ଲୁଧିଆନାରେ ଓଡ଼ିଆ ଶ୍ରମିକଙ୍କୁ ବୀଭତ୍ସ ହତ୍ୟା, ମୃତଦେହ ଆଣିବା ପାଇଁ ପରିବାରର ଆକୁଳ ନିବେଦନ

ଦଶପଲ୍ଲା : ଦାଦନ ଖଟିବାକୁ ଯାଉଥିବା ପ୍ରବାସୀଙ୍କ ଦୁଃଖ ରାଜ୍ୟରେ ବଢ଼ିବାରେ ଲାଗିଛି। କିଏ ନିଖୋଜ ହେଉଛି ତ କିଏ ଦୁର୍ଘଟଣା ବା ରୋଗରେ ପଡ଼ୁଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଦାଦନ ଯାଉଥିବା ଶ୍ରମିକଙ୍କ ଏଭଳି ଦାରୁଣ ଦୁଃଖ ବଢ଼ି ଚାଲିଥିବାବେଳେ ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କୁ ପଞ୍ଜାବର ଲୁଧିଆନା ଜିଲ୍ଲାର ଦୋରାଠାରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ସମ୍ପୃକ୍ତ ଶ୍ରମିକଙ୍କ ଘର ଦଶପଲ୍ଲା ଥାନା ଅନ୍ତର୍ଗତ ଘୋଳାହାଣ୍ତି ପଞ୍ଚାୟତ ଓସ୍ତସାହି ଗ୍ରାମ। ପରିବାରରେ ଖବର ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏ ପଟେ ଘରକୁ ଶବ ଆଣିବା ପାଇଁ ପରିବାର ପକ୍ଷରୁ ପ୍ରଶାସନ ନିକଟରେ ନିବେଦନ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଶ୍ୟାମ ପ୍ରଧାନଙ୍କ ପୁଅ ଶତ୍ରୁଘ୍ନ ପ୍ରଧାନ ଓରଫ୍ ବାବୁ (୨୯) ଗତ ପ୍ରାୟ ୧୦ ବର୍ଷ ହେଲା ପଞ୍ଜାବକୁ କାମ କରିବା ପାଇଁ ଯାଇଥିଲେ। ସେଠାରେ ଏକ ଦୋକାନରେ ସେ କାମ କରି ଆସୁଥିଲେ। ଯାହା ରୋଜଗାର କରନ୍ତି, ସେଥିରେ ସେ ପରିବାର ପ୍ରତିପୋଷଣ କରିଥାନ୍ତି। ୫ ବର୍ଷ ତଳେ ତାଙ୍କର ବିବାହ ହୋଇଥିବା ବେଳେ ଅଢ଼େଇ ବର୍ଷର ପୁଅଟିଏ ଅଛି। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ସଂଧ୍ୟାରେ ସେ ପତ୍ନୀ ସୁଜାତାଙ୍କ ସହ ଘରର ଭଲମନ୍ଦ କଥା ପଚାରି ବୁଝିଥିଲେ। ଏହାପରେ ରାତିରେ ପତ୍ନୀ ଫୋନ୍‌ କରିଥିବା ବେଳେ ସେ ଫୋନ୍‌ ରିସିଭ୍ କରିନଥିଲେ। ଏହାରି ମଧ୍ୟରେ ଆଜି ସକାଳୁ ଦୋରା ପତ୍ନୀଙ୍କ ହ୍ବାଟ୍‌ସଆପ୍‌କୁ ଏକ ମେସେଜ ଆସିଥିଲା। ଯେଉଁଥିରେ ତାଙ୍କ ଫଟୋ ରହିବା ସହ ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ହତ୍ୟା କରାଯାଇଥିବା ଜାଣିବାକୁ ମିଳିଥିଲା। ପରିବାର ଲୋକ ସେହି ନମ୍ବରରେ ଯୋଗାଯୋଗ କରିବାରୁ ଦୋରା ପୁଲିସ ଷ୍ଟେସନରୁ କହୁଥିବା ଜାଣିବାକୁ ପାଇଥିଲେ। ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ରୋଜଗାରକ୍ଷମ ପୁଅକୁ ହରାଇ ବାପା, ମାଆ ଓ ପତ୍ନୀ ଭାଙ୍ଗି ପଡ଼ିଛନ୍ତି। ପରିବାର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ଗାଁ’କୁ ଶବ ଆଣିବା ପାଇଁ ବାପା ଶ୍ୟାମ ପ୍ରଧାନ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ତୁଙ୍କ ନିକଟରେ ପହଞ୍ଚି ନିବେଦନ କରିଥିଲେ। ଏହାକୁ ନେଇ ତହସିଲଦାର ଶ୍ରୀ ଖେମୁଣ୍ତୁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହିତ ଆଲୋଚନା କରିବା ସହ କିଭଳି ଶବ ଓଡ଼ିଶାକୁ ଆସିବ ସେ ନେଇ ଚେଷ୍ଟା ଜାରି ରହିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର