ୍ଟିଲ କମ୍ପାନିରେ କାମ କରୁଥିଲା । ଆଜି ସୁଦର୍ଶନ କାମ କରୁଥିବାବେଳେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ କମ୍ପାନି ମାଲିକ ଯଦି ଶବ ନେବ ତାହେଲେ ସହାୟତା ଦେବି ନାହିଁ ବୋଲି ରୋକଠୋକ ମନା କରିଦେଇଥିବା ଜଣାପଡିଛି । ସୁଦର୍ଶନ ଗରିବ ପରିବାର ହୋଇଥିବା ବେଳେ ପରିବାର ଆର୍ଥିକ ଅନଟନ ଯୋଗୁଁ ସେ କେରଳକୁ ଦାଦନ ଖଟିବାକୁ ଯାଇଥିଲେ ।

ଘରର ରୋଜଗାରିଆ ସ୍ୱାମୀକୁ ହରାଇ ସ୍ତ୍ରୀ ଏବେ ବେସାହାରା ପାଲଟିଛନ୍ତି । ସ୍ୱାମୀର ମୃତ୍ୟୁ ଖବର ଶୁଣିବା ପରେ ଘରେ ଚୁଲି ଜଳୁନାହିଁ । ୨ଟି ପୁଅକୁ କେମିତି ମଣିଷ କରିବ ସେନେଇ ଚିନ୍ତାରେ ସ୍ତ୍ରୀ କୁମାରୀ । ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଶବକୁ ଆଣିବା ସହିତ କମ୍ପାନିରୁ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର