ଦୁବାଇରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ଚାଞ୍ଚଲ୍ୟକର ଭିଡିଓ, ପ୍ରତିବାଦ କଲେ ନିଖୋଜ କରି ଦିଆଯାଉଛି

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର କେତେକ ଶ୍ରମିକ ଏବେ ଦୁବାଇରେ ଏକ କମ୍ପାନିରେ ନିର୍ଯାତିତ ଅବସ୍ଥାରେ। ସେଠାରେ ସେମାନଙ୍କୁ ପଶୁତୁଲ୍ୟ ବ୍ୟବହାର କରା ଯାଉଥିବା ଏବଂ ଅକଥନୀୟ ନିର୍ଯାତନା ଦିଆ ଯାଉଥିବା ଜଣେ ଶ୍ରମିକ ପଠାଇଥିବା ଭିଡିଓ କ୍ଲିପ୍‌ରୁ ପ୍ରମାଣ ମିଳିଛି। ଏଭଳିକି ପ୍ରତିବାଦ କଲେ ନିର୍ଯାତିତ ଶ୍ରମିକଙ୍କୁ ନିଖୋଜ କରି ଦିଆ ଯାଉଥିବା ଚାଞ୍ଚଲ୍ୟକର ତଥ୍ୟ ମିଳିଛି।

ଉତ୍କଟ ଦାରିଦ୍ର ଓ ବେକାରୀ ସମସ୍ୟା ଯୋଗୁଁ ବହୁ ଶିକ୍ଷିତ କୁଶଳୀ, ଅର୍ଦ୍ଧ କୁଶଳୀ ଓ ଅଶିକ୍ଷିତ ଯୁବକ କାମ ଆଶାରେ ଦାଦନ ଖଟିବା ପାଇଁ ଦୁବାଇ ଯାଇ ଦଲାଲ୍‌ଙ୍କ ହାବୁଡ଼ରେ ପଡ଼ୁଛନ୍ତି। ଖଲ୍ଲିକୋଟ ବ୍ଲକ୍‌ର ‌କଇରାଶି, ବଧିନୂଆପଲ୍ଲୀ ଓ ପଥରା ଗ୍ରାମର କେତେକ ଶ୍ରମିକ ଦୁବାଇରେ ଫସି ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଛି। ବାଲୁଗାଁ ଥାନା ଅନ୍ତର୍ଗତ ଆଙ୍କୁଲା, ଚଟି ଗ୍ରାମର କିଛି ଶ୍ରମିକ ଦୁବାଇ ଯିବା ପାଇଁ ଶ୍ରମ ଠିକାଦାର ଆକାଶକୁ ୭୦ ହଜାର ଟଙ୍କା ଦେଇଥିଲେ। ଶ୍ରମିକମାନେ କିଛି ମାସ ଦୁବାଇରେ ରହିବା ପରେ ସେମାନଙ୍କୁ ଖାଇବାକୁ ନଦେଇ ନିର୍ଯାତନା ଦିଆ ଯାଉଥିବା ଏବଂ ପୁଲିସରେ ଅଭିଯୋଗ କଲେ ଶ୍ରମିକ ମାନଙ୍କୁ ମାଡ଼ ମାରି ନିଖୋଜ କରି ଦିଆ ଯାଉଥିବା ନେଇ କଇରାଶି ଗ୍ରାମର ଭଗବାନ ପ୍ରଧାନ ନାମକ ଜଣେ ଶ୍ରମିକ ଏକ ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି। ତେଣୁ ଦୁବାଇରେ ଫସି ରହିଥିବା ଯୁବକମାନଙ୍କ ମଧ୍ୟରେ ସୁଧାକର ସ୍ବାଇଁ, ବିପିନ ସ୍ବାଇଁ, ପ୍ରକାଶ ପ୍ରଧାନ, ପ୍ରଭାତ ମହାପାତ୍ର ପ୍ରମୁଖ ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ଉକ୍ତ ପରିବାରବର୍ଗଙ୍କ ପକ୍ଷରୁ ଗଂଜାମ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର