ସରକାର ଶୁଣିଲେନି ଗୁହାରି! ହରିଆନାରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ଆତ୍ମହତ୍ୟା

ରାଜକନିକା : କରୋନା ଯୋଗୁଁ ଲକ୍‌ଡା‌ଉନ ଘୋଷଣା ପରେ ସେ ହରିଆନାରେ ଫସି ଯାଇଥିଲେ। ରୋଜଗାରର ବାଟ ନଥିଲା। ରହିବା, ଖାଇବାରେ ସମସ୍ୟା ହୋଇଥିଲା। ସେଠାରୁ ତାଙ୍କୁ ଉଦ୍ଧାର କରିବାକୁ ସାମାଜିକ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ବାରମ୍ବାର ଗୁହାରି କରିଥିଲେ। କେଉଁଠୁ କିଛି ସହାୟତା ନ ମିଳିବାରୁ ଶେଷରେ ଆତ୍ମହତ୍ୟା କରି ଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା କାଟଣା-ବଣିଆ ପଞ୍ଚାୟତ ବାଜପୁର ଗ୍ରାମର ଗଙ୍ଗାଧର ବିଶ୍ୱାଳ(୪୧)। ଏଭଳି ଏକ ଦୁଃଖଦ ଘଟଣା ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ରାଜକନିକା ବ୍ଲକ ବାଜପୁର ଗ୍ରାମର ଧରଣୀଧର ବିଶ୍ୱାଳଙ୍କ ପୁଅ ଗଙ୍ଗାଧର ବର୍ଷେରୁ ଅଧିକ ହେବ ହରିଆନାର ଜମୁନାନଗର ଅଞ୍ଚଳରେ ରହି ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଜିଲ୍ଲାର ଅନ୍ୟ ବ୍ଲକରୁ ପ୍ରାୟ୧୫ ଜଣ ଯୁବକ ସେହି ଅଂଚଳରେ ରହୁଥିଲେ।

ଲକ୍‌ଡାଉନ ପରେ ଘରକୁ ଆସି ନ ପାରି ସେଠାରେ ଫସି ଯାଇଥିଲେ। ପାଖରେ ଯାହା ଟଙ୍କା ଥିଲା ଖାଇବାପିଇବାରେ ସରିଗଲା। ଚଳିବାକୁ ସମସ୍ୟା ହେବା ପରେ ସାମାଜିକ ଗଣମାଧ୍ୟମରେ ସେଠାରୁ ଉଦ୍ଧାର କରିବା ପାଇଁ ଗଙ୍ଗାଧର ଓ ତାଙ୍କ ସାଥୀମାନେ ସରକାରଙ୍କୁ ନିବେଦନ କରିଥିଲେ। ତେବେ ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ଗଙ୍ଗାଧର ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ‘ସରକାର ଉଦ୍ଧାର ନ କଲେ ମରିବୁ’ ବୋଲି ଚରମବାଣୀ ଶୁଣାଇଥିଲେ। ଗତକାଲି ରାତିରେ ସମସ୍ତେ ଶୋଇବା ପରେ ଗଙ୍ଗାଧର ନିକଟରେ ଥିବା ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ସକାଳୁ ତାଙ୍କ ସାଥୀମାନେ ଖୋଜାଖୋଜି କରି ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।

ଏଭଳି ଖବର ସମଗ୍ର ଜିଲ୍ଲାରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଗଙ୍ଗାଧରଙ୍କ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଘରେ ବୁଢୀ ମାଙ୍କ ସହିତ ପତ୍ନୀ ସବିତା, ୧୧ ଓ ୮ ବର୍ଷର ଦୁଇ ପୁଅ ଅଛନ୍ତି। ଏମାନଙ୍କ ଭିତରୁ ଜଣେ ମୂକ। ସ୍ବାମୀଙ୍କୁ ହରାଇ ନିର୍ବାକ ପାଲଟିଛନ୍ତି ସବିତା। ତାଙ୍କ ଆଖିରୁ ଲୁହ ଶୁଖୁନି। ସ୍ବାମୀଙ୍କ ମୃତଦେହକୁ ଗାଁକୁ ଫେରାଇ ଆଣିବାକୁ ସହାୟତା କରିବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି। କନିକା ତହସିଲଦାର ଡି.ଏସ୍. ଶୁଭଦର୍ଶୀ ଯୋଶୀ ରେଡକ୍ରସରୁ ଗଙ୍ଗାଧରଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର