ସୁରତରେ ଶ୍ରମିକଙ୍କ ମୃତ୍ୟୁ ଘଟଣା : ସ୍ବତନ୍ତ୍ର ବିମାନରେ ଆଜି ପହଞ୍ଚିବ ଶବ

ଓଡ଼ିଆଙ୍କ ଧର୍ମଘଟ ଜାରି, ପୋଲସରା ବିଧାୟକଙ୍କ ଆଲୋଚନା

ବେଲଗୁଣ୍ଠା/ପୋଲସରା : ସୁରତର ସୂତାକଳରେ ଶ୍ରମିକ ଭାବେ କାମ କରୁଥିବା ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଭାବରଡ଼ା ଗ୍ରାମର ପ୍ରଫୁଲ୍ଲ ସେଠୀଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ଜାରି ରହିଛି। ଆଜି ଶତାଧିକ ଓଡ଼ିଆ ଶ୍ରମିକ ଏବଂ ପ୍ରବାସୀ ଓଡ଼ିଆ ଶ୍ରମିକ ସଂଘର ସଦସ୍ୟମାନେ ଡାଇମଣ୍ଡ୍ ନଗରସ୍ଥିତ କାରଖାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଆନ୍ଦୋଳନରେ ୩ଶହ ସୂତାକଳର ଓଡ଼ିଆ ଶ୍ରମିକ ସାମିଲ୍ ହୋଇଥିଲେ। ପରିସ୍ଥିତି ଅଶାନ୍ତ ହେବାରୁ ପୁଲିସ ସେଠାରେ ପହଞ୍ଚି ୮ ଜଣ ଶ୍ରମିକଙ୍କୁ ଥାନାକୁ ଉଠାଇ ଆଣିଥିଲା। ଧାରଣାସ୍ଥଳରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପହଞ୍ଚି ଶ୍ରମିକଙ୍କ ସହ ଆଲୋଚନା କରିବା ସହ ସମସ୍ତ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାସହ ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ।

ତେବେ ଧାରଣାସ୍ଥଳରୁ ପୁଲିସ ୮ଜଣ ଶ୍ରମିକଙ୍କ ଉଠାଇ ଆଣିଥିବାରୁ ଉତ୍ତେଜନା ଲାଗି ରହିଛି। ୧୦ ଲକ୍ଷ କ୍ଷତିପୂରଣ ପାଇଁ ଶ୍ରମିକ ମାନେ ଦାବି କରିଛନ୍ତି। ଖବର ମିଳିବା ସୁଦ୍ଧା ପୋଲସରା ବିଧାୟକ, ପ୍ରବାସୀ ଓଡ଼ିଆ ଶ୍ରମିକ ସଂଘର ପ୍ରମୁଖ ପ୍ରଦୀପ କୁମାର ସାହୁ, ସୁରଥ ସାହୁ, ବିମ୍ବାଧର ସମୁନ୍ଦର ଓ ବିଭୁପାଦ ଜେନା ଥାନାରେ ଆଲୋଚନା ଜାରି ରଖିଛନ୍ତି। ଅନ୍ୟପକ୍ଷରେ ସୋମବାର ଶବ ସ୍ବତନ୍ତ୍ର ବିମାନ ଯୋଗେ ବେଙ୍ଗାଲୁରୁ ଦେଇ ଭୁବନେଶ୍ବର ପହଞ୍ଚିବ। ସେଠାରୁ ଆମ୍ବୁଲାନ୍ସ୍ ଯୋଗେ ଶବକୁ ଭାବରଡ଼ା ଗ୍ରାମ ଅଣାଯିବ। ମୋ ପରିବାର ଓ ମୋ ସରକାର ଯୋଜନାରେ ସଂପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରି‌େବ‌। ବର୍ତ୍ତମାନ ଶବ ସିମର୍ ସରକାରୀ ଡାକ୍ତରଖାନରେ ରହିଛି।

ସମ୍ବନ୍ଧିତ ଖବର